1. ଆମେରିକାର ଛଳନାକୁ ପଦାରେ ପକାଇଲେ ଭାରତ
ନିଜର ଅର୍ଥନୀତିକ ସୁରକ୍ଷା ଓ ଜାତୀୟ ସ୍ୱାର୍ଥରକ୍ଷା ଉଦ୍ଦେଶ୍ୟରେ ଭାରତ ଋଷ ସହ କାରବାର କରୁଛି। କିନ୍ତୁ ଆମେରିକା ନିଜର ଆଣବିକ ଶକ୍ତି କ୍ଷେତ୍ର, ସାର, ରସାୟନ ଏବଂ ଇଭି ସାମଗ୍ରୀ ଋଷରୁ କିଣିବା ଜାରି ରଖିଛି ବୋଲି କହିଛି ଭାରତ। ଋଷ ସହ ଭାରତର କାରବାର ଆନ୍ତର୍ଜାତିକ ବଜାରରେ ଶକ୍ତି ସୁରକ୍ଷାକୁ ପ୍ରୋତ୍ସାହିତ କରିବାଲାଗି ଉଦ୍ଦିଷ୍ଟ। ଏପରିକି ଭାରତ ଯେତିକି ଋଷ ସହ ବାଣିଜ କରୁଛି ତାହାର ଢେରଗୁଣା ଅଧିକ କାରବାର ୟୁରୋପ ଓ ଆମେରିକା କରୁଛି ବୋଲି ଭାରତ କହିଛି। ଏହାସହ ଭାରତକୁ ଟାର୍ଗେଟ କରାଯାଉଛି ବୋଲି ସ୍ପଷ୍ଟ କରିଛି ଭାରତ। ଏହାଦ୍ୱାରା ଆମେରିକାର ଭାରତ ବିରୋଧୀ ମୁଖା ଉନ୍ମୋଚନ ହୋଇଛି।
2. ଭାରତ ସମ୍ପର୍କରେ ୟୁକ୍ରେନ ଆଣିଲା ଅଭିଯୋଗ
ୟୁକ୍ରେନ୍ ଉପରେ ଆକ୍ରମଣ ପାଇଁ ଋଷ ବ୍ୟବହାର କରୁଥିବା ଡ୍ରୋନରେ ଇଲେକ୍ଟ୍ରନିକ ଯନ୍ତ୍ରାଂଶ ଭାରତରେ ତିଆରି ବା ଏକତ୍ରିତ କରାଯାଉଥିବା ନେଇ ୟୁକ୍ରେନ ଅଭିଯୋଗ କରିଛି। ଏନେଇ ୟୁରୋପୀୟ ରାଷ୍ଟ୍ରଙ୍କୁ ଏ ବାବଦରେ ସ୍ପଷ୍ଟ ଜଣାଇଛି ୟୁକ୍ରେନ୍। ଋଷ ଇରାନ୍ରୁ ଆଣିଥିବା ଡ୍ରୋନରେ ଆକ୍ରମଣ କରୁଥିବା ଦର୍ଶାଯାଇଛି ।
3. ଏନଡିଏ ସଦସ୍ୟଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନ୍ଡିଏର ସଦସ୍ୟ ଓ ନେତାମାନଙ୍କ ସହ ଆଲୋଚନା କରିବେ। ଆସନ୍ତା ୭ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହେଉଥିବା ପରିସ୍ଥିତିରେ ଏହି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ସ୍ଥିତିରେ ସଂସଦରେ ଅଚଳାବସ୍ଥା ଜାରି ରହିଛି। ଏଣୁ ପ୍ରଧାନମନ୍ତ୍ରୀଙ୍କ ଏହି ବୈଠକ ଅନ୍ୟ ଦିଗ ପ୍ରତି ମଧ୍ୟ ଇଙ୍ଗିତ କରୁଛି।
4. ରାଷ୍ଟ୍ରପତିଙ୍କୁ ଗୃହବନ୍ଦୀ
ବ୍ରାଜିଲ୍ର ପୂର୍ବତନ ରାଷ୍ଟ୍ରପତି ଜାଏର ବଲସୋନାରୋଙ୍କୁ ଗୃହବନ୍ଦୀ କରି ରଖିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୨ ନିର୍ବଚନରେ ହାରିବା ସତ୍ତ୍ୱେ ସେ ରାଷ୍ଟ୍ରର ନିର୍ବାଚିତ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ ହୋଇଛି। ବଲସୋନାରୋ ହେଉଛନ୍ତି ଆମେରିକାର ଜଣେ ସମର୍ଥକ। ଏବେ ଆମେରିକା ସହ ବ୍ରାଜିଲର ବାଣିଜ୍ୟ ଯୁଦ୍ଧ ଚାଲିଛି।
5. ସଂସଦରେ ଅଚଳାବସ୍ଥା
ସଂସଦରେ ଅଚଳାବସ୍ଥା ଆଜିବି ଜାରି ରହିବା ଆଶଙ୍କା ରହିଛି। ନିର୍ବାଚନ ମୁହାଁ ବିହାରରେ ଚାଲିଥିବା ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁନେଇ ବିରୋଧୀ ଓ ଶାସକଙ୍କ ଭିତରେ କୌଣସି ଆଲୋଚନା ସମ୍ଭବ ହୋଇପାରୁ ନଥିବାରୁ ଆଗକୁ ଏହା ଜାରି ରହିବ ବୋଲି ଆଶଙ୍କା କରାଯାଉଛି।
6. ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ
ବିରୋଧିଦଳ ନେତା ରାହୁଲ ଗାନ୍ଧିଙ୍କୁ ଭର୍ତ୍ସନା କରିଛନ୍ତି ସୁପ୍ରିମ କୋର୍ଟ। ୨ ହଜାର କିଲୋମିଟରରୁ ଅଧିକ ଭାରତୀୟ ଅଞ୍ଚଳକୁ ଚୀନ ଦଖଲ କରିଥିବା ନେଇ ଲୋକସଭାରେ କହିଥିଲେ ରାହୁଲ। ଏହାସହ ଭାରତୀୟ ସୈନିକଙ୍କୁ ଚୀନ ସେନା ମାଡ଼ ମାରିଥିବା ବି ସେ କହିଥିଲେ। ଏ ନେଇ ଆସିଥିବା ମାନହାନୀ ମାମଲାର ଶୁଣାଣୀ ସ୍ଥଗିତ କରିବା ସହ ଏପରି କଥା ଜଣେ ପ୍ରକୃତ ଭାରତୀୟ କହିବ ନାହିଁ ବୋଲି କୋର୍ଟ କହିଛନ୍ତି।
7. ଗିରଫ ହେଲେ ଏମଭିଆଇ
ନିଜ ଆୟ ଠାରୁ ୬୩୦ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିବା ବୌଦ୍ଧ ଏମ୍ଭିଆଇ ଗୋଲାପ ଚନ୍ଦ୍ର ହାଁସଦାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଦୁଇଦିନ ଚଢ଼ଉ କରିବା ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତାଙ୍କ ପାଖରେ ୪୪ ଆବାସିକ ପ୍ଲଟ, ୧ ବହୁତଳ ପ୍ରାସାଦ, ୧ କିଲୋ ସୁନା, ୧କୋଟି ୩୪ ଲକ୍ଷ ଟଙ୍କା ନଗଦ ଜମା ଜବତ କରାଯାଇଛି।
8. ୪ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା
ବିଜେଡି ପକ୍ଷରୁ ୪ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି। ଗଞ୍ଜାମ ଜିଲ୍ଲାପାଇଁ ବିକ୍ରମ କେଶରୀ ପଣ୍ଡାଙ୍କୁ ସଭାପତି ଭାବେ ଘୋଷଣା କରାଯାଇଥିବାବେଳେ, କେନ୍ଦ୍ରାପଡ଼ାର ନୂଆ ଜିଲ୍ଲା ସଭାପତି ହୋଇଛନ୍ତି ଶିବ ପ୍ରସାଦ ଭୋଇ। ସେହିପରି କଳାହାଣ୍ଡି ପାଇଁ ପ୍ରଦୀପକୁମାର ଦିଶାରୀ ଓ କଟକ ଜିଲ୍ଲା ପାଇଁ ପ୍ରଫୁଲ୍ଲ ସିଂହଙ୍କୁ ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।
9. ବିଷ୍ଣୁପଦ ସେଠୀଙ୍କ ଆଗୁଆ ଜାମିନ ଖାରଜ
ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଆଗୁଆ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ପୂର୍ବର ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। କେନ୍ଦ୍ର ସରକାରଙ୍କ ବ୍ରିୀଜ୍ ଆଣ୍ଡ ରୁଫ୍ କର୍ପୋରେସନ୍ ଏମ୍ଡିଙ୍କ ଲାଞ୍ଚ ନେବା ଘଟଣାରେ ତାଙ୍କ ସମ୍ପୃକ୍ତି ଥିବା ନେଇ ସିବିଆଇ ମାମଲା ରୁଜୁ କରି ତଦନ୍ତ କରୁଛି।
10. ପୁରୀରେ ହରତାଳ କରିବ ବିଜେଡି଼
ଆସନ୍ତା ୭ ତାରିଖରେ ପୁରୀରେ ହରତାଳ କରିବ ବିଜେଡି। ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ପ୍ରତିବାଦ କରି ବିଜେଡି ଏହି ଆନ୍ଦୋଳନ କରିବାକୁ ଘୋଷଣା କରିଛି। ଏହି ସମୟରେ ଦୋକାନ, ବଜାର ସହ ଗାଡ଼ ମୋଟର ଚଳାଚଳକୁ ବନ୍ଦ କରିବେ ଦଳର କର୍ମୀ। ସକାଳ ୬ଟାରୁ ଦିନ ୧୨ଟା ଯାଏ ଏହି ହରତାଳ ଚାଲିବ।