Odisha Budget: ଭୁବନେଶ୍ୱର: ଆଜି ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାଧାରଣ ବଜେଟ୍ ଓ କୃଷି ବଜେଟ୍କୁ ବିଧାନସଭାରେ ରଖିବା କାର୍ଯ୍ୟକ୍ରମ ରହିଛି। ପରମ୍ପରା ଅନୁସାରେ ଏହା ଅପରାହ୍ଣରେ ଉପସ୍ଥାପନ ହୋଇପାରେ। ଆସନ୍ତୁ ନଜର ପକାଇବା ୧୦ ପ୍ରମୁଖ ବିନ୍ଦୁ ଉପରେ।
1. ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ପକ୍ଷରୁ ବଜେଟ୍ ଉପସ୍ଥାପନ ହେବ। ଏହି ବଜେଟ୍ରେ ବିଜେପି ଦେଇଥିବା ନିର୍ବାଚନ ପ୍ରତିଶୃତି ପୂରଣ ହେବା ସମ୍ଭାବନା ରହିଛି। ବଜେଟ୍ ଘୋଷଣା ପରେ ରାଜ୍ୟର ବିକାଶ ଇଞ୍ଜିନ୍ ତଥା ଆସନ୍ତା ୫ ବର୍ଷ ପାଇଁ ରାଜ୍ୟ ପ୍ରଶାସନର ଆଭିମୁଖ୍ୟ ସ୍ପଷ୍ଟ ହେବ।
2. ପ୍ରଥମତଃ ଅପେକ୍ଷାକୃତ ଏକ ଶକ୍ତ ଅର୍ଥନୀତିକ ପରିସ୍ଥିତିରେ ବିଜେପି ବିଜେଡିଠାରୁ କ୍ଷମତା ଗ୍ରହଣ କରିଛି। ଗତକାଲି ଉପସ୍ଥାପନ ହୋଇଥିବା ଅର୍ଥନୀତିକ ରିପୋର୍ଟ ଅନୁସାରେ, ଓଡ଼ିଶାରେ ଦାରିଦ୍ର୍ୟ ହାର ୪ ବର୍ଷ ଭିତରେ ପ୍ରାୟ ୧୪ ପ୍ରତିଶତ ହ୍ରାସ ପାଇଛି। ୨୦୧୫-୧୬ ଆର୍ଥିକ ବର୍ଷରେ ବହୁବିଧ ଦାରିଦ୍ର୍ୟ ୨୯.୩୪ ପ୍ରତିଶତ ଥିବାବେଳେ ୨୦୧୯-୨୦ରେ ୧୫.୬୮ ପ୍ରତିଶତକୁ ଖସିଛି। ଏହିକ୍ରମରେ ୬୨ଲକ୍ଷ ୬୦ ହଜାର ଲୋକ ବହୁବିଧ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି। ପୁଣି ଏହି ରିପୋର୍ଟରେ କୁହାଯାଇଛି ଯେ ରାଜ୍ୟ ୮.୫ ପ୍ରତିଶତ ହାରରେ ଅଭିବୃଦ୍ଧି କରିବ। ୨୦୨୨-୨୩ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୭.୯ ପ୍ରତିଶତ ଥିଲା।
3. ଆର୍ଥିକ ସ୍ତରରେ ଶକ୍ତ ହେଉଥିବା ଓଡ଼ିଶାରର ଅର୍ଥନୀତି ମୁଖ୍ୟତଃ ଖଣିଜ ଆୟ, ଖଣି ଭିତ୍ତିକ ଶିଳ୍ପ, କେନ୍ଦ୍ରୀୟ ରୟାଲଟି ଓ ଅନୁଦାନ ଉପରେ ନିର୍ଭର କରିଥାଏ। ଏଣୁ ବିକଳ୍ପ ଆୟର ଉତ୍ସ ଖୋଲିବା ଲାଗି କ୍ଷୁଦ୍ର ଓ ମଧ୍ୟମବର୍ଗୀୟ ଶିଳ୍ପକୁ ପ୍ରୋତ୍ସାହନ, ଯୁବଶକ୍ତିକୁ ଦକ୍ଷତା, କୃଷି ଓ ପର୍ଯ୍ୟଟନର ବିକାଶ ପ୍ରଭୃତି କ୍ଷେତ୍ରକୁ ଧ୍ୟାନ ଦେବାକୁ ପଡ଼ିବ। ରାଜ୍ୟ ସରକାର ଏ ଦିଗରେ ବଜେଟ୍ରେ ଘୋଷଣା କରିପାରନ୍ତି।
4. କେନ୍ଦ୍ର ସରକାର ଉପସ୍ଥାପନ କରିଥିବା ବଜେଟରେ ଓଡ଼ିଶାକୁ ଏଥର ପ୍ରଥମଥର ପାଇଁ ‘ପୂର୍ବୋଦୟ ରାଜ୍ୟ’ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଯୋଜନାରେ କେନ୍ଦ୍ର ସରକାର ପୂର୍ବୋଦୟ ରାଜ୍ୟଗୁଡ଼ିକର ଭିତ୍ତିଭୂମି, ଯୋଗାଯୋଗ ଏବଂ ଶିଳ୍ପ ବୃଦ୍ଧି ଦିଗରେ ଉଦ୍ୟମ କରିଥାଆନ୍ତି। ଏଣୁ ରାଜ୍ୟରେ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଆଡ଼ୁ ଅଧିକ ଅର୍ଥ ଆସିବାର ସମ୍ଭାବନା ରହିଛି। ଅପରପକ୍ଷେ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଧିକ ଗୁରୁତ୍ୱ ଦେଇଥିବାରୁ ଏଥର ପର୍ଯ୍ୟଟନ କ୍ଷେତ୍ରର ବିକାଶ ଲାଗି ରାଜ୍ୟ ସରକାର କିଛି ବଡ଼ ଘୋଷଣା କରିପାରନ୍ତି।
5. ଆହ୍ୱାନ ଭାବେ ରାଜ୍ୟ ସରକାରକାରଙ୍କ ଆଗରେ ଏବେ ନିର୍ବାଚନ ପ୍ରତିଶୃତି ରହିଛି। ଏହାବାଦ୍ ପୂର୍ବରୁ ବିଜେଡି ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ‘କାଳିଆ’ ଭଳି ଲାଭାର୍ଥୀ ଯୋଜନା ମଧ୍ୟ ରାଜ୍ୟ ସରକାରଙ୍କ ପାଇଁ ଆହ୍ୱାନ ସୃଷ୍ଟି କରିପାରେ। ଏହି ବଜେଟରେ କାଳିଆ ଯୋଜନା ବନ୍ଦ ହେବ ନା ନାହିଁ ତାହା ସ୍ପଷ୍ଟ ହେବ।
6. ପୁଣି ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ପ୍ରତିଶୃତି ଦେଇଥିବା ବିଜେପି କିପରି ପ୍ରଚଳିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ପରିଚାଳନା କରିବ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିବ। ବିଶେଷ ସୂତ୍ରର ସୂଚନା ଅନୁସାରେ ଏହି ଯୋଜନାକୁ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନା ସହ ସମ୍ମିଶ୍ରଣ କରାଯିବ।
7. ନିର୍ବାଚନ ପ୍ରତିଶୃତି ଭାବେ ମହିଳାଙ୍କ ସଶକ୍ତିକରଣ ଲାଗି ସରକାର ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ବାର୍ଷିକ ପ୍ରଦାନ କରିବେ। ଏହି ବଜେଟରେ ଚାଷୀଙ୍କ ପାଇଁ ସରକାର ସର୍ବନିମ୍ନ ସହାୟକ ମୂଲ୍ୟକୁ ୩୧୦୦ ଟଙ୍କାକୁ ବୃଦ୍ଧି କରିବେ। ଏହିସବୁ ସିଧାସଳଖ ଲାଭ ହସ୍ତାନ୍ତର ଯୋଜନାରେ ସରକାରଙ୍କୁ ଅଧିକ ରାଜସ୍ୱ ବ୍ୟୟ କରିବାକୁ ପଡ଼ିବ। ଏଣୁ ଏ ଅର୍ଥ କେଉଁଠି ଆସିବ ଏବଂ କେମିତି ପରିଚାଳନା ହେବ ତାହା ବି ମୋହନ ସରକାରଙ୍କ ପାଇଁ ଏକ ଆହ୍ୱାନ ହେବ। ଏହିକ୍ରମରେ ବିଜେଡି ସରକାରଙ୍କ କିଛି ଯୋଜନା ରଦ୍ଦ ହୋଇପାରେ।
8. ବଜେଟ୍ ପୂର୍ବରୁ ବିଭାଗୀୟ ମନ୍ତ୍ରୀ ରାସନ କାର୍ଡ ବଣ୍ଟନ ବ୍ୟବସ୍ଥାକୁ ପୁଣିଥରେ ଉନ୍ମୁକ୍ତ କରିବାକୁ କହିଛନ୍ତି। ଏଣୁ ଏହା ମଧ୍ୟ ଘୋଷଣା କରାଯାଇପାରେ। ଏହାଦ୍ୱାରା ରାଜ୍ୟର ବଞ୍ଚିତ କିଛି ଗରିବ ଶ୍ରେଣୀର ବ୍ୟକ୍ତିଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ ମିଳିବା ସ୍ପଷ୍ଟ ହେବ।
9. ଶ୍ରୀମନ୍ଦିରର ବିକାଶ ଲାଗି ସରକାର ନୂଆ ଘୋଷଣା ସାମ୍ନାକୁ ଆଣିପାରନ୍ତି। ପୂର୍ବରୁ ଅବଢ଼ା ଯୋଜନା ଅନୁସାରେ ଅଧାପନ୍ତରିଆ ବିକାଶ କାର୍ତଯ୍ୟକୁ ତ୍ୱରାନ୍ୱିତ କରାଯିବ ନା ନୂଆ ପ୍ରକଳ୍ପ ଗ୍ରହଣ କରାଯିବା ତାହା ବି ଏହି ବଜେଟରୁ ସ୍ପଷ୍ଟ ହେବ।
10. ସର୍ବଶେଷରେ ଚିଟଫଣ୍ଡ ଜମାକାରୀଙ୍କ କଥା। ଏହି ଜମାକାରୀଙ୍କ ଅର୍ଥ ଫେରସ୍ତ ପାଇଁ ବିଜେପି ନିର୍ବାଚନ ପ୍ରତିଶୃତି ଦେଇଥିଲା। ଏହା କ’ଣ ପୂରଣ ହେବ।