ଜଗନ୍ନାଥ ପ୍ରଧାନ ଗିରଫ
ଭୁବନେଶ୍ବର ମହାନଗର ନିଗମର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ମରାଯିବା ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଆଜି ରାତିରେ ଆତ୍ମସମର୍ପଣ କରିଛନ୍ତି। ଏହା ପରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିରେ ଉତ୍କ୍ଷିପ୍ତ ହୋଇଛନ୍ତି ଜଗନ୍ନାଥଙ୍କ ସମର୍ଥକ। ରାତି ପ୍ରାୟ ୧୦ଟା ବେଳେ ଭୁବନେଶ୍ବରର ଜନପଥ ଓ ଜାତୀୟ ରାଜପଥ ଅବରୋଧ କରିଥିଲେ।
ଜଗନ୍ନାଥ ପ୍ରଧାନଙ୍କ ଗିରଫଦାରୀର ପ୍ରତିବାଦ
ବିଏମ୍ସି ଅତିରିକ୍ତ କମିସନରଙ୍କୁ ହୋଇଥିବା ଆକ୍ରମଣ ମାମଲାରେ ଭୁବନେଶ୍ବର ମଧ୍ୟ ବିଧାୟକ ପ୍ରାର୍ଥୀ ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନଙ୍କୁ ଜେଲ୍ ଯିବାକୁ ପଡ଼ିଛି। ଆଜି ଭୁବନେଶ୍ବର ଏସ୍ଡିଜେଏମ୍ କୋର୍ଟ ଜାମିନ ଖାରଜ କରିବା ପରେ ଶ୍ରୀ ପ୍ରଧାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ଆଜି ରାତିରେ ଜଗନ୍ନାଥ ଡିସିପି କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିଥିଲେ।
କଲମା ବ୍ୟାରେଜ୍ ଖୋଲିଲା ୪୬ ଗେଟ୍
ଆସନ୍ତା ୬ ତାରିଖ ରବିବାର ସକାଳ ୧୦ଟାରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ। ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ମହାନଦୀ ଫୁଲିବାରେ ଲାଗିଥିବା ବେଳେ ଛତିଶଗଡ଼ ସରକାର କଲ୍ମା ବ୍ୟାରେଜ୍ର ୪୬ଟି ଗେଟ୍ ଖୋଲି ଦେଇଛନ୍ତି। କଲ୍ମାର ୬୬ଟି ଗେଟ୍ ମଧ୍ୟରୁ ଗତକାଲି ପର୍ଯ୍ୟନ୍ତ ୧୦ଟି ଗେଟ୍ ଖୋଲା ରହିଥିଲା। ଗୁରୁବାର ଆହୁରି ୩୬ଟି ଗେଟ୍ ଖୋଲାଯିବା ପରେ ମହାନଦୀରେ ଜଳପ୍ରବାହ ବଢ଼ିଛି।
ଓହରିଲା ଓଏଏସ ସଂଘ
ରାଜ୍ୟରେ ତିନିଦିନ ଧରି ଚାଲିଥିବା ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଏ ନେଇ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ସଂଘର ସଭାପତି ଜ୍ୟେତିରଞ୍ଜନ ମିଶ୍ର। ପୂର୍ବରୁ କିଙ୍ଗପିନକୁ ଗିରଫ କରାଗଲେ ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିବ ବୋଲି ପୂର୍ବରୁ କହିଥିଲା ସଂଘ। ଅନେକ ଆଲୋଚନା ଓ ରଣନୀତି ପରେ ବିଜେପି ନେତା ତଥା ଓଏଏସ୍ ଅଧିକାରୀ ରତ୍ନାକର ସାହୁଙ୍କୁ ମାଡ଼ମରା ଘଟଣାରେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଆଜି ବିଳମ୍ବିତ ସନ୍ଧ୍ୟାରେ ଆତ୍ମସମର୍ପଣ କରିଥିଲେ। ଏହାପରେ ପୁଲିସ ତାଙ୍କ ନାଁରେ ଥିବା ଅଭିଯୋଗକୁ ଆଧାର କରି ତାଙ୍କୁ ଗିରଫ କରିଥିଲା। ଭୁବନେଶ୍ୱର ଡିସିପି ଜଗମୋହନ ମୀନା କହିଛନ୍ତି, "ଜୁନ ୩୦ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବୟାନ ଏବଂ ପୀଡ଼ିତ ଅଧିକାରୀଙ୍କ ଏତଲାକୁ ଆଧାର କରି ତାଙ୍କୁ ଗିରଫ କରାଯାଇଛି।"
ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ଆଜି
ଆଜି ଜନ୍ମବେଦିରେ ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ। ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଜନ୍ମବେଦିରେ ଏହା ଶେଷ ଦର୍ଶନ। ପ୍ରତିବର୍ଷ ସନ୍ଧ୍ୟା ଦର୍ଶନରେ ଭକ୍ତଙ୍କ ପ୍ରବଳ ସମାଗମ ଦୃଷ୍ଟିରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରି ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ ସାରି ନାକଚଣା ଦ୍ୱାର ଦେଇ ବାହାରିବାର ବ୍ୟବସ୍ଥା କରାଯାଇଛି। ବ୍ୟବସ୍ଥାବଳୀ ମୁତାବକ, ଭକ୍ତମାନେ ଭୋର ୫ଟାରୁ କେବଳ ବାହାରକାଠ ନିକଟରେ ଦର୍ଶନ କରିବେ। ଏହାପରେ ଦର୍ଶନ ବନ୍ଦ କରାଯାଇ ବାହୁଡ଼ା ପହଣ୍ଡି ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ଆଡ଼ପ ଦର୍ଶନ ପାଇଁ ବଢ଼ିଲାଣି ଗହଳି।
ମୁଣ୍ଡ ଟେକୁଛି ଆଉ ଏକ ଲଘୁଚାପ
ବର୍ତ୍ତମାନ ଉତ୍ତର ଓଡ଼ିଶା ଏବଂ ପାଶ୍ୱର୍ବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଘୂର୍ଣ୍ଣିବଳୟ ଅଛି । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ବିଭିନ୍ନ ମଡେଲକୁ ଅନୁଶୀଳନ କରି ଆଗାମୀ ଦୁଇ ସପ୍ତାହ ପାଇଁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପୂର୍ବାନୁମାନ ଜାରି କରିଛି । ଏହି ପୂର୍ବାନୁମାନ କହୁଛି, ଆସନ୍ତା ୬ ତାରିଖବେଳକୁ ଉତ୍ତର ବଙ୍ଗୋପସାଗର, ପାଶ୍ୱର୍ବର୍ତ୍ତୀ ଉପକୂଳ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ୩-୪ ଦିନ ଭିତରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ ଓ ପୂର୍ବ ମଧ୍ୟପ୍ରଦେଶ ଆଡ଼କୁ ଗତି କରିବା ସମ୍ଭାବନା ଅଛି । ସେହିପରି ଜୁଲାଇ ୧୧ରୁ ୧୭ ତାରିଖ ଭିତରେ ଆଉ ଏକ ଘୂର୍ଣ୍ଣିବଳୟ ହୋଇପାରେ ଉତ୍ତର ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଉପକୂଳ ପଶ୍ଚିମବଙ୍ଗ-ଓଡ଼ିଶା ଏବ ବାଂଲାଦେଶ ଉପରେ । ଏବେ ଗୋଟିଏ ଘୂର୍ଣ୍ଣିବଳୟ ଥିବାବେଳେ ଆଗକୁ ଆଗ ପଛ ହୋଇ ଆଉ ଦୁଇଟି ଘୂର୍ଣ୍ଣିବଳୟ ଓଡ଼ିଶା ମୁହାଁ ହେବେ ।
ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ
ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଟିକିଏ କମିଛି। ଡେରାଡୁନ, ତେହରି ଏବଂ ବାଗେଶ୍ୱରର କିଛି ସ୍ଥାନରେ ପ୍ରବଳ ବର୍ଷା ଏବଂ ଘଡ଼ଘଡ଼ି ସହିତ ବିଜୁଳି ପାଇଁ ପାଣିପାଗ ବିଭାଗ ହଳଦିଆ ସତର୍କତା ଜାରି କରିଛି। ତଥାପି, ବର୍ଷା ଯୋଗୁଁ ପାହାଡ଼ରୁ ଖସି ଆସିଥିବା ଭଗ୍ନାବଶେଷ ଯୋଗୁଁ ରାସ୍ତା ବନ୍ଦ ହୋଇଯାଇଛି। ଚାମୋଲି ପୋଲିସ ବଦ୍ରିନାଥ ଜାତୀୟ ରାଜପଥ ବନ୍ଦ ହେବା ସମ୍ପର୍କରେ ସୂଚନା ଦେଇଛି। X ରେ ଲେଖାଯାଇଥିଲା ଯେ ନନ୍ଦପ୍ରୟାଗ ଏବଂ ଭାନେରପାଣି ନିକଟ ପାହାଡ଼ରୁ ଭଗ୍ନାବଶେଷ ପଡ଼ିବା ଯୋଗୁଁ ରାସ୍ତା ବନ୍ଦ ହୋଇଯାଇଛି। ହିମାଚଳ ପ୍ରଦେଶରେ ଆଜି ମଧ୍ୟ ବର୍ଷା ଜାରି ରହିବ। ଅନେକ ସହରରେ ବର୍ଷା ସତର୍କତା ଜାରି କରାଯାଇଛି।
ବିହାରରେ ଏକା ଲଢିବ ଆପ
ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (AAP)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ପୁଣି ଥରେ ତାଙ୍କର ରାଜନୈତିକ ମହତ୍ତ୍ୱାକାଂକ୍ଷାର ଏକ ବଡ଼ ସଙ୍କେତ ଦେଇଛନ୍ତି। ତାଙ୍କର ଗୁଜୁରାଟ ଗସ୍ତ ସମୟରେ ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ସେ ଘୋଷଣା କରିଛନ୍ତି ଯେ ଆପ୍ ୨୦୨୫ରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ଏକାକୀ ଲଢ଼ିବ ଏବଂ ବହୁମତ ସହିତ ସରକାର ଗଠନ କରିବ।
ଘାନା ପରେ ତ୍ରିନିଦାଦରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
ତ୍ରିନିଦାଦ ଏବଂ ଟୋବାଗୋ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଠାରେ ଏକ କାର୍ଯ୍ୟକ୍ରମରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଥିଲେ। ବିହାରର ଐତିହ୍ୟ ବିଷୟରେ କହିବା ସମୟରେ ସେ ପ୍ରଧାନମନ୍ତ୍ରୀ କମଳାଙ୍କୁ 'ବିହାରର ଝିଅ' ବୋଲି ବର୍ଣ୍ଣନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, 'ପ୍ରଧାନମନ୍ତ୍ରୀ କମଳା ଜୀଙ୍କ ପୂର୍ବପୁରୁଷମାନେ ବିହାରର ବକ୍ସରରେ ରହୁଥିଲେ। କମଳା ଜୀ ନିଜେ ସେଠାକୁ ଯାଇଛନ୍ତି। ଭାରତର ଲୋକମାନେ ତାଙ୍କୁ ବିହାରର ଝିଅ ବୋଲି ମାନିଥାନ୍ତି। ଏଠାରେ ଉପସ୍ଥିତ ଅନେକ ଲୋକଙ୍କ ପୂର୍ବପୁରୁଷ ବିହାରରୁ ଆସିଛନ୍ତି।'
ବର୍ମିଂହାମ୍ ଟେଷ୍ଟରେ ରେକର୍ଡ ବର୍ଷା : ଗିଲ୍ଙ୍କ ୨୬୯, ଭାରତ ୫୮୭
ବର୍ମିଂହାମ୍ ଟେଷ୍ଟରେ ଅଧିନାୟକ ଭାବେ ଶୁବମନ ଗିଲ୍ଙ୍କ ରେକର୍ଡ ଭରା ମାରାଥନ୍ ଦ୍ବିଶତକ । ସେ ୩୮୭ ବଲ୍ରେ ୨୬୯ ରନ୍ କରିଛନ୍ତି । ୫୦୯ ମିନିଟ୍ ବ୍ୟାଟିଂ କରି ନିଜ ପାଳିରେ ୩୦ଟି ଚୌକା ଓ ୩ ଛକା ମାରିଛନ୍ତି । ଏହା ପରେ ବୋଲର୍ଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍ରେ ଭାରତ ପ୍ରାଧାନ୍ୟ ବିସ୍ତାର କରିଛି । ରବୀନ୍ଦ୍ର ଜାଡ଼େଜା (୮୯)ଙ୍କ ସହ ମିଶି ଦ୍ବିଶତକୀୟ (୨୦୩) ଏବଂ ୱାସିଂଟନ୍ ସୁନ୍ଦର (୪୨)ଙ୍କ ସହ ମିଶି ଶତକୀୟ (୧୪୪) ଭାଗୀଦାରି କରି ଶୁବମନ ଗିଲ୍ ମଧ୍ୟ ଭାରତକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଛନ୍ତି । ଭାରତର ପ୍ରଥମ ପାଳି ୫୮୭ ରନ୍ରେ ଶେଷ ହୋଇଛି । ଜବାବରେ ଇଂଲଣ୍ଡ ୨୫ ରନ୍ ଭିତରେ ୩ ୱିକେଟ୍ ହରାଇ (ଡକେଟ୍, ପୋପ୍, କ୍ରଲି) ପ୍ରାରମ୍ଭିକ ସଙ୍କଟ (୭୭/୩)ରେ ପଡ଼ିଛି ।