ତତଲା କଡେଇରେ ଭାଜି ହେଉଛି ପଶ୍ଚିମ ଓଡିଶା
ଓଡ଼ିଶାରେ ଗରମ ବଢୁଛି। ଝାରସୁଗୁଡ଼ାରେ ସୋମବାର ଦିନ ୨ଟା ୩୦ ସୁଦ୍ଧା ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ୍ ହୋଇଛି। ସମ୍ବଲପୁରରେ ୩୯.୮, ରାଉରକେଲାରେ ୩୯ ଓ ହୀରାକୁଦରେ ୩୮.୮ ଡିଗ୍ରୀ ରେକର୍ଡ ହୋଇଛି। ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ତାପମାତ୍ରାରେ ବଡ଼ ପରିବର୍ତ୍ତନ ହେବ ନାହିଁ। କିନ୍ତୁ ତା’ପରେ ରାଜ୍ୟରେ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ ବୋଲି ପାଣିପାଗ ବିଭାଗ କହିଛି। ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ଭବାନୀପାଟଣା, ବଲାଙ୍ଗୀର, ଟିଟିଲାଗଡ଼, ସୋନପୁର, ବୌଦ୍ଧ, ପାରଳାଖେମୁଣ୍ଡି ଓ ରାଉରକେଲାରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ହୋଇପାରେ।
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର
ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏକ ସକ୍ରିୟ ଘୂର୍ଣ୍ଣିଝଡ଼ ପ୍ରଭାବରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଦକ୍ଷିଣ ପଶ୍ଚିମବଙ୍ଗର ମଧ୍ୟଭାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଧୀରେ ଧୀରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏହା ଏପ୍ରିଲ୍ ୮ ତାରିଖ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରୁ ଗତି ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ଏହା ୪୮ ଘଣ୍ଟା ପାଇଁ ସାମାନ୍ୟ ଉତ୍ତର ଦିଗକୁ ଗତି କରିବ। ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ଏହା ଦ୍ବାରା ତାତିରୁ ସାମୟିକ ଆଶ୍ବସ୍ତି ମିଳିବାର ସମ୍ଭାବନା ରହିଛି
ଶିଳ୍ପପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଆସିବ ୩୦ ହଜାର କୋଟିର ନିବେଶ
ଦୁଇ ଦିନିଆ ଦିଲ୍ଲୀ ଗସ୍ତର ପ୍ରଥମ ଦିନରେ ୧୪ ଜଣ ଶିଳ୍ପପତିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଭିନ୍ନ ପୁଞ୍ଜିପତିଙ୍କ ସହିତ ବ୍ୟକ୍ତିଗତ ସ୍ତରରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ। ଏହି ଆଲୋଚନା ଫଳରେ ମୋଟ ୩୦ ହଜାର ୫୯୫ କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ରହିଥିବା ନେଇ ସୂଚନା ରହିଛି। ଏହି ନିବେଶ ଫଳରେ ମୋଟ ୪୮ ହଜାର ନିଯୁକ୍ତି ସୃଷ୍ଟି ହେବ ବୋଲି ସମ୍ଭାବନା ରହିଛି। ସେପଟେ ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନୋଏଡାସ୍ଥିତ ଏଚସିଏଲ ପାର୍କ ମଧ୍ୟ ବୁଲି ଦେଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସୋମବାର ରାଜ୍ୟ ସରକାର ୧୧ଟି ଏମ୍ଓୟୁ ସ୍ବାକ୍ଷର କରିଛନ୍ତି।
ଏଲ୍ପିଜି ଦର ୫୦ ଟଙ୍କା ବଢ଼ିଲା
କେନ୍ଦ୍ର ସରକାର ଆଜି ଘରୋଇ ଏଲ୍ପିଜି ଦର ୫୦ ଟଙ୍କା ବଢ଼ାଇଛନ୍ତି। ଉଭୟ ସାଧାରଣ ଗ୍ରାହକ ଏବଂ ଉଜ୍ଜ୍ବଳା ଯୋଜନାର ହିତାଧିକାରୀଙ୍କ ପାଇଁ ଦର ବୃଦ୍ଧି କରାଯାଇଛି। ଚଳିତ ମାସ ୮ ତାରିଖ (ମଙ୍ଗଳବାର)ଠାରୁ ଏହାକୁ ଲାଗୁ କରାଯିବ। ଏଥିଯୋଗୁ ସାଧାରଣ ଗ୍ରାହକ ବ୍ୟବହାର କରୁଥିବା ଘରୋଇ ଏଲ୍ପିଜି ଦର ୮୦୩ ଟଙ୍କାରୁ ବୃଦ୍ଧି ଘଟି ୮୫୩ ଟଙ୍କାରେ ପହଞ୍ଚିଛି। ସେହିଭଳି ଉଜ୍ଜ୍ବଳା ଯୋଜନାରେ ପ୍ରଦାନ କରାଯାଉଥିବା ଏଲ୍ପିଜି ଦର ୫୦୦ ଟଙ୍କା ପରିବର୍ତ୍ତେ ୫୫୦ ଟଙ୍କାରେ ପହଞ୍ଚିଛି। ଏଥିସହିତ ଆଗାମୀ ଦିନରେ ପ୍ରତି ୨ରୁ ୩ ସପ୍ତାହରେ ଏହି ଦରର ସମୀକ୍ଷା କରାଯିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି।
ଜଳୁଛି ନୟାଗଡ଼ ଜଙ୍ଗଲ
ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଙ୍ଗଲ ହୁତୁହୁତୁ ହୋଇ ଜଳୁଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ବନ ବିଭାଗ କର୍ମଚାରୀ ବନାଗ୍ନି ଆୟତ୍ତ କରିବା ପାଇଁ ନାକେଦମ୍ ହେଉଛନ୍ତି। ଗ୍ରୀଷ୍ମ ଯେତିକି ବଢ଼ୁଛି ଜଙ୍ଗଲ ନିଆଁ ବନ ବିଭାଗ ପାଇଁ ସେତିକି ମୁଣ୍ଡବିନ୍ଧାର କାରଣ ହୋଇଛି। ସରକାରଙ୍କ ନିର୍ଦ୍ଦେଶ ମୁତାବକ ଚଳିତ ବର୍ଷ ଜଙ୍ଗଲରେ ୬୫୮ କିମି ଅଗ୍ନି ନିରୋଧକ ପଟି (ଫାୟାର ଲାଇନ୍) କରାଯାଇଛି। ତଥାପି ଏହି ଫାୟାର ଲାଇନ୍ ବନାଗ୍ନି ପ୍ରଶମିତ କରିବାରେ ସହାୟକ ହୋଇ ପାରୁନାହିଁ। ଯଦି ଏମିତି ଢଙ୍ଗରେ ଜଙ୍ଗଲ ଜଳେ, ତେବେ ଗ୍ରୀଷ୍ମ ଶେଷ ସୁଦ୍ଧା ନୟାଗଡ଼ର ଅନେକ ଜଙ୍ଗଲ ପୋଡ଼ି ପାଉଁଶ ହୋଇଯିବାର ଆଶଙ୍କା ଉପୁଜିଛି।
କଳା ସୋମବାର: ୧୯ ଲକ୍ଷ କୋଟି ହରାଇଲେ ନିବେଶକ
ଶୁକ୍ରବାର ପରେ ସୋମବାର ଭାତତୀୟ ସେୟାର ବଜାରରେ ପୁଣି ବିପୁଳ ହ୍ରାସ ଘଟିଛି । ଟ୍ରମ୍ପଙ୍କ ନୂଆ ଟାରିଫର ପ୍ରଭାବ ସାରା ବିଶ୍ବ ବଜାରରେ ପଡିଛି । ଏଥିପାଇଁ ଭାରତୀୟ ସେୟାର୍ ବଜାରକୁ ବ୍ୟାପକ ପରିମାଣରେ କ୍ଷତି ସହିବାକୁ ପଡିଛି । ସେୟାର ମାର୍କେଟ ପାଇଁ କଳା ସୋମବାର ସାବ୍ୟସ୍ତ ହୋଇଛି । ବିଏସ୍ଇ ୨, ୨୨୭ ପଏଣ୍ଟ (୨.୯୫%) ହ୍ରାସ ପାଇ ୭୩, ୧୩୭.୯୦ରେ ପହଞ୍ଚିଛି । ନିଫ୍ଟି ୫୦ ୭୪୩ ପଏଣ୍ଟ (୩.୨୪%) ଖସି ୨୨୧୬୧ ଛୁଇଁଛି ।
ମୁମ୍ବାଇରେ ଇଣ୍ଡିଗୋର ଜରୁରୀକାଳୀନ ଅବତରଣ
ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ଏୟାରଲାଇନ୍ସର ଏକ ଘରୋଇ ବିମାନ। ଗତକାଲି ରାତିରେ ବିମାନଟିକୁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜା ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଛି। ଫ୍ଲାଇଟ୍ 6E5324 ଜୟପୁରରୁ ମୁମ୍ବାଇ ଆସୁଥିଲା । ସେହି ସମୟରେ ବିମାନରେ ବୋମା ଆଶଙ୍କା ଥିବାରୁ ଜରୁରୀକାଳୀନ ଅବତରଣ କରାଯାଇଥିବା କୁହାଯାଉଛି। ପାଇଲଟ୍ ଧମକପୂର୍ଣ୍ଣ ବାର୍ତ୍ତା ପାଇବା ମାତ୍ରେ, ସେ ଏଟିସି ସହିତ ଯୋଗାଯୋଗ କରିଥିଲେ ଏବଂ ବିମାନର ଜରୁରୀକାଳୀନ ଅବତରଣ କରିଥିଲେ।
ଭାରତ ଆସିବ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଅଭିଯୁକ୍ତ ତହୱୁର ରାଣା
୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତହୱୁର ରାଣାଙ୍କୁ ଭାରତକୁ ପ୍ରତ୍ୟର୍ପଣ ପାଇଁ ଏବେ ପଥ ପରିଷ୍କାର। ରାଣାଙ୍କ ପ୍ରତ୍ୟାପଣ ସ୍ଥଗିତ ରଖିବାକୁ କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି ଆମେରିକାର ସୁପ୍ରିମକୋର୍ଟ। ସୋମବାର ସୁପ୍ରିମକୋର୍ଟ ୱେବସାଇଟରେ ପ୍ରକାଶିତ ଏକ ନୋଟିସ ମାଧ୍ୟମରେ ଏହି ନିଷ୍ପତ୍ତି ନିଆଯାଇଛି । ୬୪ ବର୍ଷୀୟ ତହୱୁର ରାଣା ଜଣେ ପାକିସ୍ତାନୀ ବଂଶୋଦ୍ଭବ କାନାଡିଆନ ନାଗରିକ । ତାଙ୍କୁ ବର୍ତ୍ତମାନ ଲସ୍ ଆଞ୍ଜେଲସର ମେଟ୍ରୋପଲିଟାନ୍ ଡିଟେନସନ୍ ସେଣ୍ଟରରେ ବନ୍ଦି ରଖାଯାଇଛି ।
୨୨ରେ ଆସିବ ସୁଭଦ୍ରା ଟଙ୍କା
ଆସନ୍ତା ଏପ୍ରିଲ ୨୨ ଓ ୨୩ ତାରିଖରେ ସୁଭଦ୍ରା ଯୋଜନାରେ ନୂତନ ଆବେଦନକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ । ସେମାନଙ୍କୁ ପ୍ରଥମ କିସ୍ତିର ଷଷ୍ଠ ପର୍ଯ୍ୟାୟ ଟଙ୍କା ଦିଆଯିବ ବୋଲି ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ଏଇ ରବିବାର ସୁଦ୍ଧା ୧ ଲକ୍ଷ ୭୦ ହଜାର ନୂଆ ଆବେଦନ କରିଛନ୍ତି । ଆବେଦନ କରିଥିବା ହିତାଧିକାରୀଙ୍କ ଭିତରୁ ଯେଉଁମାନେ ଯୋଗ୍ୟ ସେମାନେ ସୁଭଦ୍ରା ଟଙ୍କା ପାଇବେ।
ବଦଳିବ ସ୍ୱୟଂ ସହାୟକ ଗୋଷ୍ଠୀର ପୁନର୍ଗଠନ
ଚଳିତ ମାସରେ ସ୍ବୟଂ ସହାୟକ ଗୋଷ୍ଠୀକୁ ପୁନର୍ଗଠନ ହେବ । ଏହା ପର ମାସରେ ଜିପିଏଲଏଫ, ସିଏଲଏଫ ଓ ବିଏଲଏଫର ପୁନର୍ଗଠନ କରାଯିବ । ଏହାସହ ଜିଲ୍ଲାସ୍ତର ଓ ରାଜ୍ୟସ୍ତରରେ ସଙ୍ଗଠନରେ ମଧ୍ୟ ନୂଆ ନିଯୁକ୍ତି ମିଳିବ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ପୂର୍ବରୁ ଯେଉଁମାନେ ୨ଥର ଅର୍ଥାତ୍ ୪ ବର୍ଷରୁ ଅଧିକ କାର୍ଯ୍ୟ କରିସାରିଛନ୍ତି ସେମାନଙ୍କୁ ଆଉ ସୁଯୋଗ ମିଳିବ ନାହିଁ । ସେମାନଙ୍କୁ ବାହାର କରି ନୂଆ ମହିଳାଙ୍କୁ ସୁଯୋଗ ଦିଆଯିବ ବୋଲି ସେ କହିଛନ୍ତି।