Home >>Top 10 News

Top 10 News: ଉପରାଷ୍ଟ୍ରପତିଙ୍କ ଇସ୍ତଫା ଗୃହୀତ, DFO ନିତ୍ୟାନନ୍ଦ ନାୟକ ଗିରଫ ସହ ଅନ୍ୟ ଖବର

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Advertisement
Top 10 News: ଉପରାଷ୍ଟ୍ରପତିଙ୍କ ଇସ୍ତଫା ଗୃହୀତ, DFO ନିତ୍ୟାନନ୍ଦ ନାୟକ ଗିରଫ ସହ ଅନ୍ୟ ଖବର
Soubhagya Ranjan Mishra|Updated: Jul 22, 2025, 03:56 PM IST
Share

Top 10 News Today

Headlines 01- ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ଗୃହୀତ ହୋଇଛି । ଉପରାଷ୍ଟ୍ରପତିଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗତକାଲି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼ ।

Headlines 02- ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତ କରିଛନ୍ତି। ସଂଗଠନ ସ୍ଥିତି ନେଇ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବୋର୍ଡ ଓ ନିଗମ ପଦବୀ ପୂରଣ ନେଇ କେନ୍ଦ୍ର ନେତୃତ୍ୱଙ୍କ ସହ ଆଲୋଚନା କରିବାର ସମ୍ଭାବନା ରହିଛି । ମନମୋହନଙ୍କ ସହ ଦିଲ୍ଲୀ ଗସ୍ତ କରିଛନ୍ତି ସଂଗଠନ ସା. ସମ୍ପାଦକ ମାନସ ମହାନ୍ତି ।

Headlines 03- ରାଜ୍ୟରେ ବର୍ତ୍ତମାନ ବନ୍ୟା ସ୍ଥିତି ନାହିଁ ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ରାଜ୍ୟରେ ଜଳଭଣ୍ଡାର କ୍ଷମତା ଠିକ୍ ଅଛି । ୫୦ରୁ ୭୫% କ୍ଷମତାରେ ୪ଟି ବୃହତ ଜଳ ଭଣ୍ଡାର, ୫୦% ତଳେ ୬ଟି ଜଳଭଣ୍ଡାର ରହିଛି । ଜୁଲାଇ ୨୪ରେ ଲଘୁଚାପ ସୃଷ୍ଟି ହେବା ନେଇ IMD ପକ୍ଷରୁ ଆକଳନ କରାଯାଇଛି । ଲଘୁଚାପର ଗତି ଦେଖି ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।

Headlines 04- ବଳଙ୍ଗାରେ ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ମାରିବା ଉଦ୍ୟମ ଘଟଣାରେ ପୀଡ଼ିତାଙ୍କ ଗାଁରେ ପହଞ୍ଚିଛନ୍ତି କଂଗ୍ରେସ ପ୍ରତିନିଧି ଦଳ । ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଓ ପ୍ରସାଦ ହରିଚନ୍ଦନଙ୍କ ସମେତ କିଛି ଦଳୀୟ ନେତା ବଳଙ୍ଗାରେ ପହଞ୍ଚିଥିଲେ । ଅନ୍ୟପଟେ, ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ୍ । ପୀଡ଼ିତାଙ୍କ ବୟାନ ରେକର୍ଡ ଆଧାରରେ ତଦନ୍ତ ଚାଲିଛି । କ୍ରାଇମବ୍ରାଞ୍ଚ ଓ ପୋଲିସର ସ୍ୱତନ୍ତ୍ର ଟିମ୍ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି ।

Headlines 05- ଚାଷୀ ପଞ୍ଜୀକରଣ ସମସ୍ୟା ଉପୁଜିବା ପରେ ବର୍ତ୍ତମାନ ତାହାକୁ ସରଳ କରାଯାଇଛି । ବାପା କି ଜେଜେଙ୍କ ନାଁରେ ଜମି ଥିଲେ ବି ପୁଅ କରିପାରିବେ ପଞ୍ଜୀକରଣ । ଯେଉଁ ପୁଅ ଯେତେ ଜମିରେ ଚାଷ କରୁଥିବେ ସେତିକିରେ ପଞ୍ଜୀକରଣ କରିପାରିବେ । ଯଦି ଜଣେ ଭାଇ ସବୁ ଜମି ଚାଷ କରୁଛି ତେବେ ଅନ୍ୟ ଭାଇ ସ୍ବୀକୃତିନାମା ଦେବେ । ସ୍ବୀକୃତିନାମା ଦେଇ ସବୁ ଜମି ପାଇଁ ପଞ୍ଜୀକଣ କରିପାରିବେ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ଏଥିସହ ସେ ଏକଥା ମଧ୍ୟ କହିଛନ୍ତି ଯେ, ଚାଷୀଙ୍କ e-KYC ଯାଞ୍ଚ ହେବ । ଖରିଫ ଧାନ ବିକିବାକୁ ପଞ୍ଜୀକରଣ ବେଳେ e-KYC କରିବେ । ଚାଷୀ ଫିଙ୍ଗର ପ୍ରିଣ୍ଟ ସହ ଆଖି ସ୍ପାନ କରାଇବେ । e-KYC ହେଲେ ନକଲି ଚାଷୀ ଚିହ୍ନଟ ହୋଇ ପାରିବେ ବୋଲି ମନ୍ତ୍ରୀ କହିଛନ୍ତି ।

Headlines 06- ରେଭେନ୍ସାର ୧୦ଜଣ ଛାତ୍ରଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରାଯାଇଛି । ରାଗିଂ ଘଟଣାକୁ ନେଇ ହୋଇଥିବା ନିଲମ୍ବନ ଆଦେଶ ଉଠିଛି । ରାଗିଂ ଘଟଣାକୁ ଅସ୍ବୀକାର କରି ଧାରଣା ଦେଇଥିଲେ ଉଭୟ ଗୋଷ୍ଠୀ ଛାତ୍ର । ହଷ୍ଟେଲ ୱାର୍ଡେନ ନିଲମ୍ବନ ପ୍ରତ୍ୟାହାର ନେଇ ନିର୍ଦ୍ଦେଶ ଜାରି କରିଛନ୍ତି ।

Headlines 07- ମାଲକାନଗିରି ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗରେ ୪ଜଣଙ୍କୁ ଗିରଫ କରାଯାଇଛି । ଜଣେ ଟ୍ରକ୍‌ ଡ୍ରାଇଭର ସହ ଆଉ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ପୀଡ଼ିତା ଜଣଙ୍କ ପୃଥକ ସ୍ଥାନରେ ଦୁଷ୍କର୍ମର ଶିକାର ହୋଇଥିଲେ ବୋଲି ଜଣାପଡିଛି । ବିଜାଘାଟି ନିକଟରୁ ନାବାଳିକାକୁ ଉଦ୍ଧାର କରିଥିଲା ଆଦର୍ଶ ଥାନା ପୋଲିସ । ସେପଟେ ଯାଜପୁର ନାବାଳିକା ଅପହରଣ ଦୁଷ୍କର୍ମ ମାମଲାରେ ୩ ଗିରଫ ହୋଇଥିବା ସୂଚନା ଦେିଛନ୍ତି ଯାଜପୁର ଏସ୍‌ପି । ୨ ପୂର୍ବତନ କୋଚ୍‌ ଓ ବର୍ତ୍ତମାନର କୋଚ୍‌ଙ୍କୁ ଗିରଫ କରିଛି ଟାଉନ ପୋଲିସ । 

Headlines 08- ରାଜ୍ୟର ଆଉ ୨୨ଟି ଖଣି ଖୁବଶୀଘ୍ର ନିଲାମ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଖଣି ମନ୍ତ୍ରୀ ବିଭୂତି ଜେନା । ଖଣି ନିଲାମ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି । ଖଣି ନିଲାମ ଦ୍ୱାରା ରାଜ୍ୟର ରାଜସ୍ୱ ବଢିବ । ବର୍ଷେ ମଧ୍ୟରେ ୮ଟି ଖଣି ଅକ୍ସନ ହୋଇଛି । ଖଣି ପାଇଁ ଶିଳ୍ପ ଆସିଲେ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ପୂର୍ବ ସରକାର ଦୀର୍ଘ ଦିନ ଧରି ଖଣି ଅକ୍ସନ କରୁନଥିଲେ ବୋଲି ସେ କହିଛନ୍ତି ।

Headlines 09- କେନ୍ଦୁଝର କେନ୍ଦୁପତ୍ର ଡିଭିଜନ୍‌ DFO ନିତ୍ୟାନନ୍ଦ ନାୟକ ଗିରଫ ହୋଇଛନ୍ତି । ନିତ୍ୟାନନ୍ଦଙ୍କୁ କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ନିଆଯାଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ୩ ଦିନ ହେବ ଚଢାଉ ଜାରି ରଖିଥିଲା ଭିଜିଲାନ୍ସ ଟିମ୍ । ୮ ଲକ୍ଷ ୫୦ ହଜାର ଟଙ୍କା ସହ ସରକାରୀ କ୍ବାର୍ଟର୍ସରୁ ମିଳିଛି ଗୋଟିଏ ବନ୍ଧୁକ । DFOଙ୍କ କ୍ବାର୍ଟର୍ସରୁ ଜବତ ହୋଇଛି ୧୦ ଲକ୍ଷରୁ ଅଧିକ ଟଙ୍କା ।

Headlines 10- ଆଗାମୀ ୨୪ ଘଣ୍ଟାରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଛି । ଯାହା ପରବର୍ତ୍ତୀ ୪୮ଘଣ୍ଟାରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ରୂପ ନେବ । ସେପଟେ ଜୁଲାଇ ୨୨ ତାରିଖ ପାଇଁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ବଲାଙ୍ଗୀର, କନ୍ଧମାଳ ଓ ରାୟଗଡ଼ା ଭଳି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଏହି ଦୁଇଟି ଜିଲ୍ଲାର ଗୋଟିଏ କିମ୍ବା ୨ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଘଡ଼ଘଡ଼ି ସହ ଝଟକା ପବନ ( ୩୦-୪୦) କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି ।

Also Read- Shani Dev Margi 2025: ଶନି ଦେବଙ୍କ ବଡ଼ ପ୍ରଭାବ, ୩ ରାଶିକୁ ମିଳିବ କେବଳ ଲାଭ ହିଁ ଲାଭ

Read More
{}{}