୧ ଲକ୍ଷ ୩ ହଜାର ୯୦ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ
ନୂଆଦିଲ୍ଲୀରେ ଆୟୋଜିତ ଇନଭେଷ୍ଟ ଓଡିଶା ସମ୍ମିଳନୀ ଶେଷ କରି ବୁଧବାର ରାତିରେ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିମାନ ବନ୍ଦରରେ ସେ ସାମ୍ବାଦିକଙ୍କୁ ତାଙ୍କର ଗସ୍ତ ସଫଳତା ସଂପର୍କରେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିଳ୍ପ କ୍ଷେତ୍ରରେ ଅଗ୍ରଗତି ପାଇଁ ଉତ୍କର୍ଷ ଓଡିଶା ପରେ ନୂଆ ଦିଲ୍ଲୀରେ IOCL ସହିତ ଆମର MoU ଦ୍ୱିତୀୟ ଐତିହାସିକ ପଦକ୍ଷେପ। ଏପ୍ରିଲ ୭ ଓ ୮, ଏହି ଦୁଇ ଦିନ ଧରି, ମୁଁ HCL Technologyର ନୋଇଡା ସ୍ଥିତ କାର୍ଯ୍ୟାଳୟ ପରିଦର୍ଶନ କରିବା ସହିତ ଦିଲ୍ଲୀରେ ଅନେକ ଶିଳ୍ପପତିଙ୍କ ସହିତ ଆଲୋଚନା କରିଛି । HCL କୁ ମୁଁ ଓଡ଼ିଶାରେ କ୍ୟାମ୍ପସ୍ କରିବା ପାଇଁ ପ୍ରସ୍ତାବ ଦେଇଛି ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏ ସମ୍ପର୍କରେ ସକରାତ୍ମକ ମତାମତ ମିଳିଛି।
୨୬/୧୧ ଆକ୍ରମଣ ମାମଲା: ରାଣାକୁ ପ୍ରତ୍ୟର୍ପଣ କଲା ଆମେରିକା
୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହିବୁର ରାଣାକୁ ଆମେରିକା ଭାରତ ହାତରେ ଟେକି ଦେଇଛି। ଆସନ୍ତାକାଲି ସକାଳେ ଗୁଇନ୍ଦା ଓ ତଦନ୍ତକାରୀ ଅଧିକାରୀଙ୍କ ଏକ ସ୍ୱତନ୍ତ୍ର ଟିମ୍ ସହ ସେ ଭାରତରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏକ ସ୍ୱତନ୍ତ୍ର ବିମାନ ରାଣାକୁ ନେଇ ଭାରତ ଆସୁଛି ଏବଂ ନୂଆଦିଲ୍ଲୀରେ ପହଞ୍ଚିବା ପୂର୍ବରୁ ଏକ ଅଜ୍ଞାତ ସ୍ଥାନରେ ମଝିରେ କିଛି ସମୟ ଅଟକିବ ବୋଲି ସୂତ୍ରରୁ ପ୍ରକାଶ। ଆମେରିକାର ଏକ ଅଦାଲତଙ୍କ ସୁପାରିସକ୍ରମେ ଦିଲ୍ଲୀ ଓ ମୁମ୍ବାଇର ଦୁଇଟି ଜେଲରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
୨୫ ଜିଲ୍ଲାକୁ କାଳବୈଶାଖି ସତର୍କତା ଜାରି
ଲଘୁଚାପ ପ୍ରଭାବରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିଛି। ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବା ସହିତ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ବୌଦ୍ଧ ବ୍ୟତୀତ ରାଜ୍ୟର ସମସ୍ତ ସହରରେ ଦିନର ତାପମାତ୍ରା ୪୦ ଡିଗ୍ରି ତଳକୁ ଖସି ଆସିଛି। ଅଧିକାଂଶ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବା ସହ କୋରାପୁଟ, ରାୟଗଡ଼ା, ଦେବଗଡ଼, କଳାହାଣ୍ଡି ଜିଲ୍ଲାରେ ବର୍ଷା ହୋଇଛି। ଗୁରୁବାର ରାଜ୍ୟର ୨୫ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷାର ସମ୍ଭାବନା ରହିଛି। ୧୧ ଓ ୧୨ ତାରିଖରେ ଉପକୂଳ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ରହିବ ଏବଂ ୧୩ ତାରିଖଠାରୁ ପାଗରେ ପରିବର୍ତ୍ତନ ଆସିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ରାତି ଅଧରେ ସିରିଜ ଦୁର୍ଘଟଣା, ଜଣକର ଜୀବନହାନୀ
ବିଳମ୍ବିତ ରାତିରେ ରାଜଧାନୀରେ ସିରିଜ ଦୁର୍ଘଟଣା। ଟ୍ରକ ଦୁର୍ଘଟଣାରେ ଏକ କୁକୁଡା ଚିଆଁ ବୋଝେଇ ଗାଡ଼ି ଚାଳକଙ୍କ ଜୀବନ ହାନୀ ଘଟିଥିବା ବେଳେ ଦୁଇଟି ପୋଲିସ ଗାଡି ଚୁରମାର ହୋଇଯାଇଛି। ଏହି ଘଟଣା ରାତି ପ୍ରାୟ ୧୨.୧୦ ସମୟ ବେଳେ ଘଟିଛି ଏଭଳି ଦୁର୍ଘଟଣା । ବରମୁଣ୍ଡା-ଖଣ୍ଡଗିରି ଓଭରବ୍ରିଜ ଉପରେ ଗାଡ଼ିର ପଛ ଚକା ଲିକ୍ ହେବା ଯୋଗୁଁ ଡ୍ରାଇଭର ଜଣକ ନିଜ ଗାଡ଼ି ନମ୍ୱର୍ OD05W2184 ବଲେରୋ ମାକ୍ସିଟ୍ରକ୍ କୁ ଠିକ୍ କରୁଥିଲେ । ସେହି ସମୟରେ ଏକ ହାଇୱା ପଛପଟୁ ପିଟିଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ଦୁର୍ଘଟଣା ପରେ ସମାନ ହଇୱା ଫେରାର ହୋଇଯାଇଛି । ଘଟଣାସ୍ଥଳରେ ହିଁ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଚୀନ ଉପରେ ଟାରିଫକୁ ତତ୍କାଳ ୧୨୫% କୁ ବୃଦ୍ଧି
ଟାରିଫ ଉପରେ ୯୦ ଦିନିଆ ବ୍ରେକ ଲଗାଇଲେ ଟ୍ରମ୍ପ। ୭୫ରୁ ଅଧିକ ଦେଶକୁ ବଡ଼ ଆଶ୍ବସ୍ତି ଦେଇଛନ୍ତି ଆମେରିକା ରାଷ୍ଟ୍ରପତି। କିନ୍ତୁ ଚୀନକୁ ଦେଇଛି ଜୋରଦାର ଝଟକା। ଚୀନ ଉପରେ ଆହୁରି ପଡିଛି ଟାରିଫ ମାଡ଼। ୧୦୪ରୁ ୧୨୫ ପ୍ରତିଶତକୁ ଟାରିଫ ବଢାଇ ଦେଇଛନ୍ତି ଟ୍ରମ୍ପ। ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଏହା ଘୋଷଣା କରିଛନ୍ତି। ସେ ଚୀନ୍ ଉପରେ ପାରସ୍ପରିକ ଶୁଳ୍କକୁ ତୁରନ୍ତ ପ୍ରଭାବରେ ୧୨୫ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ଡୋନାଲ୍ଡ ଟ୍ରମ୍ପ ଚୀନକୁ କଡ଼ା ଚେତାବନୀ ଦେଇଛନ୍ତି ଏବଂ ଘୋଷଣା କରିଛନ୍ତି ଯେ ଆମେରିକା ଏବେ ଚୀନରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୧୨୫% ଶୁଳ୍କ ଲାଗୁ କରିବ, ଯାହା ତୁରନ୍ତ କାର୍ଯ୍ୟକାରୀ ହେବ।
ପାଣ୍ଡିଆନଙ୍କ ସମର୍ଥନରେ ବାହାରିଲେ ନବୀନ
ରାଜ୍ୟସଭାରେ ୱାକଫ ବିଲ୍ ଭୋଟକୁ ନେଇ ଦେଖାଦେଇଥିବା ବିବାଦ ମଧ୍ୟରେ ଭିକେ ପାଣ୍ଡିଆନଙ୍କୁ କ୍ଲିନଚିଟ ଦେଇଛନ୍ତି ନବୀନ ପଟ୍ଟନାୟକ। ସେ କହିଲେ, ପାଣ୍ଡିଆନ ଦଳ ଓ ରାଜ୍ୟ ପାଇଁ ଅନେକ କାମ କରିଛନ୍ତି । ୧୦ ମାସ ହେଲାଣି ପାଣ୍ଡିଆନ ଦଳ ଛାଡିଲେଣି । ବର୍ତ୍ତମାନ ସେ ଦଳୀୟ କାର୍ଯ୍ୟରେ ସଂଶ୍ଲୀଷ୍ଟ ନାହାନ୍ତି । ପ୍ରଭାତ ତ୍ରିପାଠୀ ଚିଟଫଣ୍ଡ କେସରେ ଜେଲ ଯାଇଥିଲେ । ଦଳରୁ ପ୍ରଭାତ ବହିଷ୍କୃତ ହୋଇଥିଲେ । ସେ ଦଳର କିଛି ନୁହେଁ ।
ଫ୍ରାନ୍ସରୁ ୨୬ଟି ରାଫେଲ କିଣିବ ଭାରତ
ଭାରତୀୟ ନୌସେନା ପାଇଁ ଫ୍ରାନ୍ସରୁ ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବାକୁ କ୍ୟାବିନେଟ୍ କମିଟି (CCS) ମେଗା ଡିଲ୍ କୁ ମଞ୍ଜୁରୀ ଦେଇଛି। ଏହି ଚୁକ୍ତିର ମୂଲ୍ୟ ପ୍ରାୟ ୬୩,୦୦୦ କୋଟି ଟଙ୍କା। ଏହି ଚୁକ୍ତିନାମାକୁ ଚୂଡ଼ାନ୍ତ କରାଯିବ ଏବଂ ଖୁବ୍ ଶୀଘ୍ର ସ୍ୱାକ୍ଷରିତ କରାଯିବ।
ରୁକ୍କୁଣା ରଥର ବାହୁଡା ଯାତ୍ରା
ବୁଧବାର ରୁକୁଣା ରଥର ବାହୁଡା ଯାତ୍ରା ମଧ୍ୟରେ ୨ ଥର ବିଘ୍ନ ଘଟିଥିବା ଦେଖିବାକୁ ମିଳିଛି। ଫଳରେ ଶ୍ରୀଲିଙ୍ଗରାଜ ରାମେଶ୍ୱର ମନ୍ଦିରରୁ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରିବାରେ ବିଳମ୍ବ ହୋଇଛି। ରଥ ଅଧାବାଟରେ ଅଟକି ରହିଛି। ମାଉସୀ ମା' ରାମେଶ୍ୱର ମନ୍ଦିରରେ ମହୁମାଛି ଆକ୍ରମଣ ଯୋଗୁ ଆଜି ଶ୍ରୀଲିଙ୍ଗରାଜଙ୍କ ପହଣ୍ଡି ନୀତିରେ ୧ ଘଣ୍ଟାରୁ ଅଧିକ ବିଳମ୍ବ ଘଟିଥିଲା। ମହୁମାଛି ଆକ୍ରମଣ ଥମିବା ପରେ ବିଳମ୍ବ ଏଡାଇବା ପାଇଁ ସେବାୟତମାନେ ଅପରାହ୍ଣ ୩ଟା ୨୩ ମିନିଟରେ ପହଣ୍ଡି ନୀତିକୁ ଆରମ୍ଭ କରି ମାତ୍ର ୧୭ମିନିଟରେ ସମାପନ କରିଥିଲେ। ଏହାପରେ ରଥ ଉପରେ ଠାକୁରଙ୍କ ନୀତି ସମ୍ପନ୍ନ କରି ଘୋଡ଼ା ଯୋଚା କାର୍ଯ୍ୟ ଶେଷ ହୋଇଥିଲା। ଅପରାହ୍ଣ ୪ଟା ୩୮ରେ ରଥଟଣା ପାଇଁ ସାରଥି ଆଦେଶ ଦେଇଥିଲେ।
ବାହୁଡ଼ା ଯାତ୍ରା ସମୟରେ ମହୁମାଛି ଆକ୍ରମଣ
ବୁଧବାର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ବାହୁଡ଼ାଯାତ୍ରାରେ ଆତଙ୍କ ଖେଳାଇଛନ୍ତି ବାଘୁଆ ମହୁମାଛି। ରାମେଶ୍ଵର ମନ୍ଦିରରେ ବାହୁଡ଼ା ନୀତି ପାଇଁ ସେବାୟତ ସଜବାଜ ହେଉଥିବା ବେଳେ ମନ୍ଦିର ନିକଟ ଓସ୍ତଗଛରେ ଥିବା ମହୁଫେଣାକୁ କେହି ଜଣେ ଟେକା ମାରି ଦେଇଥିଲା। ଫଳରେ ହଜାର ହଜାର ମହୁମାଛି ମୁଁ ଗୁଁ ଆବାଜ କରି ମାଡ଼ି ଆସି ଯାହାକୁ ପାଇଲେ ତାକୁ ଦଂଶି ପକାଇଲେ। ମଠା ପିନ୍ଧି ନୀତି ସମ୍ପାଦନ କରୁଥିବା ସେବାୟତମାନଙ୍କ ଖୋଲା ଦେହକୁ ବିନ୍ଧି ପକାଇଥିଲେ। ମହୁମାଛିଙ୍କ ଆକ୍ରମଣର ସାମନା କରି ନପାରି ସେବାୟତଗ ଠାକୁରଙ୍କ ନୀତି ଛାଡ଼ି ଜୀବନ ବିକଳରେ ଦୌଡ଼ିଥିଲେ।
ଆସନ୍ତା ମାସରେ ଅଧୋଧ୍ୟାରେ ଆଉ ଏକ ପ୍ରାଣ ପ୍ରତିଷ୍ଠା ଉତ୍ସବ
ଆସନ୍ତା ମାସରେ ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମ ମନ୍ଦିରରେ ଆଉ ଏକ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବରେ ପ୍ରଭୁ ରାମଙ୍କୁ ରାଜା ଭାବରେ ସ୍ଥାପନ କରାଯିବ ଏବଂ ମନ୍ଦିରର ପ୍ରଥମ ମହଲାରେ ରାମ ଦରବାର ପ୍ରତିଷ୍ଠା କରାଯିବ। ଯାହା ଜୁନ୍ ୬ ରୁ ଭକ୍ତମାନଙ୍କ ପାଇଁ ଖୋଲାଯିବ। ମନ୍ଦିର ନିର୍ମାଣ କମିଟିର ମୁଖ୍ୟ ନୃପେନ୍ଦ୍ର ମିଶ୍ର ଏହି ସୂଚନା ଦେଇଛନ୍ତି।