Home >>Top 10 News

Top 10 News Today:୧୩ ଏମ୍‌ଓୟୁ ସ୍ବାକ୍ଷରିତ, ୧୫ ନିବେଶ ପ୍ରସ୍ତାବ, ଏଥର ସ୍ୱାଭାବିକ ମୌସୂମୀ ଓ ସକାଳର ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Advertisement
Top 10 News Today:୧୩ ଏମ୍‌ଓୟୁ ସ୍ବାକ୍ଷରିତ, ୧୫ ନିବେଶ ପ୍ରସ୍ତାବ, ଏଥର ସ୍ୱାଭାବିକ ମୌସୂମୀ ଓ ସକାଳର ୧୦ ବଡ଼ ଖବର
Prabhudatta Moharana|Updated: Apr 09, 2025, 08:42 AM IST
Share

୧୩ ଏମ୍‌ଓୟୁ ସ୍ବାକ୍ଷରିତ, ୧୫ ନିବେଶ ପ୍ରସ୍ତାବ
ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ନିବେଶକ ସମ୍ମିଳନୀ ମାଧ୍ୟମରେ ରାଜ୍ୟକୁ ୧,୦୩,୦୯୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି। ସେଗୁଡ଼ିକ କାର୍ଯ୍ୟକାରୀ ହେଲେ ୯୫,୯୧୫ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ୯୮,୮୮୦ କୋଟି ଟଙ୍କା ନିବେଶରେ କାର୍ଯ୍ୟକାରୀ ହେବାକୁ ଥିବା ୧୩ଟି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଛି। କେବଳ ଏମ୍‌ଓୟୁ ହୋଇଥିବା ପ୍ରକଳ୍ପ ଜରିଆରେ ୬୭ ହଜାର ନିଯୁକ୍ତି ସୃଷ୍ଟି ହେବ। ଏହା ବ୍ୟତୀତ ୧୫ଟି ନିବେଶ ପ୍ରସ୍ତାବ ମଧ୍ୟ ଆସିଛି। 

ଏଥର ସ୍ୱାଭାବିକ ମୌସୂମୀ, ମେ ଓ ଜୁନ୍‌ରେ ସ୍ବାଭାବିକ ବର୍ଷା ସମ୍ଭାବନା
ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଠିକ୍ ସମୟରେ ଓଡ଼ିଶା ଛୁଇଁବ। ସ୍ବାଭାବିକ ବର୍ଷା ମଧ୍ୟ ହେବ। ସମୁଦ୍ର ଓ ବାୟୁମଣ୍ଡଳର ସ୍ଥିତିରୁ ବିଶ୍ବର ପ୍ରମୁଖ ପାଣିପାଗ ସଂସ୍ଥାଗୁଡ଼ିକ ସଂଗ୍ରହ କରିଥିବା ତଥ୍ୟ ଅନୁଯାୟୀ ଏଭଳି ଆକଳନ କରାଯାଇଛି। ତେଣୁ ଚାଷୀମାନେ ସେହି ଅନୁସାରେ ପ୍ରସ୍ତୁତ ହେବାକୁ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳନ କହିଛନ୍ତି। ଜୁନ୍‌ ମାସରେ ସ୍ବାଭାବିକ ବର୍ଷା ହେବ। ସାଧାରଣତଃ ଏଲ୍‌-ନିନୋ ସମୟରେ ମୌସୁମୀ ବର୍ଷା କମିଥାଏ। ମୌସୁମୀକୁ ପ୍ରଭାବିତ କରୁଥିବା ଦ୍ବିତୀୟ କାରଣ ହେଉଛି ଇଣ୍ଡିଆନ୍‌ ଓସେନ୍‌ ଡାଇପୋଲ୍‌(ଆଇଓଡି)। ଆଇଇଡି ପଜେଟିଭ୍‌ ରହିଲେ ମୌସୁମୀ ବର୍ଷା ଭଲ ହୋଇଥାଏ। 

ରାଜ୍ୟରେ କାଳବୈଶାଖୀ: ବିଜୁଳି, ଘଡ଼ଘଡ଼ି ବର୍ଷା ପାଇଁ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଆଜିଠୁ ତିନିଦିନ କାଳବୈଶାଖୀ । ଆଜି ବିଜୁଳି, ଘଡ଼ଘଡ଼ି ବର୍ଷା ପାଇଁ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ସୁଦୃଶ ଲଘୁଚାପରେ ପରିଣତ ହେଲା ଲଘୁଚାପ। ଫଳରେ ଆସନ୍ତା ୧୨ ତାରିଖ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା। ବିଶେଷକରି ଉତ୍ତର ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହୋଇପାରେ।

ୱାକଫ ବିବାଦ: ପଶ୍ଚିମବଙ୍ଗରେ ଦଙ୍ଗା
ୱାକଫ ବିଲ ସଂଶୋଧନକୁ ନେଇ ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଦଙ୍ଗା ଦେଖାଦେଇଛି। ଏହି ଦଙ୍ଗାରେ ପୋଲିସର ଲାଠି ମାଡରେ ଜଣକର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। କିନ୍ତୁ ସେହି ସମୟରେ ଲୋକମାନେ ଏହାକୁ ବିଶ୍ୱାସ କରି ପୋଲିସ ବିରୋଧରେ ସ୍ଲୋଗାନ ଦେବା ଆରମ୍ଭ କରିଦେଲେ ଏବଂ ପୋଲିସ କର୍ମଚାରୀଙ୍କୁ ଠେଲାପେଲି କରିବା ଆରମ୍ଭ କରିଦେଲେ।  ଘଟଣାଟି ମଙ୍ଗଳବାର ସନ୍ଧ୍ୟାରେ ଘଟିଥିବା କୁହାଯାଉଛି। ଏହି ବିଲ୍ ବିରୋଧରେ ଜାଙ୍ଗିପୁରରେ ଆୟୋଜିତ ପ୍ରତିବାଦ ରାଲିରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ। 

ମା' ତାରିଣୀଙ୍କ ଚଇତି ପର୍ବ ଆରମ୍ଭ
ଅନ୍ତ ହେଲା ବର୍ଷକର ଅପେକ୍ଷା । ମିଳିଛି ମା’ଙ୍କ ଅପରୂପ ଦର୍ଶନ । ୭ ଦିନ ଧରି ଚାଲିବ ଏହି ମହାଆୟୋଜନ । ଏହାକୁ ନେଇ ସବୁରି ମନରେ ଆନନ୍ଦ, ଉଲ୍ଲାସ ଆଉ ଅସୁମାରୀ ଉତ୍ସାହ । ପ୍ରସିଦ୍ଧ ଶକ୍ତିପୀଠ ଘଟଗାଁ ମା’ ତାରିଣୀ ପୀଠରେ ଆଜି ଠାରୁ ଆରମ୍ଭ ହୋଇଛି ୮୯ତମ ଚଇତି ପର୍ବ । ଦୁଃଖ ହାରିଣୀ, ସଙ୍କଟ ନାଶିନୀ, ନଡ଼ିଆ ରାଣୀ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି ଶ୍ରଦ୍ଧାଳୁ । ମନ୍ଦିର ପ୍ରଶାସନ ପକ୍ଷରୁ ପୂର୍ବ ବର୍ଷ ଠାରୁ ଆହୁରି ଆଡମ୍ବରରେ ସମସ୍ତ ବ୍ୟବସ୍ଥା କରାଯାଇଛି ।

୧୧ରୁ ବଣ୍ଟା ହେବ ଆୟୁଷ୍ମାନ କାର୍ଡ
ଆସନ୍ତା ୧୧ ତାରିଖରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବିପିଏମଜେଏୱାଇ) ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (ଜିଜେଏୱାଇ)ର ହେବ ଶୁଭାରମ୍ଭ । ରାଜ୍ୟବ୍ୟାପି ଏହି କାର୍ଯ୍ୟକ୍ରମ କରାଯିବ । ଏହି ଅବସରରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ମଧ୍ୟ ଏବିପିଏମ୍‌ଜେଏୱାଇ- ଜିଜେଏୱାଇର ଶୁଭାରମ୍ଭ ହେବ । ଏଥିପାଇଁ ମଙ୍ଗଳବାର ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ବିଏମ୍‌ସି ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । କାର୍ଡ ପାଇଁ ଅଧାର ଲିଙ୍କ୍‌ କରିବାକୁ ପଡ଼ିବ । ଯଦି କୌଣସି ଜନସେବା କେନ୍ଦ୍ର ଏଥିପାଇଁ ଟଙ୍କା ଦାବି କରନ୍ତି ତାହେଲେ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି ମେୟର । 

ଓଇଆର୍‌ସି ଅଧ୍ଯକ୍ଷ ଭାବେ ଶପଥ ନେଲେ ପ୍ରଦୀପ ଜେନା
ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି)ର ଅଧ୍ଯକ୍ଷ ଭାବେ ମଙ୍ଗଳବାର ଶପଥ ଗ୍ରହଣ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ରାଜଭବନର ନୂଆ ଅଭିଷେକ ହଲ୍‌ରେ ଆୟୋଜିତ ଶପଥ ପାଠ ଉତ୍ସବରେ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍‌ପାଟି ଶ୍ରୀ ଜେନାଙ୍କୁ ଓଇଆରସିର ଅଧ୍ଯକ୍ଷ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ପୂର୍ବତନ ପ୍ରଶାସକ ସୁରେଶ ଚନ୍ଦ୍ର ମହାମାତ୍ର ଓଇଆରସିର ଅଧ୍ଯକ୍ଷ ଭାବେ ଦାୟିତ୍ଵ ତୁଲାଉଥିଲେ। ପୂର୍ବ ସରକାରରେ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସିବା ପରେ ଏହି ପଦବି ଦୀର୍ଘଦିନ ଧରି ଫାଙ୍କା ପଡ଼ିଥିଲା। ବିଜେପି କ୍ଷମତାକୁ ଆସିବା ପରେ ଇଲେକ୍ଟ୍ରିସିଟି ଆକ୍ଟ-୨୦୦୩ ଅନୁଯାୟୀ ଗତ ମାର୍ଚ୍ଚ ୨୮ରେ ଅବସରପ୍ରାପ୍ତ ଆଇଏଏସ୍ ଶ୍ରୀ ଜେନାଙ୍କୁ ଓଇଆରସିର ଅଧ୍ଯକ୍ଷ ଭାବେ ନିଯୁକ୍ତି ସଂପର୍କିତ ବିଜ୍ଞପ୍ତି ଜାରି କରିଥିଲେ।

ଜମି ଜାଲିଆତି ଘଟଣା; ସମ୍ବଲପୁର ଜିଲ୍ଲା ଉପନିବନ୍ଧକ ନିଲମ୍ବିତ
ସମ୍ବଲପୁର ଜିଲ୍ଲା ଉପନିବନ୍ଧକ ସୂର୍ଯ୍ୟନାରାୟଣ ସାମଲଙ୍କୁ ସରକାର ଜମି ପଞ୍ଜୀକରଣରେ ଜାଲିଆତି କାର୍ଯ୍ୟରେ ନିୟୋଜିତ ଥିବା ଅଭିଯୋଗରେ ନିଲମ୍ବିତ କରାଯାଇଛି । ସୂର୍ଯ୍ୟନାରାୟଣ ସାମଲ ମୃତବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ଜାଲିଆତି କରି ଜମି ବିକ୍ରି ପଞ୍ଜୀକରଣ କରାଇଥିଲେ । ସେ ଗତ ୨୮ତାରିଖ ଦିନ ଏହି କେଶ୍‌ରେ ଗିରଫ ହୋଇଥିଲେ ।

ଆଜିଠୁ ଲାଗୁ ହେବ ଆମେରିକାର ନୂଆ ଟାରିଫ୍
ଆଜିଠୁ ଲାଗୁ ହେବ ଆମେରିକାର  ନୂଆ ଟାରିଫ । ତୀବ୍ର ହେଲା ଆମେରିକା-ଚୀନ ଶୁଳ୍କ ଯୁଦ୍ଧ । ଚୀନ ଉପରେ ଆମେରିକା ଲଗାଇଲା ୧୦୪ ପ୍ରତିଶତ ଶୁଳ୍କ । ଆଜିଠୁ ଏହି ଶୁଳ୍କ ବିଧିବଦ୍ଧ ଭାବେ ଲାଗୁ ହେବ । ଚୀନ ପାଲଟା ୩୪ ପ୍ରତିଶତ ଶୁଳ୍କ ପ୍ରତ୍ୟାହାର ନ କରିବାକୁ ଆମେରିକା ଅତିରିକ୍ତ ୫୦ ପ୍ରତିଶତ ଶୁଳ୍କ ଲଗାଇବ ବୋଲି ଧମକ ଦେଇଥିଲା । ତେବେ ଚୀନ ଶୁଳ୍କ ପ୍ରତ୍ୟାହାର ନ କରିବାରୁ ଟ୍ରମ୍ପ ଚରମ ନିଷ୍ପତ୍ତି ନେଇଛନ୍ତି । ବେଜିଂ ଉପରେ ମୋଟ ୧୦୪ ପ୍ରତିଶତ ଶୁଳ୍କ ଲଗାଇଛନ୍ତି । ଏହା ପରେ ବିଶ୍ବରେ ବାଣିଜ୍ୟ ଯୁଦ୍ଧର ବିଗୁଲ ବାଜିଛି ।  

ଚେନ୍ନାଇକୁ ୧୮ ରନ୍‌ରେ ହରାଇଲା ପଞ୍ଜାବ
ପଞ୍ଜାବ କିଙ୍ଗସ୍ ୧୮ ରନରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ମଧ୍ୟ, ଏମ୍‌ଏସ୍‌ ଧୋନି ଚେନ୍ନାଇକୁ ବିଜୟୀ କରିବାରେ ବିଫଳ ହୋଇଛନ୍ତି। ପ୍ରଥମେ ଖେଳି ପଞ୍ଜାବ ୨୧୯ ରନର ଏକ ବିଶାଳ ସ୍କୋର କରିଥିଲା, ଯେଉଁଥିରେ ପ୍ରିୟାଂଶ ଆର୍ଯ୍ୟଙ୍କ ୧୦୩ ରନର ଶତକ ସବୁଠାରୁ ବଡ଼ ଅବଦାନ ଥିଲା। ବଡ଼ ଟାର୍ଗେଟର ଜବାବରେ, ଚେନ୍ନାଇ ସୁପର କିଙ୍ଗ୍ସ ଦଳ କେବଳ ୨୦୧ ରନ କରିପାରିଥିଲା ଏବଂ ୧୮ ରନରେ ମ୍ୟାଚ୍‌ ହରାଇଥିଲା।

Read More
{}{}