ସୋନିଆ, ରାହୁଲଙ୍କ ବିରୋଧରେ ଚାର୍ଜସିଟ୍
ନ୍ୟାସନାଲ ହେରାଲ୍ଡ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟ କେତେକ ନେତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ବରିଷ୍ଠ କଂଗ୍ରେସ ନେତା ସାମ୍ ପିତ୍ରୋଡ଼ା ଏବଂ ସୁମନ ଦୁବେଙ୍କୁ ମଧ୍ୟ ଚାର୍ଜସିଟ୍ରେ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଗତ ଏପ୍ରିଲ ୯ ତାରିଖରେ ସ୍ବତନ୍ତ୍ର ଅଦାଲତରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା, ଯାହାକୁ ସ୍ବତନ୍ତ୍ର ବିଚାରପତି ବିଶାଲ ଗୋଗନେ ବିଚାରକୁ ନେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୫, ୨୦୨୫କୁ ଧାର୍ଯ୍ୟ କରାଯାଇଛି।
ମେ ୬ରୁ ଖରାଛୁଟି
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ଶିକ୍ଷା ବର୍ଷ ପାଇଁ ଏକାଡେମିକ୍ କ୍ୟାଲେଣ୍ଡର ପ୍ରକାଶ ପାଇଛି। ଏଥିରେ କାର୍ଯ୍ୟଦିବସଠୁ ଆରମ୍ଭକରି ଛୁଟି, ପରୀକ୍ଷା ସମୟ ଆଦି ପ୍ରକାଶ କରାଯାଇଛି। ଏକାଡେମିକ୍ କ୍ୟାଲେଣ୍ଡର ଅନୁଯାୟୀ, ମେ ୬ରୁ ଜୁନ୍ ୧୯ ତାରିଖ ଯାଏ ଖରାଛୁଟି ପାଇଁ ସ୍କୁଲ ବନ୍ଦ ରହିବ। ଚଳିତ ଶିକ୍ଷାବର୍ଷରେ ୫୨ଟି ରବିବାର ରହିଛି। ଏଥିସହ ୮୦ଟି ପୂଜା ଓ ବିଭିନ୍ନ ଛୁଟି ରହିଛି। ଅତିରିକ୍ତ ୨ଟି ଛୁଟି ମଧ୍ୟ ରଖାଯାଇଛି। ୨୩୧ଟି କାର୍ଯ୍ୟଦିବସ ଅଛି, ଅର୍ଥାତ୍ ଶିକ୍ଷକମାନେ ୨୩୧ ଦିନ ସ୍କୁଲ ଆସିବେ । ଶିକ୍ଷା କ୍ୟାଲେଣ୍ଡରକୁ ପାଳନ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି।
ଏବର୍ଷ ସ୍ୱାଭାବିକ ଠାରୁ ଅଧିକ ବର୍ଷା
ଏବର୍ଷ ଧୋକା ଦେବନି ଦକ୍ଷିଣ ପଶ୍ଚିମ ମୌସୁମୀ। ଅର୍ଥାତ୍ ଧାର୍ଯ୍ୟ ସମୟରେ ମୌସୁମୀ ଓଡ଼ିଶା ଛୁଇଁବ। ଜୁନରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ। ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିପାରେ। ତେବେ ଜୁଲାଇ ଓ ଅଗଷ୍ଟରେ ଉପକୂଳ ଏବଂ ଉତ୍ତର ଓଡ଼ିଶା ଅର୍ଥାତ୍ ଗଞ୍ଜାମ, ପୁରୀ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ଭଦ୍ରକ, ଯାଜପୁର, ବାଲେଶ୍ବର, ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ନୟାଗଡ଼, ଢେଙ୍କାନାଳ, ଗଜପତି, ଅନୁଗୁଳ ଜିଲ୍ଲାରେ ସ୍ୱାଭାବିକ ନ ହେଲେ ସାମାନ୍ୟ କମ୍ ବର୍ଷା ହୋଇପାରେ। ସେପ୍ଟେମ୍ବରରେ ଦକ୍ଷିଣ ଓଡ଼ିଶାରେ ଭଲ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପକ୍ଷରୁ ଆକଳନ କରାଯାଇଛି।
ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ପାଇଁ ସତର୍କତା
ରାଜ୍ୟରେ ଜାରି ରହିଛି କାଳବୈଶାଖିର ପ୍ରଭାବ। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ କୂଆପଥର ବର୍ଷା ସହ ୫୦ ରୁ ୬୦ କିମି ବେଗରେ ପବନର ମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏନେଇ ଅଧିକାଂଶ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆଜି ପାଇଁ ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡିକ ହେଲା, କୋରାପୁଟ, ନବରଙ୍ଗପୁର, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଗଞ୍ଜାମ ଓ ଗଜପତି। ଏହିସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡି଼ ସହ ୪୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।
ପ୍ରଣବ ବଳବନ୍ତରାୟଙ୍କ କାର ଉପରେ ଆକ୍ରମଣ ମାମଲା; ୪ ଗିରଫ
ଯାଜପୁର ଜିଲ୍ଲାର ଧର୍ମଶାଳା ପୋଲିସ ସୀମା ଅନ୍ତର୍ଗତ ଆରୁହା ଗ୍ରାମରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ କାର ଉପରେ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଉଭୟ ଗୋଷ୍ଠୀର ଚାରି ଜଣଙ୍କୁ ପୋଲିସ ଗିରଫ କରିଛି। ଗତ ଶନିବାର ଦିନ ପୂର୍ବତନ ବିଧାୟକ ଏବଂ ତାଙ୍କ ସମର୍ଥକମାନେ ଆରୁହା ଗ୍ରାମକୁ ଯାଇଥିଲେ। ଏହି ସମୟରେ କିଛି ସ୍ଥାନୀୟ ଯୁବକ ତାଙ୍କୁ ବିରୋଧ କରି ତାଙ୍କ କାର ଉପରେ ପଥର ଫିଙ୍ଗିବା ଏବଂ ବାଡ଼ିରେ ଆଘାତ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ଗୋଟିଏ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।
ମା କୋଳକୁ ଫେରିଲା ପୁଅ
ରାଜଧାନୀର ରାମମନ୍ଦିର ଆଗରୁ ଅପହୃତ ଦେଢ ବର୍ଷର ଶିଶୁ ମିଳିଲା । ଦୁଇ ଦିନ ପରେ ଦୃଷ୍ଟିବାଧିତ ମାଆ କୋଳକୁ ଫେରିଛି ପୁଅ। ୪ଟି ସ୍ବତନ୍ତ୍ର ଟିମ୍, ଭୁବନେଶ୍ବରରୁ ବାଲେଶ୍ବର ଯାଏ ୫ ଶହରୁ ଅଧିକ ସିସିଟିଭି ଯାଂଚ୍ କରି ପିଲା ଚୋର ପାଖରେ ପହଁଚିଛି ପୋଲିସ । ଅପହରଣକାରୀ କେଦାରସନ ପଣ୍ଡା ଗିରଫ ହୋଇଥିବା ବେଳେ ଶିଶୁଟିକୁ ଚୋରି କରି ଅନ୍ୟ ଜଣେ ମହିଳାଙ୍କୁ ଦେଇଥିବା ପ୍ରେସ୍ମିଟ୍ରେ ସୂଚନା ଦେଇଛନ୍ତି ପୋଲିସ କମିଶନର । ସେପଟେ ପୁଅକୁ ପାଇବା ଆଶା ରଖିନଥିବା ମାଆ, ପୋଲିସ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ଧନ୍ୟବାଦ ଦେଇଛନ୍ତି ।
ଡାକ୍ତରଖାନାରୁ ପିଲା ଚୋରି ହେଲେ ବାତିଲ ହେବ ଲାଇସେନ୍ସ
ଶିଶୁ ଚାଲାଣ ମାମଲା ଉପରେ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ନବଜାତ ଶିଶୁ ଚୋରି ସହ ଜଡିତ ମାମଲା ଉପରେ ରାଜ୍ୟ ସରକାରମାନେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି କୋର୍ଟ କହିଛନ୍ତି। ପ୍ରଥମତଃ ଯେଉଁ ହସ୍ପିଟାଲରୁ ନବଜାତ ଶିଶୁ ଚୋରି ହୁଏ ସେହି ହସ୍ପିଟାଲର ଲାଇସେନ୍ସ ବାତିଲ କରାଯିବା ଉଚିତ୍ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।
ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ
ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ, ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତର କେତେକ ସ୍ଥାନରେ କମ୍ପନ ଅନୁଭୂତ । ବୁଧବାର ଭୋରରୁ ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି, ହିନ୍ଦୁକୁଶ ଅଞ୍ଚଳରେ ଭୁପୃଷ୍ଠରୁ ୭୫ କିଲୋମିଟର ଗଭୀରତାରେ ଏହି ଭୂକମ୍ପ ସୃଷ୍ଟି ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ରହିଛି । ଏହି ଭୂକମ୍ପରେ ଦିଲ୍ଲୀ-ଏନସିଆର ଅଞ୍ଚଳ ସମେତ ଭାରତର କିଛି ସ୍ଥାନରେ କମ୍ପନ ଅନୁଭୂତ ହୋଇଛି ବୋଲି ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ କୁହାଯାଇଛି । ଭୂକମ୍ପ କେନ୍ଦ୍ର ନିକଟରେ ୫.୯ ରିକ୍ଟର ସ୍କେଲର ଏକ ଭୂକମ୍ପ ଗୁରୁତର କ୍ଷତି ଘଟାଇବା ପାଇଁ ଯଥେଷ୍ଟ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ । ତେବେ ଆଜିର ଏହି ଭୂମିକମ୍ପରେ କ୍ଷୟକ୍ଷତି ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ ।
ବିଜୁଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ କ୍ଷୋଭ ଜଣାଇଲେ ମୁଖ୍ୟମନ୍ତ୍ରୀ
ବଲାଙ୍ଗିର ଜିଲ୍ଲାର ପାଟଣାଗଡଠାରେ ଜନନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି । ଏ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତି ନିଶ୍ଚିତ ଭାବରେ ଜଣେ ହୀନ ଓ ରୁଗ୍ଣ ମାନସିକତାର ବ୍ୟକ୍ତି ହୋଇଥିବେ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।
ବାଂଲାଦେଶ ଗସ୍ତରେ ଯିବ ଭାରତ
ଅଗଷ୍ଟ ୨୦୨୫ ରେ ଇଂଲଣ୍ଡ ଗସ୍ତ ଶେଷ ହେବା ପରେ ଭାରତୀୟ ଦଳ ବାଂଲାଦେଶ ଗସ୍ତ କରିବ। ଭାରତ ଏବଂ ବାଂଲାଦେଶ ମଧ୍ୟରେ ୩ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚ୍ ର ସିରିଜ୍ ହେବ। ବିସିସିଆଇ ଏହି ସୀମିତ ଓଭର ସିରିଜର କାର୍ଯ୍ୟସୂଚୀ ପ୍ରକାଶ କରିଛି। ବାଂଲାଦେଶର ଏହି ଗସ୍ତ ୧୭ ଅଗଷ୍ଟରୁ ଆରମ୍ଭ ହେବ ଏବଂ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ଏହି ଗସ୍ତ ODI ସିରିଜ ସହିତ ଆରମ୍ଭ ହେବ।