ଆଜିଠାରୁ ଓଡ଼ିଶାରେ ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା
ପୂରଣ ହେବ ବିଜେପିର ଡ୍ରିମ୍ ପ୍ରୋଜେକ୍ଟ । ଆଜିଠାରୁ ଓଡ଼ିଶାରେ ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା । କଟକ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଅନ୍ୟମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । କଟକ ବାଦ୍ ୧୨ଟି ଜିଲ୍ଲାରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ବିଭିନ୍ନ ମନ୍ତ୍ରୀ । ଆୟୁଷ୍ମାନ ଭାରତରେ ପରିବାରର ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଁଏ କାର୍ଡ ମିଳିବ । ଦେଶର ୨୯୦୦୦ ହସ୍ପିଟାଲରେ ରୋଗୀ ଚିକିତ୍ସା ସୁବିଧା ପାଇବେ ।
ଆଜି ଆସୁଛନ୍ତି ନଡ୍ଡା
୧୧ ଏପ୍ରିଲ ଶୁକ୍ରବାର ଦିନରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଖବର ମୁତାବକ, ଆଜି ଅପରାହ୍ନ ପ୍ରାୟ ୧ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ଜେପି ନଡ୍ଡା। ସେଠାରେ ତାଙ୍କୁ ଦଳୀୟ ନେତା ଏବଂ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ କଟକରେ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା କାର୍ଯ୍ୟକ୍ରମରେ ଜେପି ନଡ୍ଡା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କେବଳ ସେତିକି ନୁହେଁ, ୧୨ ଏପ୍ରିଲ୍ ଶନିବାର ଦିନ ପୁରୀରେ ବିଜେପି ପ୍ରଶିକ୍ଷଣ ଶିବିର ଉଦ୍ଘାଟନ କରିବେ।
ଆଜିଠୁ କାଳବୈଶାଖି, ଘଡ଼ଘଡି଼ ସହ ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ
ଆଜିଠୁ ବଢିବ କାଳବୈଶାଖିର ପ୍ରଭାବ। ଏ-ନେଇ ପାଣିପାଗ ବିଭାଗ କିଛି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି। ତେବେ, ଆସନ୍ତୁ ଜାଣିବା ଆଜି କେଉଁ ସବୁ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ବିଶେଷକରି, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, ମୟୂରଭଂଜ, କେନ୍ଦୁଝର ଓ ସୁନ୍ଦରଗଡରେ ଘଡ଼ଘଡି ସହିତ ବର୍ଷା ପବନ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏସବୁ ସ୍ଥାନରେ ୪୦ ରୁ ୫୦ କିମି ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି।
ଏନ୍ଆଇଏ ପଞ୍ଝାରେ ରାଣା: ଭାରତ ପାଇଁ ବଡ଼ କୂଟନୈତିକ ବିଜୟ
ବହୁବର୍ଷର କୂଟନୈତିକ ପ୍ରୟାସ ପରେ ୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣା ଆମେରିକାରୁ ପ୍ରତ୍ୟର୍ପିତ ହୋଇଛି। ତହବୁରକୁ ଏକ ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ଅଣାଯାଇଛି। ଭାରତୀୟ ଗୁଇନ୍ଦା ଏବଂ ତଦନ୍ତକାରୀ ଅଧିକାରୀଙ୍କ ଏକ ମିଳିତ ଟିମ୍ ତହବୁରକୁ ଧରି ଦିଲ୍ଲୀ ପାଲାମ ବିମାନବନ୍ଦରରେ ଗୁରୁବାର ସନ୍ଧ୍ୟା ୬ଟା ୩୦ରେ ପହଞ୍ଚିବା ପରେ ସେଠାରେ ତାକୁ ଏନ୍ଆଇଏ ଗିରଫ କରିଥିଲା।
ସୁନ୍ଦରଗଡ଼ ଖଣିଜ ଲୁଟ୍ ପ୍ରସଙ୍ଗ: ସରକାରଙ୍କ ବଡ଼ ପଦେକ୍ଷପ, ୯ ଜଣିଆ ସ୍କ୍ବାଡ୍ ଗଠନ
ସୁନ୍ଦରଗଡ଼ ଜିଲ୍ଲା ହେମଗିର କୋଇଲା କ୍ଷେତ୍ରର ତେଲେନଡିହି, ରତନସରା, ଜାମକାନୀ, ଭୋଗ୍ରାକଛାର ଜଙ୍ଗଲରେ ଶତାଧିକ ବେଆଇନ ଚୋରା କୋଇଲା ଖଣି ଚାଲିଥିବା ନେଇ ଗଣମାଧ୍ୟମର ପର୍ଦ୍ଦାଫାସ ପରେ ସରକାରଙ୍କ ନିଦ ହଜିଯାଇଛି। ଶହଶହ ସଂଖ୍ୟାରେ ଥିବା ଏହି ଛୋଟବଡ଼ ବେଆଇନ ଖଣିଗୁଡ଼ିକ ଉପରେ ଚଢ଼ଉ କରିବା ପାଇଁ ସରକାର ଏକ ସ୍ବତନ୍ତ୍ର ପ୍ରବର୍ତ୍ତନ ଦଳ (ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍) ଗଠନ କରିଛନ୍ତି। ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ସଂଖ୍ୟା ୩୯୧୮/୧୦.୦୪.୨୦୨୫ ଅନୁଯାୟୀ ଗଠିତ ଏହି ଟିମ୍ରେ ୯ ଜଣ ସଦସ୍ୟ ଅଛନ୍ତି।
ପୁରୀ କୃଷ୍ଣପ୍ରସାଦରେ ଭୟାବହ ଅଗ୍ନିକାଣ୍ଡ
ପୁରୀ କୃଷ୍ଣପ୍ରସାଦ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୬ ଦୋକାନ। ୬ ଦୋକାନ ସମେତ ୨ଟି ଘରରେ ଲାଗିଥିଲା ନିଆଁ। ଏହି ଅଗ୍ନିକାଣ୍ଡରେ ଜହ୍ନିକୁଦା ଘାଟପେଣ୍ଠରେ ନିଆଁ ଲାଗି ଜଳିଗଲା ଦୋକାନ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ, ନିଆଁ ଆୟତ୍ତ କଲା ଅଗ୍ନିଶମ ବାହିନୀ। ୧୦ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବା ନେଇ ସୂଚନା ରହିଛି।
ରାଜଧାନୀରେ ପୁଣି ଏନକାଉଣ୍ଟର
ରାଜଧାନୀରେ ଫୁଟିଲା ଗୁଳି, ନିଶା ମାଫିଆ ଶେଖ ଜାମସେଦକୁ ଏନକାଉଣ୍ଟର । ଗୁରୁତର ଅବସ୍ଥାରେ ଏମ୍ସରେ ଅପରାଧୀକୁ ଭର୍ତ୍ତି କରାଯାଇଛି । ସ୍ପେଶାଲ କ୍ରାଇମ ୟୁନିଟ୍ ଅଫିସର ଅନୁପ କାନୁନଗୋ ଏହି ଏନକାଉଣ୍ଟର କରିଥିବା ବେଳେ ଅପରାଧି ଗୋଡ଼ରେ ଦୁଇଟି ଗୁଳି ବାଜିଛି । ଶେଖ ଜାମସେଦ ନିକଟରୁ ୨୦ଲକ୍ଷ ଟଙ୍କାର ବ୍ରାଉନସୁଗର ସହ ଗୋଟିଏ ମାଉଜର ଜବତ କରାଯାଇଛି ।
ଆଜି ପରଦାକୁ ଆସୁଛି ୩ ଓଡିଆ ସିନେମା
ଅଦିନରେ ବକ୍ସ ଅଫିସ୍ ଖାଲି ଉଠୁଛି ପଡ଼ୁଛି। କାରଣ ଆଜି ଫ୍ରାଇଡେ ରିଲିଜରେ ଏକାବେଳେ ପରଦାରେ ଶୁଭମୁକ୍ତି କରୁଛି ୩ ନୂଆ ଓଡ଼ିଆ ସିନେମା। ସେଥିମଧ୍ୟରେ ରହିଛି; ‘ପାଦେ ଆକାଶ’, ‘ଡଷ୍ଟବିନ୍’ ଓ ‘ଆଜିର ରେବତୀ'। ପ୍ରତିଟି ସିନେମାର କାହାଣୀ ଅନ୍ୟଠୁ ଭିନ୍ନ ହୋଇଥିଲେ ବି ସବୁଥିରେ ମୌଳିକତା ରହିଛି, ଯାହାକୁ ଦେଖିଲା ପରେ ହିଁ ଦର୍ଶକ ଭିନ୍ନତା ଅନୁଭବ କରିବେ। ତିନି ସିନେମାକୁ ଲିଡ୍ କରୁଛନ୍ତି ଓଲିଉଡ୍ର ୩ ଚର୍ଚ୍ଚିତ କଳାକାର। ‘ପାଦେ ଆକାଶ’କୁ ଅର୍ଚିତା, ‘ଡଷ୍ଟବିନ୍’କୁ ପପୁ ଏବଂ ‘ଆଜିର ରେବତୀ'କୁ ଶୀତଲ୍ ଲିଡ୍ କରୁଛନ୍ତି। ତେବେ ଆସନ୍ତାକାଲି ଦର୍ଶକ ପରଦାରେ ଦର୍ଶକ ଏ ସମସ୍ତଙ୍କ ଅଭିନୟର ଦମ୍ ଦେଖିବେ।
ୱାକଫ ବିଲକୁ ନେଇ ପ୍ରତିକ୍ରିୟା ଦେଲେ ଅମର ଶତପଥୀ
ୱକଫ୍ ଘଟଣାବଳୀକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ରାଜନେତା ଅମର ଶତପଥୀ । ସେ ଏହାକୁ ରହସ୍ୟମୟ ବୋଲି କହିଛନ୍ତି । ସେ ଏକଥା ମଧ୍ୟ କହିଛନ୍ତି ଯେ, ମୁଁ ବର୍ତ୍ତମାନ ବିଜେଡି ଭିତରେ ନାହିଁ ତେଣୁ ତାଙ୍କ ଦଳ ବାବଦରେ କହିବି ନାହିଁ । ମାତ୍ର ୱକ୍ଫ ଭୋଟିଂକୁ ନେଇ ସବୁ ରହସ୍ୟମୟ ଲାଗୁଛି । ସଂସଦୀୟ ବ୍ୟବସ୍ଥାରେ ବିରୋଧ ଏବଂ ସମର୍ଥନ ରହିଛି ମାତ୍ର ବିବେକାନୁମୋଦିତ ମତ ଦେବା କଥା ମୁଁ ଜାଣିନି । ଯେହେତୁ ଏହା ଏବେ ଜାତୀୟ ପ୍ରସଙ୍ଗ, ସମସ୍ତେ ମତ ରଖିପାରିବେ ବୋଲି ସେ କହିଛନ୍ତି ।
ଅଲମ୍ପିକରେ କ୍ରିକେଟ
୧୨୮ ବର୍ଷର ବ୍ୟବଧାନ ପରେ ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ୍ ଫେରିବାକୁ ଯାଉଛି । ଏହାକୁ ନେଇ ଆୟୋଜକମାନେ ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସର ଆୟୋଜକମାନେ ଏହି ବହୁରାଷ୍ଟ୍ରୀୟ ଇଭେଣ୍ଟରେ କ୍ରିକେଟ୍ ପାଇଁ ଦଳଗୁଡ଼ିକୁ ଚୂଡ଼ାନ୍ତ କରିଛନ୍ତି। ପୁରୁଷ ଏବଂ ମହିଳା ଉଭୟ ବର୍ଗରେ ଛଅଟି ଦଳ ଅଂଶଗ୍ରହଣ କରିବେ। ମ୍ୟାଚ୍ ଗୁଡ଼ିକ ଟି-୨୦ ଫର୍ମାଟରେ ଖେଳାଯିବ। ଛଅଟି ଦଳ ସ୍ୱର୍ଣ୍ଣ, ରୌପ୍ୟ ଏବଂ କାଂସ୍ୟ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ।