Hindi News >>Home >>Top 10 News

Top 10 News Today: ଉତ୍କଟ ଦାରିଦ୍ର୍ୟରୁ ମୁକୁଳିଛନ୍ତି ୨୭ କୋଟି ଭାରତୀୟ, ୫ ହଜାର ଡେଇଁଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓ ସକାଳର ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Advertisement
Top 10 News Today: ଉତ୍କଟ ଦାରିଦ୍ର୍ୟରୁ ମୁକୁଳିଛନ୍ତି ୨୭ କୋଟି ଭାରତୀୟ, ୫ ହଜାର ଡେଇଁଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓ ସକାଳର ୧୦ ବଡ଼ ଖବର
Prabhudatta Moharana|Updated: Jun 08, 2025, 08:22 AM IST
Share

ବିଶ୍ଵବ୍ୟାଙ୍କ ରିପୋର୍ଟ: ଉତ୍କଟ ଦାରିଦ୍ର୍ୟରୁ ମୁକୁଳିଛନ୍ତି ୨୭ କୋଟି ଭାରତୀୟ
ଦାରିଦ୍ର୍ୟ ହ୍ରାସ କ୍ଷେତ୍ରରେ ଭାରତ ବିଗତ ଦଶନ୍ଧିରେ ବଡ଼ ଅଗ୍ରଗତି କରିଛି। ଭାରତରେ ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ବସବାସ କରୁଥିବା ଲୋକଙ୍କ ସଂଖ୍ୟା ୨୦୧୧-୧୨ରେ ୩୪.୪୪ କୋଟି ରହିଥିଲା। ୨୦୨୨-୨୩ରେ ଏହି ସଂଖ୍ୟା ହ୍ରାସ ପାଇ ୭.୫୨ କୋଟିରେ ରହିଛି। ଅର୍ଥାତ୍‌ ପ୍ରାୟ ୨୭ କୋଟି ଲୋକ ଏହି ସମୟ ଭିତରେ ଉତ୍କଟ ଦାରିଦ୍ର୍ୟ କବଳରୁ ମୁକ୍ତ ହେବାରେ ସକ୍ଷମ ହୋଇଛନ୍ତି। ୨୦୧୧-୧୨ରେ ଭାରତରେ ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ଦେଶର ମୋଟ ଜନସଂଖ୍ୟାର ୨୭.୧ ପ୍ରତିଶତ ଲୋକ ବାସ କରୁଥିଲେ। ୨୦୨୨-୨୩ ବେଳକୁ ଏହା ୫.୩ ପ୍ରତିଶତକୁ ଖସିଆସିଛି। ବିଶ୍ବବ୍ୟାଙ୍କର ସଦ୍ୟତମ ବିଶ୍ବ ଦାରିଦ୍ର୍ୟ ତଥ୍ୟରୁ ଏହା ଜଣାଯାଇଛି। 

୫ ହଜାର ଡେଇଁଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା; ଗାଇଡ୍ ଲାଇନ୍ ଫେରିଲା
ସାରାଦେଶ ସହ ରାଜ୍ୟରେ ବି ଉପରମୁହାଁ କରେନା ଟ୍ରେଣ୍ଡ୍। ଦେଶରେ କୋଭିଡ୍ ପଜିଟିଭ୍ ସଂଖ୍ୟା ୫ ହଜାର ୭୫୦ ଟପିଥିବା ବେଳେ ଓଡ଼ିଶାରେ ୩୮ରେ ପହଞ୍ଚିଲାଣି। ଏସବୁ ଭିତରେ କୋଭିଡ୍‌କୁ ନେଇ ରାଜ୍ୟଗୁଡ଼ିକ ଲାଗି କେନ୍ଦ୍ର ଜାରି କରିଛି ଗାଇଡ ଲାଇନ ଓ ପବ୍ଲିକ୍ ଆଡଭାଇଜରି। କୋଭିଡ ମାଡ଼ିଲା, ଗାଇଡ୍ ଲାଇନ୍ ଫେରିଲା । ଜାରି ହେଲା ପବ୍ଲିକ୍ ଆଡ୍ଭାଇଜରି । ପ୍ରତିଦିନ ଶହ ଶହ ସଂଖ୍ୟାରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ରାଜ୍ୟଗୁଡ଼ିକ ସହ ବୈଠକ ପରେ କୋଭିଡ୍ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର। ରାଜ୍ୟଗୁଡ଼ିକୁ ଅକ୍ସିଜେନ୍, ଆଇସୋଲେସନ ବେଡ୍, ଭେଣ୍ଟିଲେଟର ଓ ଆବଶ୍ୟକ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। 

ଆଉ ୩୦୦ କେଜି ବିସ୍ଫୋରକ ଜବତ
ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍‌ ଅନ୍ତର୍ଗତ ବାଙ୍କୋ ପଥର ଖଣିରୁ ମାଓବାଦୀଙ୍କ ଦ୍ବାରା ଲୁଟ୍‌ ହୋଇଥିବା ଆଉ କିଛି ବିସ୍ଫୋରକ ଆଜି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲ ତିରିଲପୋଷିରୁ ଜବତ ହୋଇଛି। ସିଆର୍‌ପିଏଫ୍‌ କୋବ୍ରା ବାଟାଲିୟନ୍‌, ଝାଡ଼ଖଣ୍ଡ ଜାଗୁଆର, ଡିଭିଏଫ୍‌ ଓ ଏସ୍‌ଓଜି ଟିମ୍‌ ପକ୍ଷରୁ ମିଳିତ ସର୍ଚ ଅପରେସନ୍‌ ଚାଲିଥିବା ସମୟରେ ମାଟିତଳେ ଲୁଚାଇ ରଖାଯାଇଥିବା ୩୦୦ କେଜିରୁ ଅଧିକ ବିସ୍ଫୋରକ ଜବତ କରାଯାଇଛି। ଓଡ଼ିଶା ସୀମାରୁ ୭ କିମି ଦୂର ଝାଡ଼ଖଣ୍ଡ ଜରେଇକେଲା ତିରିଲପୋଷି ସରଣ୍ଡା ଜଙ୍ଗଲର ବିଟିକିଲ୍‌ସୋୟା, ବାଡ଼ିକୁଦର, ଟୟୋ, ଜାମଡ଼ା ଆଦି ଜାଗାରେ ମାଓବାଦୀମାନେ ଲୁଟ୍‌ ବିସ୍ଫୋରକ ଲୁଚାଇ ରଖିଥିଲେ।

ଫୁଲବାଣୀ ମେଡିକାଲ କଲେଜ ଉଦ୍‌ଘାଟିତ
ଶନିବାର କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫୁଲବାଣୀଠାରେ ୧୦୦ ଆସନ ବିଶିଷ୍ଟ ମେଡିକାଲ କଲେଜ ଏବଂ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍‌ର ଉଦ୍‌ଘାଟନ କରିଛନ୍ତି। ଏହାସହ କନ୍ଧମାଳ ଜିଲ୍ଲାର ବିକାଶ ପାଇଁ ୭୫୦ କୋଟି ଟଙ୍କାର ୧୦ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ମେଡିକାଲ କଲେଜ ଲୋକାର୍ପିତ ହେବା ଫଳରେ ଜିଲ୍ଲାବାସୀଙ୍କର ବହୁଦିନର ସ୍ବପ୍ନ ସାକାର ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ‌କନ୍ଧମାଳ ମେଡିକାଲ କଲେଜ କେବଳ ଚିକିତ୍ସା ଶିକ୍ଷା ପ୍ରଦାନ କରିବ ତାହା ନୁହେଁ, ବରଂ ଏହା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ।

ଖୋଲିବ ମହାପ୍ରଭୁଙ୍କ ଡିଜିଟାଲ୍ ହୁଣ୍ଡି
ଜଗନ୍ନାଥ ଭକ୍ତଙ୍କ ପାଇଁ ଖୁସି ଖବର। ଏଣିକି ଶ୍ରୀ ମନ୍ଦିରକୁ ଦାନ ଦକ୍ଷିଣା ଦେବା ପାଇଁ ଆଉ ଦାତାଙ୍କୁ ପୁରୀ ଆସିବାକୁ ପଡ଼ିବ ନାହିଁ । ଶ୍ରୀ ମନ୍ଦିର ପାଇଁ ଆରମ୍ଭ ହେବ ଡିଜିଟାଲ ହୁଣ୍ଡି । ବିଭିନ୍ନ ବ୍ୟାଙ୍କରେ ମଧ୍ୟ ଡିଜିଟାଲ ହୁଣ୍ଡି ରଖିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ସବୁ ବ୍ୟାଙ୍କର ସିଏମଡିଙ୍କ ସହ ଆଲୋଚନା ହୋଇଛି । ଏ ନେଇ ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ସୂଚନା ଦେଇଛନ୍ତି  । ସେହିଭଳି ସେ କହିଛନ୍ତି ମହାପ୍ରଭୁଙ୍କ ଶୁଖିଲା ଭୋଗ ବିଦେଶକୁ ପଠେଇବା ପାଇଁ ସରକାର ଯୋଜନା କରିଛନ୍ତି । ମୁକ୍ତି ମଣ୍ଡପର ପରାମର୍ଶ କ୍ରମେ ପଦକ୍ଷେପ ଗ୍ରହଣ କରାଯିବ। ଉତ୍ତରପ୍ରଦେଶର ଏକ କୋରିୟର ସଂସ୍ଥା ସହ ଏ ସମ୍ପର୍କରେ ଆଲୋଚନା ହୋଇଛି । 

୨୦ରେ ଆସିବେ ପ୍ରଧାନମନ୍ତ୍ରୀ
ରାଜ୍ୟରେ ବିଜେପି ସରକାରଙ୍କ ପ୍ରଥମ ବାର୍ଷିକୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ ୨୦ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ପ୍ରଥମେ ଜୁନ୍ ୧୨ ତାରିଖରେ ଗସ୍ତ ପାଇଁ ଯୋଜନା କରାଯାଇଥିଲା କିନ୍ତୁ ପୂର୍ବ କାର୍ଯ୍ୟ ଯୋଗୁଁ ଏହାକୁ ପୁନଃନିର୍ଦ୍ଧାରିତ କରାଯାଇଥିବା ମନ୍ତ୍ରୀ ସୁରେଶ ପୂଜାରୀ ଶନିବାର ଦିନ ନିଶ୍ଚିତ କରିଛନ୍ତି।

୨୦୨୬ରେ ଭାରତ ଆୟୋଜନ କରିବ ସମ୍ମିଳନୀ
ଆସନ୍ତା ୨୦୨୬ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରିବ ଭାରତ। ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ବ୍ରାଜିଲର ବ୍ରାସିଲିଆଠାରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀର ଉଦଦାପନୀ ଦିବସରେ ଏ ନେଇ ଘୋଷଣା କରିଛନ୍ତି। ଏହି ଅବସରରେ ବ୍ରିକ୍ସ ରାଷ୍ଟ୍ର ସମୂହ ଭାରତର ଜାମ୍ମୁ-କାଶ୍ମୀର ଅନ୍ତର୍ଗତ ପହଲଗାଓଁରେ ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ମିଳିତ ଭାବେ ଦୃଢ଼ ନିନ୍ଦା କରିଥିଲେ। ଏହା ସହିତ ଆତଙ୍କବାଦ ବିରୋଧରେ ଗଠନମୂଳକ ଭାବେ ଶୂନ୍ୟ ସହନଶୀଳ ନୀତି ଆପଣାଇବାକୁ ରାଷ୍ଟ୍ରଗୁଡ଼ିକ ଆହ୍ବାନ କରିଛନ୍ତି। ଚୂଡ଼ାନ୍ତ ଘୋଷଣାନାମାରେ ବ୍ରିକ୍ସ ରାଷ୍ଟ୍ରସମୂହ ଏକତ୍ର ହୋଇ ଆତଙ୍କବାଦ ବିରୋଧରେ ଲଢ଼େଇ କରିବାକୁ ସହମତି ପ୍ରକାଶ କରିଛନ୍ତି।

ନବରଙ୍ଗପୁର ଜିଲ୍ଲା ଚାଷୀ ମହାସଂଘର ଧାରଣା ଜାରି
ନବରଙ୍ଗପୁର ଜିଲ୍ଲା ଚାଷୀ ମହାସଂଘ ପକ୍ଷରୁ ଭୁବନେଶ୍ୱରସ୍ଥିତ ଲୋୟର ପିଏମ୍‌ଜିଠାରେ ଅନୁଷ୍ଠିତ ଅହୋରାତ୍ର ଧାରଣା ଦ୍ୱିତୀୟ ଦିନରେ ପହଞ୍ଚିଛି । ୪ ଦଫା ଦାବିକୁ ନେଇ ୭ ଦିନ ବ୍ୟାପୀ ଏହି ଧାରଣା ଚାଲୁ ରହିବ । ଏହି ଧାରଣାରେ ଉପସ୍ଥିତ ରହୁଥିବା ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ କହିଛନ୍ତି ଯେ, ରାଇଘରର ଚାଷୀ ୪ ମାସ ହେଲା ମଣ୍ଡିରେ ଧାନ ବିକି ଏପର୍ଯ୍ୟନ୍ତ ଧାନର ପ୍ରାପ୍ୟ ପାଇ ନାହାଁନ୍ତି । ସେମାନେ ଋଣ କରି ଚାଷ କରିଥିଲେ । ଭାବିଥିଲେ ଧାନ ବିକ୍ରି ଟଙ୍କା ମିଳିଲେ ଋଣ ପରିଶୋଧ କରିବେ । ମାତ୍ର ସରକାର ୪ ମାସ ହେବ ଚାଷୀଙ୍କ ଧାନ ବିକ୍ରି ଟଙ୍କା ନ ଦେବା ଫଳରେ ସେମାନଙ୍କର ଋଣ ଭାର ବଢି ବଢି ଚାଲିଛି । ରାଇଘର ବ୍ଲକର ୩୪୪ଜଣ ଚାଷୀଙ୍କର  ସାଢେ ଚାରିକୋଟି ଟଙ୍କା କେବେ ସରକାର ଦେବେ ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି । 

ଆସାମରେ ବନ୍ୟା ବିତ୍ପାତ 
ଆସାମ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ତେବେ ୧୪ଟି ଜିଲ୍ଲାର ୪ ଲକ୍ଷ ୩୦ ହଜାରରୁ ଅଧିକ ଲୋକ ଏବେ ବି ବନ୍ୟା ପ୍ରଭାବରେ ରହିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ବନ୍ୟା ଯୋଗୁଁ କୌଣସି ଲୋକ ପ୍ରାଣ ହରାଇଥିବା ଖବର ମିଳିନାହିଁ। ବନ୍ୟା ଯୋଗୁଁ ସାରା ରାଜ୍ୟରେ ପ୍ରାୟ ୧୨୦୦ ଗ୍ରାମ ଏବଂ ୧୬ ହଜାର ହେକ୍ଟରରୁ ଅଧିକ ଫସଲ ନଷ୍ଟ ହୋଇଛି। ଆଜି ସାତଟି ସ୍ଥାନରେ ବନ୍ଧ ଭାଙ୍ଗିଯାଇଥିବା ସୂଚନା ମିଳିଛି। ରାଜ୍ୟ ସରକାର ଉଦ୍ଧାର କାର୍ଯ୍ୟ ପାଇଁ ଏସଡିଆରଏଫ ଟିମକୁ ନିୟୋଜିତ କରିଛନ୍ତି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ୪୦ ହଜାରରୁ ଅଧିକ ଲୋକ ୧୫୬ଟି ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି।

ରୁଦ୍ରପ୍ରୟାଗରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
ଶନିବାର ଦିନ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳି ଯାଇଛି। ଏଠାରେ ରାସ୍ତା ମଝିରେ ଏକ ଘରୋଇ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ଏବଂ ଏହାର ପଛ ପାର୍ଶ୍ୱ ଭୂମିରେ ଠିଆ ହୋଇଥିବା ଏକ କାର ସହିତ ଧକ୍କା ହୋଇଛି। ଉତ୍ତରାଖଣ୍ଡର ଏଡିଜି, ଆଇନ ଏବଂ ଶୃଙ୍ଖଳା, ଭି ମୁରୁଗେସନ କହିଛନ୍ତି ଯେ ଗୁପ୍ତକାଶୀ ଅଞ୍ଚଳରେ ଏହି ଘଟଣା ଘଟିଥିଲା ​​ଯେତେବେଳେ ପାଇଲଟ୍ ଏକ ଯାନ୍ତ୍ରିକ ତ୍ରୁଟି ଦେଖିଥିଲେ, ଯାହା ପରେ ତାଙ୍କୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା।

Read More
{}{}