ଆଜି ପଣାସଂକ୍ରାନ୍ତି
ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି । ଆଜିର ଦିନରେ ପ୍ରତି ଘରେ ମା’ମାନେ ତୁଳସୀ ଚଉରା ମୂଳେ ପୂଜା କରି ପାଳନ କରନ୍ତି ପଣା ସଂକ୍ରାନ୍ତି । ତୁଳସୀ ଚଉରା ମୂଳରେ ଛୋଟ ମାଠିଆରେ ପଣା ରଖି ବାନ୍ଧି ଦିଆଯାଏ । ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ ଏହି ଠେକିକୁ ବସୁନ୍ଧରା ବା ବସନ୍ତରା ଠେକି ବୋଲି ମଧ୍ୟ କୁହାଯାଏ । ଛତୁଆ, ଦହି, ଗୁଡ଼, କଦଳୀ ଓ ନଡ଼ିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ । ବେଲ ପଣାରେ ବଟା ଭାଙ୍ଗ ମିଶାଇ ଭାଙ୍ଗ ପଣା ସେବନ ମଧ୍ୟ କରାଯାଇଥାଏ ।
ହନୁମାନ ଜୟନ୍ତୀ ଉପଲକ୍ଷେ ବ୍ୟବସ୍ଥା କଡ଼ାକଡି
ସାରା ରାଜ୍ୟରେ ଆଜି ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳିତ ହେବ। ଏଥିପାଇଁ ପୁଲିସ ପକ୍ଷରୁ ରାଜ୍ୟବ୍ୟାପୀ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରବିବାର ଭୁବନେଶ୍ବରସ୍ଥିତ ଡିଜିପିଙ୍କ କ୍ୟାମ୍ପ ଅଫିସ୍ରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପୁଲିସ ଫୋକସ୍ରେ ଥିବା ୯ଟି ଜିଲ୍ଲାକୁ ନେଇ ବ୍ୟାପକ ଆଲୋଚନା କରାଯାଇଛି।
ଶ୍ରୀମନ୍ଦିର କ୍ୟାଲେଣ୍ଡର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପିତ
ଓଡ଼ିଆ ନୂଆବର୍ଷ ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ପର୍ବପର୍ବାଣି ଓ ଯାନିଯାତ୍ରା କ୍ୟାଲେଣ୍ଡର ପ୍ରକାଶ ପାଇଛି। ପୂର୍ବରୁ ମହାପ୍ରଭୁଙ୍କ ନିକଟରେ ଏହି କ୍ୟାଲେଣ୍ଡର ଦେବାର୍ପଣ ହୋଇଥିଲା। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ ଏହାକୁ ଲୋକାର୍ପଣ କରିଛନ୍ତି। ଏଥିସହ ପ୍ରଥମଥର ପ୍ରକାଶ ପାଇଥିବା ଶ୍ରୀମନ୍ଦିର ସୁଦୃଶ୍ୟ ସୂଚନା ପୁସ୍ତିକା ମଧ୍ୟ ଲୋକାର୍ପଣ ହୋଇଛି।
ଚିଲ ନେଇଗଲା କାଳିଆ ନେତ
ଗତକାଲି ପୁରୀରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଥିଲା। ଶ୍ରୀମନ୍ଦିରର ଏକ ନେତ ଚିନ ନେଇ ଉଡି ବୁଲୁଥିବାର ଦେଖିବାକୁ ମିଳିଥିଲା। ନୀଳ ଆକାଶ ମେଘାଚ୍ଛନ୍ନ ଥିଲା । ଶ୍ରୀକ୍ଷେତ୍ରରେ ମେଘ ଗୁମୁରୁଥିଲା । ନୀଳଚକ୍ରରୁ ପତିତପାବନକୁ ଫିଟାଇ ଆକାଶରେ ଉଡ଼ିବୁଲିଲା ଚିଲ । ଯାହାର ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହୋଇଥାଏ।ଶନିବାର ସନ୍ଧ୍ୟା ୫ଟା ସମୟର ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ବାନା ଲଗା କାର୍ଯ୍ୟରେ ଚୂନରା ସେବକମାନେ ଲାଗିଥା'ନ୍ତି । ଆଉ ଠିକ୍ ସେହି ସମୟରେ ଏକ ବଡ଼ ଚିଲ ପତିତପାବନ ବାନାକୁ ଥଣ୍ଟରେ ନେଇ ସମୁଦ୍ର ଆଡ଼କୁ ଉଡ଼ିଯାଇଥିଲା ।
୭ ଜିଲ୍ଲାକୁ କାଳବୈଶାଖି ଆର୍ଲଟ
କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ସୋମବାର ୭ ଜିଲ୍ଲାରେ ଝଡ଼ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର ଓ ଭଦ୍ରକରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୪୦ରୁ ୫୦ କିମି ବେଗରେ ପବନ ବି ବହିବ। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି। ଏସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାଣ୍ଡିଂ ଜାରି କରିଛି ପାଣିପାଗ ବିଭାଗ। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କଟକ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଘଡ଼ଘଡ଼ି ଓ ବର୍ଷା ସହିତ ୩୦ରୁ ୪୦ କିମି ବେଗରେ ପବନ ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।
ପୂର୍ବତନ ଧର୍ମଶାଳା ବିଧାୟକଙ୍କ ଉପରେ ସଂଘବଦ୍ଧ ଆକ୍ରମଣକୁ ବିଜେଡିର ଦୃଢ଼ ନିନ୍ଦା
ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ସଂଘବଦ୍ଧ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି ବିଜେଡି। ଆରୁଅ ଗ୍ରାମରେ ମା’ ହିଙ୍ଗୁଳାଙ୍କ ଯାତ୍ରାକୁ ଗଲାବେଳେ ଭାରତୀୟ ଜନତା ପାର୍ଟିର କର୍ମୀ ଏବଂ ସ୍ଥାନୀୟ ବିଧାୟକଙ୍କ ସହଯୋଗୀ ତଥା ଖଣି ମାଫିଆଙ୍କର ଦ୍ୱାରା ଏହି ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଶଙ୍ଖ ଭବନର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଭୃଗୁ ବକ୍ସିପାତ୍ର ଅଭିଯୋଗ କରି କହିଛନ୍ତି ଯେ ସ୍ଥାନୀୟ ପୋଲିସ୍ ପ୍ରଶାସନ ଉପସ୍ଥିତିରେ ଏହି ଆକ୍ରମଣ ହୋଇଥିଲା। ଏପରିକି ପ୍ରଣବ ଘଟଣା ସମୟରେ ଯାଜପୁର ଏସପିଙ୍କୁ ଭିଡିଓ କଲ କରିଥିଲେ ମଧ୍ୟ ଏସପିଙ୍କ ଠାରୁ କୌଣସି ଉତ୍ତର ମିଳିନଥିଲା।
୧୬ ଜିଲ୍ଲାରେ ବିଜେଡିର ନୂଆ ସଭାପତି
ବିନା ଦ୍ୱନ୍ଦ୍ୱରେ ୧୬ଟି ସାଂଗଠନିକ ଜିଲ୍ଲାପାଇଁ ବିଜେଡିର ନୂତନ ସଭାପତି ନିର୍ବାଚିତ ହୋଇଛନ୍ତି। ଏନେଇ ଦଳର ନିର୍ବାଚନ ଦାୟିତ୍ୱରେ ଥିବା ରାଜ୍ୟ ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ ସୂଚନା ଦେଇଛନ୍ତି। ଅପରାହ୍ଣରେ ସେ ସାମ୍ବାଦିକ ମାନଙ୍କୁ କହିଛନ୍ତି ଯେ ୧୬ ଜିଲ୍ଲାରୁ ଜଣେ ଲେଖାଏଁ ସଦସ୍ୟ ନାମାଙ୍କନ ଦାଖଲ କରିଥିବାରୁ ସମସ୍ତେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଅବଶିଷ୍ଟ ଜିଲ୍ଲାର ନିର୍ବାଚନ ପ୍ରକ୍ରିୟା ଖୁବ ଶୀଘ୍ର ଶେଷ ହେବ। ପ୍ରକ୍ରିୟା ସରିବା ପରେ ଚୂଡାନ୍ତ ତାଲିକା ଜଣାଇଦିଆଯିବ।
ରାଜଧାନୀରୁ ଶିଶୁ ଚୋରି ଅଭିଯୋଗ
ରାଜଧାନୀ ଭୁବନେଶ୍ୱରରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି। ଶନିବାର ଦିନ ବିଳମ୍ବିତ ରାତିରେ ଭୁବନେଶ୍ୱର ରାମ ମନ୍ଦିର ନିକଟରୁ ଜଣେ ଦେଢ଼ ବର୍ଷର ଶିଶୁପୁତ୍ରକୁ ତାଙ୍କ ଦୃଷ୍ଟିହୀନ ମାଆଙ୍କ କୋଳରୁ କେହି ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ କମିଶନରେଟ ପୋଲିସ ଏହି ଘଟଣା ଉପରେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି।
ବ୍ୟାଙ୍କ ଘୋଟାଲାରେ ମୋହୁଲ ଚୋକସୀ ଗିରଫ
କୁଖ୍ୟାତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଠକେଇର ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକସିଙ୍କୁ ବେଲଜିୟମରେ ଗିରଫ କରାଯାଇଛି। ଦୀର୍ଘ ଦିନ ଧରି ଚୋକସିଙ୍କୁ ଖୋଜୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଅନୁରୋଧ କ୍ରମେ ଏହି ଗିରଫଦାରୀ କରାଯାଇଥିଲା। ସୂତ୍ର ଅନୁସାରେ, ସେ ବର୍ତ୍ତମାନ ବେଲଜିୟମର ଏକ ଜେଲରେ ଅଛନ୍ତି। ସିବିଆଇ ଏବଂ ଇଡି ସେଠାକାର ଏଜେନ୍ସିଗୁଡ଼ିକ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି। ମିଳିଥିବା ପ୍ରାରମ୍ଭିକ ସୂଚନା ଅନୁଯାୟୀ, ପିଏନବି ବ୍ୟାଙ୍କ ଋଣ ' ଠକେଇ' ମାମଲାରେ ଭାରତର ପ୍ରତ୍ୟର୍ପଣ ଅନୁରୋଧରେ ପଳାତକ ଅଳଙ୍କାର ବ୍ୟବସାୟୀ ମେହୁଲ ଚୋକସିଙ୍କୁ ବେଲଜିୟମରେ ଅଟକ ରଖାଯାଇଛି।
ବାଙ୍ଗାଲୋରର ବିଜୟ
ରବିବାର ଦିନ ଆଇପିଏଲ ୨୦୨୫ର ୨୮ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ରାଜସ୍ଥାନ ରୟାଲ୍ସ (ଆରଆର)କୁ ୯ ୱିକେଟରେ ପରାସ୍ତ କରିଛି। ଜୟପୁର ଗ୍ରାଉଣ୍ଡରେ ଆରସିବି ୧୭୩ ରନର ଟାର୍ଗେଟକୁ ୧୫ ବଲ ବାକି ଥାଇ ହାସଲ କରିନେଇଥିଲା। ଆରସିବି ପକ୍ଷରୁ ଫିଲ୍ ସଲ୍ଟ ଏବଂ ବିରାଟ କୋହଲି ଅର୍ଦ୍ଧଶତକ ହାସଲ କରିଥିଲେ ଯେତେବେଳେ ଦେବଦତ୍ତ ପାଡିକ୍କଲ୍ ଅପରାଜିତ ୪୦ ରନ କରିଥିଲେ।