ଆଜି ସ୍ୱାଭିମାନ ଦିବସ
1. ଆଜି ସ୍ୱାଭିମାନ ଦିବସ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜନ୍ମଦିନ। ଓଡ଼ିଶାରେ ଭାଷା, ଶିଳ୍ପ, ସମବାୟ ଓ ସାମାଜିକ ତଥା ଆଇନଗତ ସଚେତନତା ସୃଷ୍ଟିର ଅନ୍ୟତମ କର୍ଣ୍ଣଧାର ହେଉଛନ୍ତି ମଧୁସୂଦନ ଦାସ ଓରଫ ମଧୁବାବୁ। ସେ ଓଡ଼ିଶାର ପ୍ରଥମ ଗ୍ରାଜୁଏଟ୍ ତଥା ଆଇନ ଡିଗ୍ରୀ ଧାରକ। ତାଙ୍କରି ଜନ୍ମଦିନକୁ ସାରା ଓଡ଼ିଶା ସ୍ୱାଭିମାନ ଦିବସ ଭାବେ ପାଳନ କରୁଛି। ଏହିକ୍ରମରେ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ସହ ବେସରକାରୀ ସଂଗଠନଗୁଡ଼ିକ ପକ୍ଷରୁ ଓଡ଼ିଶା ସ୍ୱାଭିମାନକୁ କେନ୍ଦ୍ରକରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।
ଓଡ଼ିଆ ସିନେମା ପାଇଁ ସ୍ମରଣୀୟ ଦିବସ
2. ଓଡ଼ିଆ ସିନେମା ପାଇଁ ମଧ୍ୟ ଆଜି ଏକ ସ୍ମରଣୀୟ ଦିନ ୧୯୩୬ ମସିହା ଆଜିର ଦିନରେ ପ୍ରଥମ ଓଡ଼ିଆ କଥାଚିତ୍ର ‘ସୀତା ବିବାହ’ ମୁକ୍ତିଲାଭ କରିଥିଲା। ପୁରୀର ଲକ୍ଷ୍ମୀ ଟକିଜରେ ଏହି ସିନେମାକୁ ଦେଖିଥିଲେ ଓଡ଼ିଆ ଲୋକେ। ସେତେବଳେ ଅନେକ ଆଶ୍ଚର୍ଯ୍ୟ ସୃଷ୍ଟି କରିଥିବା ସୀତା ବିବାହ କିନ୍ତୁ ଓଡ଼ଆ ଭାଷାରେ ସିନେମା ତିଆରି ଲାଗି ଅନ୍ୟମାନଙ୍କୁ ପ୍ରେରଣା ଦେଇଥିଲା। ପୌରାଣିକ କଥାବସ୍ତୁ ଆଧାରିତ ଏହି ସିନେମାକୁ ମୋହନ ସୁନ୍ଦର ଗୋସ୍ୱାମୀ ନିର୍ମାଣ କରିଥିଲେ। ଏହାର ପ୍ରିଣ୍ଟ ଏବେ ନାହିଁ। ଏହାସହ ଯେଉଁ ସିମାନେ ହଲରେ ଏହା ମୁକ୍ତିଲାଭ କରିଥିଲା ତାହା ଆଉ ନାହିଁ।
ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି
3. ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଲାଗି ରହିଛି। କୌଣସି ବି ମୁହୂର୍ତ୍ତରେ ଯୁଦ୍ଧର ଆଶଙ୍କା ରହିଛି। ଏପ୍ରିଲ୍ ୨୨ ତାରିଖରେ କିଛି ଆତଙ୍କୀ ପହଲଗାମ ଘାଟିରେ ୨୬ ପର୍ଯ୍ୟଟକଙ୍କୁ ଧର୍ମ ଆଧାରରେ ହତ୍ୟା କରିବା ଘଟଣାକୁ ନେଇ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ପକ୍ଷରେ ଭାରତ ସିନ୍ଧୁ ନଦୀର ପାଣିକୁ ଚେନାବ ବଦଳରେ ଝେଲମ୍କୁ ମୁହାଁଇବାରୁ ପାକ୍ ଅଧିକୃତ କଶ୍ମୀରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ କେନ୍ଦ୍ର କରି ପାକିସ୍ତାନ ଅଧିକ ଉତ୍ତେଜିତ ହୋଇଛି।
ଏଲଓସିରେ ଗୁଳିଗୋଳା ବର୍ଷା
4. ନିୟନ୍ତ୍ରଣ ରେଖା ନିକଟରେ ଦିନକୁ ଦିନ ଗୋଳାବର୍ଷର ବୃଦ୍ଧି ପାଇଛି। ପାକିସ୍ତାନର ଏହି ଉଲ୍ଲଂଘନକୁ ଜବାବ ଦେଉଛି ଭାରତୀୟ ସେନା। ଏହି ଉଲ୍ଲଂଘନ ଆହୁରି ବଢ଼ିବ ବୋଲି ସେନା ଆଶଙ୍କା କରିଛି। ତୃତୀୟ ଦିନ ପାଇଁ ନିରନ୍ତର ଭାବେ ଏହିପରି ଉଲ୍ଲଂଘନ ଭାରତକୁ ଯୁଦ୍ଧ ପାଇଁ ଉସ୍କାଉଥିବା ବେଳେ ଭାରତ ଶାନ୍ତ ଓ ଧୀରସ୍ଥିର ଭାବେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚାହିଁଛି।
ପାକିସ୍ତାନକୁ ସମର୍ଥନ ଜଣାଇଲା ଚୀନ
5. ପାକିସ୍ତାନକୁ ପୁଣିଥରେ ନିଜର ସମର୍ଥନ ଘୋଷଣା କରିଛି ଚୀନ। ପହଲଗାମ୍ ଆକ୍ରମଣ ପରେ ଭାରତ ପାକିସ୍ତାନ ଭିତରେ ଉତ୍ତେଜନା ଚାଲିଥିବା ବେଳେ ଚୀନ ଏକ ନିରପେକ୍ଷ ତଦନ୍ତକୁ ସହଯୋଗ କରିବ ବୋଲି କହିଛି। ପାକିସ୍ତାନୀ ମନ୍ତ୍ରୀ ଇସକ୍ ଦାରଙ୍କ ସହ କଥା ହେବା ବେଳେ ଚୀନ ପକ୍ଷରୁ ଏହା କୁହାଯାଇଛି ।
ସିନ୍ଧୁ ନଦୀରେ ବନ୍ୟା
6. ସିନ୍ଧୁ ନଦୀର ପାଣି ଝେଲମରେ ଆସିବା ଦ୍ୱାରା ପାକ୍ ଅଧିକୃତ କଶ୍ମୀରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ୨ ଶହରୁ ଅଧିକ ଗାଁ ଏଥିରେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଣୁ ଏଠାରେ ପାକିସ୍ତାନ ପକ୍ଷରୁ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି। ଏଥିଲାଗି ଭାରତ ବିନା ସୂଚନାରେ ଜଳ ଛାଡ଼ିଥିବା ଅଭିଯୋଗ କରିବା ସହ ପରିସ୍ଥିତିଲିଗି ଭାରତକୁ ଦାୟୀ କରିଛି ପାକିସ୍ତାନ।
ଭାରତକୁ ଆଣବିକ ବୋମା ଧମକ ଦେଲା ପାକିସ୍ତାନ
7. ପାକିସ୍ତାନ ମନ୍ତ୍ରୀ ହନିଫ୍ ଅବାସୀ ଭାରତକୁ ଆଣବିକ ବୋମା ଧମକ ଦେଖାଇଛନ୍ତି। ୧୩୦ଟି ପରମାଣୁ ବୋମା ପାକିସ୍ତାନ ପାଖରେ ରହିଛି। ଏହାସହ ଅନେକ କ୍ଷେପଣାସ୍ତାକୁ ଭାରତମୁହାଁ କରାଯାଇଥିବା ନେଇ ମନ୍ତ୍ରୀ ଏକ ଜନସଭାରେ କହିଛନ୍ତି। ଯଦି ଜଳ ବନ୍ଦ କରିଦିଆଯାଏ ତେବେ ପୂର୍ଣ୍ଣାଙ୍ଗ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି ହନିଫ୍। ଅପରପକ୍ଷେ ତାଙ୍କୁ କଡ଼ା ଜବାବ ଦେଇଛନ୍ତି ଏଆଇଏମ୍ଏମ୍ ନେତା ତଥା ସାଂସଦ ଅସଦୁଦ୍ଦିନ ଓଫେସୀ। ସେ କହିଛନ୍ତି, ପରିଣାମ ସମ୍ପର୍କରେ ଅବଗତ ନଥାଇ ପାକିସ୍ତାନ କଦାପି ନିରୀହ ଲୋକଙ୍କୁ ମାରିବା ସହ ଆଣବିକ ଶକ୍ତିର ଧମକ ଦେଇ ପାରିବ ନାହିଁ। ସେମାନେ ଜାଣିବା ଦରକାର ଯେ ଏକ ଦେଶରେ ପ୍ରବେଶ କରି ତାହାର ନିରୀହ ଲୋକଙ୍କୁ ହତ୍ୟା କରିଲେ ଏକ ଦେଶ ନୀରବ ବସିବ ନାହିଁ।
ଓଏସଏସସି ଓ ଓପିଏସସି ପରୀକ୍ଷାରେ ତୃଟି
8. ଓଡ଼ିଶାରେ ବିଭିନ୍ନ ସରକାରୀ ଖାଲିପଦ ଲାଗି ନିଯୁକ୍ତ କରୁଥିବା ସରକାରୀ ଏଜେନ୍ସୀ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ଏବଂ ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନ ପୁଣିଥରେ ଚର୍ଚ୍ଚାକୁ ଆସୁଛନ୍ତି। ପୃଥକ ଭାବେ ଦୁଇଟି ପରୀକ୍ଷା ଆୟୋଜନରେ ତ୍ରୁଟି ଥିବା ଦୁଇଟିଯାକ ସଂସ୍ଥା ସ୍ୱୀକାର କରିଛନ୍ତି। ଓପିଏସ୍ସି ପରୀକ୍ଷାରେ ପ୍ରଶ୍ନପତ୍ର ବଦଳ ହୋଇଥିଲା। ସେହିପରି ଓଏସ୍ଏସ୍ସି ପରୀକ୍ଷାରେ ମଧ୍ୟ ତ୍ରୁଟି ସାମ୍ନାକୁ ଆସିଥିଲା। ଏହାକୁ ନେଇ ଉଭୟ ପରୀକ୍ଷାର୍ଥୀ ଓ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଆଜି ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ ବନ୍ଦ
9. ଆଜି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧାରିତ ଅଭିଯୋଗ ଶୁଣାଣି ବନ୍ଦ ରହିଛି। କିନ୍ତୁ ଆସନ୍ତା ଦିନମାନଙ୍କରେ ବ୍ରହ୍ମପୁରରେ ଅଭିଯୋଗ ଶୁଣାଣୀ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ବ୍ରହ୍ମପୁରଠାରେ ଏକ ସ୍କୁଲର ବାର୍ଷିକ ଉତ୍ସବରେ ଯୋଗ ଦେଇ ଶ୍ରୀ ମାଝି ଏହି ସୂଚନା ଦେଇଛନ୍ତି। ପୂର୍ବରୁ ସମ୍ବଲପୁରରେ ଅଭିଯୋଗ ଶୁଣାଣୀ ହୋଇଛି। ଏଥିରେ ୬ ହଜାରରୁ ଅଧିକ ଲୋକଙ୍କ ଅଭିଯୋଗ ଶୁଣାଣି ହୋଇଥିବା ସେ ସୂଚନା ଦେଇଛନ୍ତି।
ରାଜ୍ୟରେ ଜାରି ରହିଛି କାଳବୈଶାଖି
10. ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ସହ ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ତାଣ୍ଡବ ଜାରି ରହିଛି। ଆହୁରି ଏକ ସପ୍ତାହ ଏପରି ପରିସ୍ଥିତି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ୨୯ ଓ ୩୦ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ବିଭାଗ ଆକଳନ କରିଛି।