ସାଉଦୀ ଗସ୍ତ ଅଧାରୁ ଫେରିଲେ ମୋଦୀ
ସାଉଦୀ ଗସ୍ତକୁ ଅଧାରୁ ବାତିଲ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବୁଧବାର ସ୍ୱଦେଶ ଫେରୁଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଦୁଇ ଦିନିଆ ଗସ୍ତକୁ ଛୋଟ କରି ଭାରତ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି କ୍ରାଉନ ପ୍ରିନ୍ସଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା ପରେ ରାତ୍ରୀଭୋଜନରେ ଯୋଗ ଦେଇ ନଥିଲେ। ମଧ୍ୟରାତ୍ରି ପରେ ପ୍ରାୟ ୨ଟା ବେଳେ ପ୍ରଧାନମନ୍ତ୍ରୀ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଉପସାଗରୀୟ ଦେଶକୁ ତାଙ୍କର ଦୁଇ ଦିନିଆ ଗସ୍ତ ସମାପ୍ତ କରିବା ପରେ ବୁଧବାର ସ୍ୱଦେଶ ଫେରିବାର କାର୍ଯ୍ୟକ୍ରମ ଥିଲା।
ବିଶ୍ୱବ୍ୟାପୀ ନିନ୍ଦା
ପାହାଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି। ଘଟଣା ସମ୍ପର୍କରେ ଅବଗତ ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋର ନିନ୍ଦା କରିଛନ୍ତି। ଏହି ବାବଦରେ ସେ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ସେହିପରି ଉପରାଷ୍ଟ୍ରପତି ଜେଡି ଭାନ୍ସ ମଧ୍ୟ ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି। ସେହିପରି ସାଉଦି ଆରବର ରାଜଦୂତ ମଧ୍ୟ ଘଟଣାର ନିନ୍ଦା କରିଛନ୍ତି।
ଆତଙ୍କୀ ଆକ୍ରମଣରେ ୨୭ ଜଣଙ୍କ ମୃତ୍ୟୁ
ପାହାଲଗାମର ଉପର ସମତଳ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ୨୭ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଆଶଙ୍କା କରାଯାଉଥିବା ସୂଚନା। ଆତଙ୍କବାଦୀ ଆକ୍ରମଣ ଖବର ପ୍ରଚାରିତ ହେବା ପରେ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପର୍ଯ୍ୟଟକମାନଙ୍କୁ ଭୟଭୀତ ନ ହେବାକୁ ସୁରକ୍ଷାବାହିନୀ ନିବେଦନ କରିଛନ୍ତି। ଆକ୍ରମଣ ପରେ ଅନେକ ସ୍ଥାନୀୟ ଲୋକ ସେମାନଙ୍କର ଦୋକାନ ବନ୍ଦ କରିଥିବା ଦେଖିବାକୁ ମିଳିଛି।
ଜଣେ ଓଡ଼ିଆଙ୍କ ମୃତ୍ୟୁ
ବାଲେଶ୍ୱର ରେମୁଣା ନିର୍ବାଚନ ମଣ୍ଡଳୀର ଇଶାଣୀ ଗାଁର ପ୍ରଶାନ୍ତ ଶତପଥୀଙ୍କର ଆତଙ୍କୀ ଗୁଳିରେ ପ୍ରାଣହାନୀ ଘଟିଛି। ଶ୍ରୀ ଶତପଥି ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଏବଂ ତାଙ୍କ ୯ ବର୍ଷର ପୁଅ କାଶ୍ମୀର ବୁଲିବାକୁ ଯାଇଥିଲେ। ଏନେଇ ପ୍ରଶାନ୍ତଙ୍କ ବଡ଼ ଭାଈ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସାନ ଭାଈର ସ୍ତ୍ରୀ ମାଆଙ୍କୁ କଲ୍ କରି ଆତଙ୍କବାଦୀ ଆକ୍ରମଣ ବିଷୟରେ ଜଣାଇଥିଲେ।
କାଶ୍ମୀର ଆକ୍ରମଣର ତଦନ୍ତ କରିବ ଏନଆଇଏ
ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣର ତଦନ୍ତ କରିବ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି ବା ଏନଆଇଏ। ଏଥିପାଇଁ ଆଜିଠାରୁ ପାହାଲଗାମ ଗସ୍ତରେ ଯିବ ଏନଆଇଏ ଟିମ।
ରାଜ୍ୟ ସରକାରଙ୍କ ବଡ଼ ଘୋଷଣା : ଆଜିଠୁ ବନ୍ଦ ରହିବ ସ୍କୁଲ, କଲେଜ
ଆଜିଠୁ ବନ୍ଦ ରହିବ ସ୍କୁଲ କଲେଜ । ସବୁ ଜିଲ୍ଲାର ରିଭିୟୁ ମିଟିଙ୍ଗ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏଥିସହ ଯେଉଁ ଛାତ୍ରଛାତ୍ରୀ ଚାହିଁବେ ସେମାନେ ହଷ୍ଟଲେ ରେ ରହିପାରିବେ । ପିଲାଙ୍କ ଅଙ୍ଗନବାଡି ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି କାଲିଠାରୁ ଅଙ୍ଗନବାଡି ମଧ୍ୟ ବନ୍ଦ ରହିବ। ଖାଦ୍ୟ ଯୋଜନା ମାଧ୍ୟମରେ ଘରେ ଖାଦ୍ୟ ପହଂଚିବ । ଖରାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ପ୍ରଥମେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲାପାଳ ବଡ ନିଷ୍ପତ୍ତି ନେଇଥିଲେ ।
ପ୍ରକାଶ ପାଇଲା ୟୁପିଏସସି ସିଏସଇ ରେଜଲ୍ଟ
ପ୍ରକାଶ ପାଇଲା UPSC ସିଭିଲ୍ ସର୍ଭିସ୍ ଏଗଜାମ୍ ରେଜଲ୍ଟ। ଦେଶରେ ଟପ୍ପର ହୋଇଛନ୍ତି ଉତ୍ତର ପ୍ରଦେଶ ପ୍ରୟାଗରାଜର ଶକ୍ତି ଦୁବେ। ଦ୍ବିତୀୟରେ ହର୍ଷିତା ଗୋୟଲ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି ଡୋଙ୍ଗରେ ଅର୍ଚିତ ପରାଗ।
ଆଜି କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ
ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସକାଳ ୧୦ଟାରେ କ୍ୟାବିନେଟ ଓ ସାଢ଼େ ୧୧ଟାରେ ମନ୍ତ୍ରୀ ପରିଷଦ ବୈଠକ ବସିବ ବୋଲି ସୂଚନା ମିଳିଛି । କ୍ୟାବିନେଟ ବୈଠକରେ ପ୍ରାୟ ୮ରୁ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିପାରେ । ମନ୍ତ୍ରୀ ପରିଷଦ ବୈଠକରେ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଭିଜନ ନେଇ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରାଯିବ ବୋଲି ଖବର ମିଳିଛି ।
ରେକର୍ଡ ଭାଙ୍ଗୁଛି ତାତି, ଜଳୁଛି ଝାରସୁଗୁଡା
କାଳବୈଶାଖି ପରେ ରାଜ୍ୟରେ ରେକର୍ଡ଼ ଭାଙ୍ଗୁଛି ତାତି। ମଙ୍ଗଳବାର ଝାରସୁଗୁଡାରେ ୪୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଥିବା ବେଳେ ଏହା ଏପ୍ରିଲ୍ ମାସରେ ତାତିରେ ସର୍ବକାଳୀନ ରେକର୍ଡ଼ ଭାଙ୍ଗିଛି। ରାଜ୍ୟରେ ୧୫ ସହରର ତାପମାତ୍ରା ୪୦ ଡିଗ୍ରୀ ପାର୍ କରି ସାରିଛି। ଯାହା ମଧ୍ୟରୁ ୫ ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଛି। ସୋମବାର ଝାରସୁଗୁଡାରେ ୪୫.୪ ଡିଗ୍ରୀ ସହ ଦେଶର ଦ୍ବୀତିୟ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଥିବା ବେଳେ ମଙ୍ଗଳବାର ୪୬.୨ ଡିଗ୍ରୀ ସହ ଝାରସୁଗୁଡା ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ଆଜି ବୁଧବାର ପାଗ ସାଧାରଣତଃ ଶୁଖିଲା ରହିବ।
କୋଟିଆ ସୀମା ବିବାଦ : ଗଠିତ ହେବ ଏକ କମିଟି
କୋଟିଆ ସୀମା ବିବାଦ ସମସ୍ୟାର ସମାଧାନ କରିବେ ସରକାର । ଏଥିପାଇଁ ରାଜସ୍ବ ବିଭାଗ ନେତୃତ୍ୱରେ ଗଠିତ ହେବ ଏକ କମିଟି । ଏହି କମିଟିରେ ବିଭିନ୍ନ ବିଭାଗର ଅଧିକାରୀ ରହିବେ । ଯେଉଁ ମାନଙ୍କର କୋଟିଆ ଅଞ୍ଚଳ ଉପରେ ଅନୁଭବ ରହିଛି , ସେହି ବ୍ୟକ୍ତି ବିଶେଷ ମାନେ କମିଟିରେ ରହିବେ । ୧୫ ଦିନ ମଧ୍ୟରେ କମିଟି ଘୋଷଣା ହେବ । ପରେ ଫିଲଡ଼ ଭିଜିଟ କରି ସ୍ଥିତି ଅନୁଧ୍ୟାନ କରିବ ଟିମ । ମୁଖ୍ୟମନ୍ତ୍ରୀ ଏନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି ।