Top 10 News Headlines 23 July 2025: H1. ବିଧାନସଭାର ମୌସୁମୀ ଅଧିବେଶନରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ରାଜ୍ୟ କଂଗ୍ରେସ। ଏହାକୁ ନେଇ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଘୋଷଣା କରିଛନ୍ତି। ତେବେ ବିଜେଡି ଏହି ପ୍ରସ୍ତାବକୁ ସମର୍ଥନ କରିବ କି ନା ତାହା ସ୍ପଷ୍ଟ କରି ନାହିଁ। ପ୍ରଥମେ ମୌସୁମୀ ଅଧିବେଶନର ତାରିଖ ସ୍ଥିର ଓ ପରେ ଏ ବାବଦରେ ବିଧାୟକ ଦଳ ନିଷ୍ପତ୍ତି ନେବ ବୋଲି ଦଳର ବରିଷ୍ଠ ଉପସଭାପତି କହିଛନ୍ତି। ବାଲେଶ୍ୱର ଘଟଣାକୁ ନେଇ କଂଗ୍ରେସ ଏପରି ପଦକ୍ଷେପ ନେବାକୁ ଯାଉଛି।
2. କଲେଜ ଗୁଡ଼ିକରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ନେଇ ରିପୋର୍ଟ ଦେଇ ନଥିବା ଅନୁଷ୍ଠାନ ଗୁଡ଼ିକର କର୍ମଚାରୀ ଓ ଶିକ୍ଷକଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ ଦତାତ୍ରେୟ ଭାଉସାହେବ ସିଣ୍ଡେ। ଜୁଲାଇ ୨୧ ତାରିଖ ବିଜ୍ଞପ୍ତି ଅନୁସାରେ ସମସ୍ତ କଲେଜ ମୁଖ୍ୟଙ୍କୁ ସେମାନଙ୍କ କଲେଜରେ ଗଠିତ କମିଟି ସମ୍ପର୍କିତ ବିବରଣୀ ଦେବାକୁ କୁହାଯାଇଥିଲା। କିନ୍ତୁ ୨୧୦ କଲେଜରୁ ଅଳ୍ପ କିଛି କଲେଜ ଏଥିପ୍ରତି ଦୃଷ୍ଟି ଦେଇଥିବା ଜଣାପଡ଼ିଛି।
3. ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ ଯୋଗୁଁ ଏକ ଦୁଃଖଦ ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଢେଙ୍କାନାଳ, ପୁରୀ, କେନ୍ଦୁଝର ଏବଂ କଟକ ଜିଲାରେ ଏହି ଅଘଟଣଗୁଡ଼ିକ ଘଟିଛି। ବିଶେଷକରି ବିଲରେ କାମ କରୁଥିବା ସମୟରେ ସେମାନଙ୍କ ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି।
4. ରାଜ୍ୟରେ ପ୍ରସ୍ତାବିତ ୫୬ଟି ଜେଏମ୍ଏଫ୍ସି କୋରତ୍ଟ ପ୍ରତିଷ୍ଠା ଲାଗି ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହିକ୍ରମରେ ଏହି କୋର୍ଟଗୁଡ଼ିକ ଲାଗି ୮୪୦ଟି ପଦବୀ ସୃଷ୍ଟି କରାଯାଇଛି। ୨୩ଟି ଜିଲ୍ଲାରେ ଏହି କୋର୍ଟଗୁଡ଼ିକ ଖୋଲାଯିବ। ଏଥିଲାଗି ଆକାଉଣ୍ଟାଣ୍ଟ ଜେନେରାଲ୍ଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।
5. ଦିଲ୍ଲୀରେ ବିଜେପି ରାଜ୍ୟ ସଭାପତି ମନମୋହନ ସିଂହ। ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାର ମଧ୍ୟ ତାଙ୍କ ସହ ଉପସ୍ଥିତ ହୋଇଛନ୍ତି। ଏହି ଦୁଇଜଣ ଆଜି ସନ୍ଧ୍ୟାରେ ବିଜେପିର ଓଡ଼ିଶା ସାଂସଦମାନଙ୍କୁ ଭେଟିଛନ୍ତି। ଏହି ସମୟରେ ରାଜ୍ୟର କେଉଁ ପ୍ରସଙ୍ଗକୁ କିପରି ଆଲୋଚନା କରାଯାଇପାରିବ ସେ ସମ୍ପର୍କରେ ସେମାନେ ଆଲୋଚନା କରିଛନ୍ତି।
6. ପୂର୍ବତନ ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ଼ ବିରୋଧୀ ଦଳର କୌଣସି ସଦସ୍ୟଙ୍କୁ ଭେଟିବା ପାଇଁ ମନା କରି ଦେଇଥିବା ସୂଚନା ମିଳିଛି। ସେ ଖୁବ୍ଶୀଘ୍ର ନିଜ ସରକାରୀ ଗୃହକୁ ଖାଲି କରିବାକୁ ଯାଉଛନ୍ତି। ସୋମବାର ରାତିରେ ସେ ନିଜର ଇସ୍ତଫା ପତ୍ର ଦେଇଥିଲେ। ଏବଂ ରାଷ୍ଟ୍ରପତି ତାହାକୁ ମଙ୍ଗଳବାରଦିନ ଗ୍ରହଣ କରିଛନ୍ତି। ନିଜ ସ୍ୱାସ୍ଥ୍ୟଗତ କାରଣକୁ ନେଇ ସେ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି।
7. ଉପରାଷ୍ଟ୍ରପତିଙ୍କ ଇସ୍ତଫା ପରେ ସେହି ସ୍ଥାନ ଖାଲି ପଡ଼ିଛି। ସମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଏହି ପଦବୀ ପୂରଣ କରିବା ପାଇଁ ନିର୍ବାଚନ କମିଶନ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଉଭୟ ଲୋକସଭା ଓ ରାଜ୍ୟ ସଭାର ସମସ୍ତ ସଦସ୍ୟ ଏଥିପାଇଁ ଗଠିତ ଇଲେକ୍ଟୋରାଲ୍ କଲେଜର ସଦସ୍ୟ ହେବେ। ସେମାନଙ୍କ ଭୋଟ ଆଧାରରେ କିଏ ପରବର୍ତ୍ତୀ ଉପ ରାଷ୍ଟ୍ରପତି ତଥା ରାଜ୍ୟ ସଭା ଅସଦସ୍ୟ ହେବେ ତାହା ଜଣାପଡ଼ିବ।
8. ଆଜି ତୃତୀୟ ଦିନ ପାଇଁ ସଂସଦ କାର୍ଯ୍ୟ ଅଚଳ ରହିଛି। ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ବିରୋଧୀ ଦଳର ସଦସ୍ୟମାନେ ଆଲୋଚନା କରିବାକୁ ପ୍ରସ୍ତୁତ ନ ହେବାରୁ ଆଜି ସଂସଦରେ ଗୋଆ ବିଧାନସଭାରେ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ସମ୍ବନ୍ଧୀୟ ବିଧେୟକ ଆସିପାରି ନାହିଁ।
9. ଯାତ୍ରୀଙ୍କ ଟିକେଟ ମୂଲ୍ୟର ୪୫ ପ୍ରତିଶତ ରେଳବାଇ ସବ୍ସିଡି ଆକାରରେ ପ୍ରଦାନ କରୁଛି। ୨୦୨୩-୨୪ ବର୍ଷର ରିପୋର୍ଟକୁ ଉପସ୍ଥାପନ କରିଛି ରେଳ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଲୋକସଭାରେ ସେ କହିଛନ୍ତି ଏହି ବର୍ଷ ୬୦ ହଜାର ୪୬୬ କୋଟି ଟଙ୍କା ସବ୍ସିଡି ଆକାରରେ ଦେଇଛି ରେଳ ବିଭାଗ।
10. ୨୮ ଜୁଲାଇରୁ ଆରମ୍ଭ ହେବ ସଂସଦରେ ଅପରେସନ୍ ସିନ୍ଦୂର ଚର୍ଚ୍ଚା। ଆଜି କାର୍ଯ୍ୟ ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୩୨ ଘଣ୍ଟାର ଏହା ମହାବିତର୍କ ହେବ ବୋଲି କୁହାଯାଉଛି। ଉଭୟ ଗୃହରେ ୧୬ ଘଣ୍ଟା ଲେଖାଏଁ ବିତର୍କ ପାଇଁ ସମୟ ସ୍ଥିର କରାଯାଇଛି। ପୂର୍ବରୁ ରାଜ୍ୟସଭାରେ ୯ ଘଣ୍ଟାର ବିତର୍କ ପାଇଁ ସ୍ଥିର କରାଯାଇଥିଲା।