1. ଆଜିଠୁ ଆଡ଼ପ ଅବଢା
ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରଥମ ଅବଢ଼ା ମିଳିବ। ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଗତକାଲି ସନ୍ଧ୍ୟାରେ ନିର୍ଦ୍ଧାରିତ ବିଧି ଅନୁସାରେ ପହଣ୍ଡି ହୋଇଥିଲା। ଗୋଟି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତି ଆଡ଼ପ ମଣ୍ଡପ ବିଜେ କରିଥିଲେ।
2. ବନକଲାଗି ନୀତି ପାଇଁ ଦର୍ଶନ ବନ୍ଦ
ଆଜି ଶ୍ରୀଜିଉଙ୍କ ବନକଲାଗି ଅନୁଷ୍ଠିତ ହେବ। ଏଥିଲାଗି ରାତି ୯ଟା ପରେ ଦର୍ଶନ ବନ୍ଦ ରହିବ। ଏହି ନୀତି ପ୍ରାୟ ୫ ଘଣ୍ଟା ଧରି ଚାଲିବ। ଏଣୁ ୨ଟାଯାଏ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
3. ଦଳଚକଟାକୁ ନେଇ ନିନ୍ଦା
ଶରଧାବାଲିରେ ରଥଉପରେ ବିଜେ ଶ୍ରୀଜିଉଙ୍କୁ ଦର୍ଶନ ଲାଗି ଆସିଥିବା ଭକ୍ତଙ୍କ ଭିତରେ ଦଳା ଚକଟାକୁ ନେଇ ଅନେକ ସ୍ତରରେ ନିନ୍ଦା ପ୍ରକାଶ କରାଯାଇଛି। ଗତକାଲି ପ୍ରାତଃ ସମୟରେ ତିନିଜଣ ଭକ୍ତଙ୍କ ଜୀବନ ଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି ପ୍ରଶାସନିକ ଓ ପୁଲିସ ବ୍ୟବସ୍ଥାରେ ଅବହେଳାକୁ ଏଥିଲାଗି ଦାୟୀ କରାଯାଇଛି। ମୁଖ୍ୟମନ୍ତ୍ରୀ ଏହାକୁ ଏକ ଅକ୍ଷମଣୀୟ ଘଟଣା ବୋଲି କହିବା ସହ ପୁରୀରେ ଅଧିକାରୀ ସ୍ତରରେ ଅଦଳବଦଳ କରିଛନ୍ତି।
4. ଶାଶ୍ୱତ ମିଶ୍ର ହେଲେ ପ୍ରମୁଖ ସଚିବ
ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ୧୯୯୬ ବ୍ୟାଚ ଆଇଏଏସ୍ ଶାଶ୍ୱତ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ସେ ଏବେ ଅର୍ଥ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ନିକୁଞ୍ଜ ବିହାରୀ ଧଳ କେନ୍ଦ୍ରୀୟ ଡେପ୍ୟୁଟେସନ୍ରେୱ ଯିବା ପରେ ଏହି ପଦବୀ ଖାଲି ପ଼ଡ଼ିଥିଲା।
5. କାଲିଠାରୁ ଶିମିଳିପାଳ ବନ୍ଦ
ଆସନ୍ତାକାଲିଠାରୁ ଶିମିଳିପାଳ ଜାତୀୟ ଉଦ୍ୟାନକୁ ପର୍ଯ୍ୟଟକଙ୍କ ଲାଗି ବନ୍ଦ କରାଯିବ। ବର୍ଷାଋତୁ ଯୋଗୁ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଜାମୁଣିଆ, ଗୁଡ଼ୁଗୁଡ଼ିଆ, କୁମାରୀ, ବରାହିପାଣି ଓ ରାମତୀର୍ଥ ବୁଲିବାକୁ ଚାହୁଁଥିବା ପର୍ଯ୍ୟଟକଙ୍କ ପାଇଁ କୌଣସି କଟକଣା ରହିବ ନାହିଁ।
6. ବଢୁଛି ନଦୀସ୍ତର
ରାଜ୍ୟରେ ଲଘୁଚାପଜନିତ ବର୍ଷା ହେତୁ କିଛି ନଦୀରେ ଜଳବତନ ବୃଦ୍ଧି ପାଇଛି। ଏନେଇ ଜଳ ସେଚନ ବିଭାଗ ପକ୍ଷରୁ ସତର୍କ ନୋଟିସ ଜାରି କରାଯାଇଛି। ସୁବର୍ଣ୍ଣରେଖା, ଜଳକା ଏବଂ ବୁଢ଼ାବଳଙ୍ଗ ନଦୀ ଫୁଲୁଥିବା ବିଭାଗ କହିଛି।
7. ଏପ୍ରିଲ ପହିଲାରୁ ଗୃହ ଗଣନା କାର୍ଯ୍ୟ
୨୦୨୬ ଏପ୍ରିଲ ପହିଲାରୁ ଆରମ୍ଭ ହେବ ଗୃହ ଗଣନା। ଏଥିଲାଗି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଜନଗଣନା ଆୟୁକ୍ତ ସୂଚନା ଦେଇଛନ୍ତି। ଏହା ଜନଗଣନାର ପ୍ରଥମ ଭାଗ ହେବ। ଏଥିରେ ଘରର ସ୍ଥିତି, ପ୍ରତି ପରିବାରର ସମ୍ପତ୍ତି ଓ ସୁବିଧା ସୁଯୋଗ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ।
8. ଶିଶୁବାଟିକାରେ ଶିଶୁ ସେବିକା
ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ଶିଶୁ ବାଟିକାରେ ଶିଶୁ ସେବିକା ନିୟୋଜିତ କରିବେ। ସେମାନେ ଶୁଶୁଙ୍କ ଯତ୍ନ ନେବେ। ରାଜ୍ୟ ସରକାର ଚଳିତ ବର୍ଷଠାରୁ ୪୫ ହଜାର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା ଖୋଲିଛନ୍ତି। ଏନ୍ଇଜପି ଆଧାରରେ ଏହି ବ୍ୟବସ୍ଥା କରାଯାଇଛି।
9. ଅଟକିଲା ରାଜ୍ୟ ସଭାପତି ନିର୍ବାଚନ
ବିଜେପି ରାଜ୍ୟ ସଭାପତି ନିର୍ବାଚନ ସ୍ଥଗିତ କରାଯାଇଛି। ଆଜି ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ହେବାକୁ ସ୍ଥିର କରାଯାଇଥିଲା। କିନ୍ତୁ ରଥଯାତ୍ରା ସମୟରେ ଦଳଚକଟା ଓ ତଦ୍ଜିନିତ ମୃତ୍ୟୁ ହେତୁ ଏହାକୁ ସ୍ଥଗିତ କରାଯାଇଛି।
10. ୟୁକ୍ରେନ ଉପରେ ଋଷର ଜୋରଦାର ଆକ୍ରମଣ
ୟୁକ୍ରେନ୍ ଉ ପରେ ବଡ଼ଧରଣର ଆକ୍ରମଣ କରିଛି ଋଷ। ୪୭୭ ଡ୍ରୋନ, ୬୦ କ୍ଷେପଣାସ୍ତ୍ର ମାଡ଼ରେ ଅସ୍ତବ୍ୟସ୍ତ ହୋଇଛି ୟୁକ୍ରେନ୍। ୨୪୭ ଡ୍ରୋନକୁ ୟୁକ୍ରେନ ଖସାଇବାରେ ସକ୍ଷମ ହୋଇଛି। ତିନି ବର୍ଷ ହେଲା ଏହି ଯୁଦ୍ଧ ଲାଗିଛି। ଆନ୍ତର୍ଜାତିକ ସ୍ତରରେ ଯୁଦ୍ଧର ଅବସାନ ଲାଗି ଅନେକ ଏଜେନ୍ସୀ ପ୍ରୟାସ କରୁଛନ୍ତି।