Home >>Top 10 News

Top 10 News Today:ଆଜି ବସିବ ସର୍ବଦଳୀୟ ବୈଠକ, ଆଜି ଆସିବ ସୁଭଦ୍ରା ଟଙ୍କା ଓ ସକାଳର ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Advertisement
Top 10 News Today:ଆଜି ବସିବ ସର୍ବଦଳୀୟ ବୈଠକ, ଆଜି ଆସିବ ସୁଭଦ୍ରା ଟଙ୍କା ଓ ସକାଳର ୧୦ ବଡ଼ ଖବର
Prabhudatta Moharana|Updated: Apr 24, 2025, 08:40 AM IST
Share

ପାକିସ୍ତାନ ବିପକ୍ଷରେ ବଡ଼ ପଦକ୍ଷେପ: ବାତିଲ ହେଲା ସିନ୍ଧୁ ଚୁକ୍ତି
ଭାରତ ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତରେ ଥିବା ଶତ୍ରୁ ଦେଶର ଦୂତାବାସ ବର୍ତ୍ତମାନ ବନ୍ଦ ହେବ। ଏହା ବ୍ୟତୀତ ସିନ୍ଧୁ ଜଳ ଚୁକ୍ତିନାମାକୁ ମଧ୍ୟ ସମାପ୍ତ କରିବାକୁ ଘୋଷଣା କରାଯାଇଛି। ସମସ୍ତ ପାକିସ୍ତାନୀଙ୍କ ଭିସା ବାତିଲ କରାଯାଇଛି। ଏହା ସହିତ ଓ୍ବାଘା-ଅଟାରୀ ସୀମାକୁ ବନ୍ଦ କରିଦିଆଯାଇଛି ।

ଆଜି ବସିବ ସର୍ବଦଳୀୟ ବୈଠକ
ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ ଆଜି ସର୍ବଦଳୀୟ ବୈଠକ ବସିବାକୁ ଯାଉଛି। ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ସର୍ବଦଳୀୟ ବୈଠକ ବସିବ। ଆଜି ସନ୍ଧ୍ୟା ୬ଟାରେ ହେବ ବୈଠକ। ବୈଠକରେ ବଡ଼ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ହୋଇପାରେ ଆଲୋଚନା। 

ଜନ୍ମମାଟିରେ ପହଞ୍ଚିଲା ପ୍ରଶାନ୍ତଙ୍କ ପାର୍ଥିବ ଶରୀର
ଆତଙ୍କୀ ଗୁଳିରେ ପ୍ରାଣ ହରାଇଥିବା ଓଡ଼ିଆ ପୁଅ ପ୍ରଶାନ୍ତ କୁମାର ଶତପଥିଙ୍କ ପାର୍ଥିବ ଶରୀର ବାଲେଶ୍ୱରର ଇସାଣୀରେ ପହଞ୍ଚିଛି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଇସାଣୀ ଅଭିମୁଖେ ବାହାରିଥିଲା ପ୍ରଶାନ୍ତଙ୍କ ମରଶରୀର। ଆଜି ଭୋର ଜନ୍ମମାଟିରେ ପହଞ୍ଚିଥିବା ନେଇ ସୂଚନା। ସେପଟେ ଘଟଣାକୁ ମନେ ପକାଇ ଚେତା ହରାଉଛନ୍ତି ପତ୍ନୀ ପ୍ରିୟଦର୍ଶିନୀ। 

ଆଉ ଜଣେ ଓଡ଼ିଆ ମୃତ: ବାଲେଶ୍ବରର ପ୍ରଶାନ୍ତଙ୍କ ସହ ବଲାଙ୍ଗୀରର ଦୀନେଶ
ଜମ୍ମୁ-କଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କୀ ଆକ୍ରମଣରେ ଜଣେ ନୁହେଁ, ଦୁଇଜଣ ଓଡ଼ିଆଙ୍କ ମୃତ୍ୟୁ ଘଟିଛି। ବାଲେଶ୍ବରର ପ୍ରଶାନ୍ତ ଶତପଥୀଙ୍କ ସହ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ଲାଠୋରର ଦୀନେଶ ଅଗ୍ରୱାଲ (୪୫)ଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହି ଘଟଣା ପ୍ରଚାରିତ ହେବା ପରେ ଲାଠୋରବାସୀ ସ୍ତମ୍ଭୀଭୂତ ହୋଇ ଯାଇଛନ୍ତି। 

କୁଖ୍ୟାତ ଅପରାଧି ହୁଣ୍ଡକୁ ଏନକାଉଣ୍ଟର
କୁଖ୍ୟାତ ଅପରାଧି ହୁଣ୍ଡକୁ ପୋଲିସର ଏନକାଉଣ୍ଟର। ଢେଙ୍କାନାଳ ସଦର ଥାନା ମଙ୍ଗଳପୁରରେ ଗୋଡ଼ାଇ ଗୋଡ଼ାଇ ଏନକାଉଣ୍ଟର କରାଯାଇଥିବା ନେଇ ସୂଚନା ରହିଛି। ଯୋଜନାବଦ୍ଧ ହତ୍ୟା ପାଇଁ ଯାଉଥିବା ବେଳେ ଏହି ଏନ୍‌କାଉଣ୍ଟର୍ କରାଯାଇଛି। ହୁଣ୍ଡ ଓରଫ ଦେବାଶିଷ ବେହେରାର ଗୋଡ଼ରେ ବାଜିଛି ଗୁଳି। ହୁଣ୍ଡ ନାଁରେ ବିଭିନ୍ନ ଥାନାରେ ରହିଛି ୨୦ରୁ ଅଧିକ ଅପରାଧିକ ମାମଲା। ହତ୍ୟା, ଚୋରି, ଡକାୟତି ଭଳି ମାମଲାରେ ହୁଣ୍ଡର ସମ୍ପୃକ୍ତି। କିଙ୍ଗ୍ ଅଫ୍ ଫରେଷ୍ଟ୍ ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ୍ ହୁଣ୍ଡ।

ଭାରତର ପଦକ୍ଷେପ ପରେ ପାକିସ୍ତାନରେ ହଲଚଲ
ଭାରତର ବଡ଼ ପଦକ୍ଷେପ ପରେ ପାକିସ୍ତାନରେ ହଲଚଲ। ଆଜି ପାକିସ୍ତାନରେ ବସିବ ଜରୁରୀକାଳୀନ ବୈଠକ। ସୁରକ୍ଷା କମିଟି ବୈଠକ ଡାକିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ। 

ଜାତୀୟ ପଞ୍ଚାୟତିରାଜ ଦିବସ: ସବୁ ପଞ୍ଚାୟତରେ ହେବ ସ୍ୱତନ୍ତ୍ର ଗ୍ରାମସଭା
ପଞ୍ଚାୟତିରାଜ ଦିବସ ଅବସରରେ ସମସ୍ତ ପଞ୍ଚାୟତରେ ବସିବ ଗ୍ରାମ ସଭା। ପ୍ରଧାନମନ୍ତ୍ରୀ ଜାତୀୟ କାର୍ଯ୍ୟକ୍ରମରୁ ଗ୍ରାମସଭାକୁ ସମ୍ବୋଧିତ କରିବେ। ସାଢ଼େ ୧୩ ହଜାର କୋଟିର ଭିତ୍ତିଭୂମି ପ୍ରକଳ୍ପକୁ ଲୋକାର୍ପଣ କରିବେ। ସ୍ବତନ୍ତ୍ର ବର୍ଗରେ ଜାତୀୟ ପଞ୍ଚାୟତିରାଜ ପୁରସ୍କାର ୨୦୨୫ ପ୍ରଦାନ କରାଯିବ। ଓଡ଼ିଶା ଏଥର ଦୁଇଟି ବର୍ଗରେ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି। ମୟୂରଭଞ୍ଜ ହାଟବଦ୍ରା ପଞ୍ଚାୟତ ଆତ୍ମନିର୍ଭର ପଞ୍ଚାୟତ ବର୍ଗରେ ଦ୍ଵିତୀୟ ସ୍ଥାନ ହାସଲ କରି ପୁରସ୍କୃତ ହେବ। ସେହିପରି ଓଡ଼ିଶା ରାଜ୍ୟ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ମଧ୍ଯ ଦ୍ବିତୀୟ ସ୍ଥାନରେ ରହି ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ସଂସ୍ଥାନ ପୁରସ୍କାର ପାଇବାକୁ ମନେନୀତ ହୋଇଛି।

ଆଜି ଆସିବ ସୁଭଦ୍ରା ଟଙ୍କା
ଗୁରୁବାର ସାରା ଦେଶରେ ପାଳନ ହେବ ଜାତୀୟ ପଞ୍ଚାୟତିରାଜ ଦିବସ । ଏହି ଅବସରରେ ରାଜ୍ୟ ସରକାର ନୂଆ ହିତାଧିକାରୀଙ୍କୁ ରାସନ କାର୍ଡ ଏବଂ ସୁଭଦ୍ରା ଟଙ୍କା ବଣ୍ଟନ କରିବେ । ଏଥିପାଇଁ  ପୁରୀରେ ଏକ ସ୍ୱତନ୍ତ୍ର ସଭାର ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କାର୍ଡ ଓ ସୁଭଦ୍ରା ସହାୟତା ବଣ୍ଟନ କରିବେ।  

ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି
ସାରା ରାଜ୍ୟରେ ଆକାଶରୁ ଅଗ୍ନିବର୍ଷା ହେଉଛି। ଟାଇଁଟାଇଁ ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଲାଣି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଶୀର୍ଷ ସ୍ତରରେ ପହଞ୍ଚିଥିବା ବେଳେ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଲାଗିରହିଛି। ଆସନ୍ତା ୨୬ ତାରିଖ ଯାଏଁ ଏଥିରୁ ନିସ୍ତାର ମିଳିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପଶ୍ଚିମ ଓଡ଼ିଶାର ସମସ୍ତ ସହରର ତାପମାତ୍ରା ୪୫ ଡିଗ୍ରି ପାଖାପାଖି ରହିବ। ତେବେ ଉତ୍ତର ଓ ଉପକୂଳ ଓଡ଼ିଶାରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇବ। ଗୋପାଳପୁର, ପୁରୀ ଓ ପାରାଦୀପର ତାପମାତ୍ରା ୩୨ରୁ ୩୪ ଡିଗ୍ରି ମଧ୍ୟରେ ରହିବ। ଢେଙ୍କାନାଳ, ଯାଜପୁର, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ପ୍ରଭୃତି ଜିଲ୍ଲାର ତାପମାତ୍ରା ୩୮ ଡିଗ୍ରି ଭିତରେ ରହିବ।

ଗଠନ ହେବ ୨୦ ଏନଏସି
ଓଡ଼ିଶା ସରକାର ରାଜ୍ୟରେ ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଗଠନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି। ବିଭିନ୍ନ ଜିଲ୍ଲାରୁ ୨୦ଟି ନୂତନ NAC ପାଇଁ ରିପୋର୍ଟ ପ୍ରାପ୍ତ ହୋଇଛି ଏବଂ ବିଶ୍ଳେଷଣ ପାଇଁ ପଞ୍ଚାୟତିରାଜ ବିଭାଗକୁ ପଠାଯାଇଛି ବୋଲି ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି।

Read More
{}{}