ସଂସଦରେ ଅପରେସନ ସିନ୍ଦୂର ଉପରେ ଚର୍ଚ୍ଚା
ଏପ୍ରିଲ ୨୨ ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଦେବାକୁ ଯାଇ ଭାରତ ଚଳାଇଥିବା ଅପରେସନ୍ ସିନ୍ଦୂର ବାବଦରେ ଆଜି ଲୋକସଭାରେ ଆଲୋଚନା ହେବ। ଭାରତ ସରକାରଙ୍କ ଆଗରେ ଆମେରିକାର ମଧ୍ୟସ୍ଥତା ଓ ଯୁଦ୍ଧ ବିରାମର ପ୍ରଶ୍ନ ରହିଛି। ଗୁଇନ୍ଦା ବିଫଳତାର ଅଭିଯୋଗ ରହିଛି। ଅପରପକ୍ଷେ ଦେଶର ନୂଆ ରଣନୀତି, ଯବାନମାନଙ୍କ ମନୋବଳ, ସ୍ୱଦେଶୀ ଟେକ୍ନୋଲୋଜିର ବ୍ୟବହାରକୁ ନେଇ ସରକାର ବିରୋଧୀଙ୍କ ଉତ୍ତର ଦେବାକୁ ପ୍ରୟାସ କରିବେ। ଏଥିଲାଗି ଲୋକସଭାରେ ୧୬ ଘଣ୍ଟାର ଆଲୋଚନା ଆଜି ଆରମ୍ଭ ହେବାକୁ ଯାଉଥିବା ବେଳେ ଆସନ୍ତା କାଲି ରାଜ୍ୟସଭାରେ ଏ ନେଇ ଆଲୋଚନା ହେବ। ସରକାରଙ୍କ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ଏ ସ୍ୱତନ୍ତ୍ର ଆଲୋଚନା ପାଇଁ ବାଟ ଫିଟାଇବା କାର୍ଯ୍ୟକ୍ରମ ରହିଛି।
ଆଜି ଶ୍ରାବଣ ମାସର ତୃତୀୟ ସୋମବାର
ଆଜି ଶ୍ରାବଣ ମାସର ତୃତୀୟ ସୋମବାର । ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଦୂର ଦୂରାନ୍ତରୁ ପାଣି ଆଣି କାଉଡିଆଙ୍କ ଲମ୍ୱାଧାଡି ବିଭିନ୍ନ ଶୈବ ପୀଠକୁ ଲମ୍ୱିଛି । ଅନେକ ଶ୍ରଦ୍ଧାଳୁ ମାଇଲ ମାଇଲ ବାଟ ଚାଲି ପାଣି ଭାର ଉଠାଇ ଶିବଙ୍କୁ ଜଳ ଲାଗି କରିବାକୁ ବାହାରିଛନ୍ତି ।
ବନ୍ୟା ପରିସ୍ଥିତି ଉତ୍କଟ
ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ରାଜ୍ୟର ୬ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼ ଓ କେନ୍ଦୁଝରରେ ବନ୍ୟା ଯୋଗୁ ୧୧ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ମୟୂରଭଞ୍ଜ ଓ ବାଲେଶ୍ବରରେ ବନ୍ୟା ପ୍ରକୋପ ଅଧିକ ଥିବାରୁ ୯ଟି ଆଶ୍ରୟସ୍ଥଳୀକୁ ପ୍ରାୟ ୧ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ସମସ୍ତଙ୍କୁ ରିଲିଫ ସାମଗ୍ରୀ ମିଳିବା ନେଇ ଜିଲ୍ଲାପାଳମାନେ ପଦକ୍ଷେପ ନେବାକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି।
ଆଜିଠୁ ସହିଦ ସପ୍ତାହ
ଆଜିଠୁ ରାଜ୍ୟରେ ନକ୍ସଲମାନେ ସହିଦ ସପ୍ତାହ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି। ଏହିକ୍ରମରେ ଅଗଷ୍ଟ ୩ ତାରିଖ ଯାଏ ରାଜ୍ୟରେ ନକ୍ସଲ କାର୍ଯ୍ୟକଳାପ ବଢ଼ିବା ଆଶଙ୍କା ରହିଛି। ମାଲକାନଗିରି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆଶଙ୍କା ଅଧିକ ଥିବାରୁ ପଡ଼ୋଶୀ ରାଜ୍ୟରୁ ଯେମିତି ନକ୍ସଲ ନେତାଙ୍କ ପ୍ରବେଶ ରୋକାଯାଇପାରିବ ସେଥିଲାଗି ପଦକ୍ଷେପ ନିଆଯାଇଛି। ସୀମର ସିଲ୍ କରାଯିବା ସହ କୁମ୍ବିଂ ଅପରେସନ୍କୁ ଜୋରଦାର କରାଯାଇଥିବା ସୂଚନା ମିଳିଛି।
ହରିଦ୍ୱାର ମନସା ଦେବୀ ମନ୍ଦିରରେ ଦଳାଚକଟା: ୬ ମୃତ
ଉତ୍ତରାଖଣ୍ଡର ହରିଦ୍ୱାରସ୍ଥିତ ମନସା ଦେବୀ ମନ୍ଦିର ରାସ୍ତାରେ ରବିବାର ସକାଳେ ଘଟିଥିବା ଦଳାଚକଟାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ (ଏସ୍ଡିଆର୍ଏଫ୍)ର ୩ଟି ଟିମ୍ ଉଦ୍ଧାର କାର୍ଯ୍ୟରେ ତୁରନ୍ତ ନିୟୋଜିତ ହୋଇଥିଲା ଏବଂ ଦୀର୍ଘ ୬ ଘଣ୍ଟା ଧରି ଏହି ପ୍ରକ୍ରିୟା ଜାରି ରହିଥିଲା ବୋଲି କମାଣ୍ଡାଣ୍ଟ ଅର୍ପଣ ଯଦୁବଂଶୀ କହିଛନ୍ତି।
ଶିଶୁକନ୍ୟାକୁ ବିକିଦେଲେ ଦମ୍ପତି
ଟିଟିଲାଗଡ଼ ଭାଲେଗାଁ ପଞ୍ଚାୟତ ବାଗଡେର୍ ଗାଁରେ ୨୦ ହଜାର ଟଙ୍କାରେ ଶିଶୁ କନ୍ୟା ବିକ୍ରି ଅଭିଯୋଗ ସାମ୍ନାକୁ ଆସିଛି । ଦାରିଦ୍ର୍ୟତା ଯୋଗୁଁ ଶିଶୁ କନ୍ୟାକୁ ବିକ୍ରି କରାଯାଇଥିବା ଅଭିଯୋଗ ରହିଛି । ବାପା ଓ ମଧ୍ୟସ୍ତିଙ୍କୁ ପୋଲିସ ଉଠାଇ ନେବା ପରେ ଗାଁରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ପାଇକମାଳର ଜଣଙ୍କୁ ବିକ୍ରି କରିଥିବା ଜଣାପଡ଼ିବା ପୋଲିସ ଛାନଭିନ୍ କରୁଛି ।
‘ସୁଭଦ୍ରା’ରେ ସାମିଲ ହେବେ କୋଟିଆ ବାସିନ୍ଦା
ଅଗଷ୍ଟ ୯ରେ ଜୟପୁର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଖୀ ପୂର୍ଣ୍ଣିମା ଅବସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ରାଜ୍ୟର ୧ କୋଟି ୨ ଲକ୍ଷ ୪୦ ହଜାର ମହିଳାଙ୍କୁ ବାଣ୍ଟିବେ ‘ସୁଭଦ୍ରା’ କିସ୍ତି। କୋଟିଆ ପଞ୍ଚାୟତର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ‘ସୁଭଦ୍ରା’ ଯୋଜନାରେ ସାମିଲ କରି ଉକ୍ତ ଦିନ ସହାୟତା ରାଶି ପ୍ରଦାନ କରାଯିବ।
ଆଜି ୟେଲୋ ଆର୍ଲଟ ଜାରି
ସୋମବାର ଜୁଲାଇ ୨୮ ତାରିଖରେ ୧୫ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୟେଲୋ ଆଲର୍ଟ ଜାରି କରାଯାଇଥିବା ୧୫ ଜିଲ୍ଲା ହେଉଛି କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, କଟକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ସମ୍ବଲପୁର।
ଠକେଇର ଶିକାର ହେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ
ଠକେଇର ଶିକାର ହୋଇଚନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଢେଙ୍କାନାଳ ସଦର ଥାନା ବଣସିଂହ ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କୁ ଜମି ବିକ୍ରି କରିବାକୁ କହି ୨୫ ଲକ୍ଷ ଟଙ୍କା ଠକି ନେଇଛି। ଟଙ୍କା ଫେରାଇବେ ବୋଲି କହି ଭଣ୍ଡାଇ ଚାଲିଥିଲେ। ବିଗତ ୪ ବର୍ଷ ହେଲା ଆଉ ସେହି ବ୍ୟକ୍ତି ଜଣଙ୍କ ମନ୍ତ୍ରୀଙ୍କୁ ଧରାଛୁଆଁ ଦେଉନାହାନ୍ତି। ଠକାମିର ଶିକାର ହୋଇ ଶେଷରେ ମନ୍ତ୍ରୀ ଶ୍ରୀ ପାତ୍ର ରବିବାର ଢେଙ୍କାନାଳ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ମହିଳା ନକ୍ସଲ ଗିରଫ
ମାଲକାନଗିରି ଜିଲ୍ଲାର ସୀମାନ୍ତ ଛତିଶଗଡ଼ର ସୁକମା ପୋଲିସକୁ ମିଳିଛି ବଡ ସଫଳତା । ୫ ଲକ୍ଷ ଘୋଷିତ ଏକ ମହିଳା ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛି ସୁକମା ପୋଲିସ । ଗିରଫ ମହିଳା ନକ୍ସଲ ଜଣକ ହେଲେ ସୋଡି ସାମଡୁ । ସେ ପାମେଡ ଏରିଆ କମିଟିର କମାଣ୍ଡର ରହିଥିଲା । ବିଶେଷ ସୂତ୍ରରୁ ଖବର ପାଇ, ଚିନ୍ତାଗୁମ୍ଫା ଥାନା ଅଞ୍ଚଳର ମେନପା, ଏତରାଜପାଡ ଭଳି ଅଞ୍ଚଳରେ ସର୍ଚ୍ଚ ଅପରେସନ କରିବାକୁ ଜିଲ୍ଲା ପୋଲିସ ଏବଂ ଡିଆରଜି ଯବାନ ଯାଇଥିଲେ । ଏହି ସମୟରେ ମହିଳା ଜଣଙ୍କ ସୁରକ୍ଷାକର୍ମୀଙ୍କୁ ଦେଖି ଦୌଡି ପଳାଇବାକୁ ଚେଷ୍ଟା କରିଥିବାବେଳେ ତାକୁ ଧରିବାରେ ସଫଳ ହୋଇଥିଲେ ଯବାନ ମାନେ ।