Ram Lalla Pran Pratishtha Ayodhya: ଆସନ୍ତା ୨୨ ତାରିଖରେ ହେବାକୁ ଯାଉଛି ଅଯୋଧ୍ୟା ଠାରେ ନିର୍ମିତ ହେଉଥିବା ଭବ୍ୟ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା। ହିନ୍ଦୁ ଧାର୍ମିକ ବିଶ୍ୱାସ ଅନୁଯାୟୀ ମନ୍ଦିରରେ ପୂଜା ପାଉଥିବା ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା ବିଶେଷ ମହତ୍ତ୍ୱ ରଖିଥାଏ। ପ୍ରାଣ ପ୍ରତିଷ୍ଠା ବିନା ମୂର୍ତ୍ତି ପୂଜା ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏହି କ୍ରମରେ ଆସନ୍ତା ୨୨ ତାରିଖକୁ ଏକ ପର୍ବ ଭାବରେ ପାଳନ କରିବା ପାଇଁ ଅଯୋଧ୍ୟା ସମେତ ସମଗ୍ର ଦେଶରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଧାର୍ମିକ ରୀତିନୀତି ୧୬ ତାରିଖ ମଙ୍ଗଳବାର ଠାରୁ ଆରମ୍ଭ ହେଉଛି। ଅଯୋଧ୍ୟା ରାମ ମନ୍ଦିରରେ ଭଗବାନ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ କୋଟି କୋଟି ରାମ ଭକ୍ତଙ୍କ ମନରେ ଉତ୍ସାହ ବୃଦ୍ଧି ପାଇଛି। ଏବେ ଆପଣ ଅଯୋଧ୍ୟା ରାମ ମନ୍ଦିରରେ ପୂଜା ପାଇବାକୁ ଯାଉଥିବା ଭଗବାନ ଶ୍ରୀରାମଙ୍କ ବିଗ୍ରହର ବିଶେଷତ୍ୱ ସମ୍ପର୍କରେ ଜାଣନ୍ତୁ।
କେଉଁ ପଥରରୁ ନିର୍ମିତ ହୋଇଛି ଭଗବାନ ଶ୍ରୀରାମଙ୍କ ବିଗ୍ରହ?
ରାମ ମନ୍ଦିରକୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ଯାହା ଆଗାମୀ ୧୦୦୦ ବର୍ଷ ପର୍ଯ୍ୟନ୍ତ ମଜବୁତ ଭାବରେ ତିଷ୍ଠି ରହିପାରିବ। ସେହିପରି ଯେଉଁ ପଥରରେ ଭଗବାନ ଶ୍ରୀରାମଙ୍କ ବିଗ୍ରହ ନିର୍ମାଣ କରାଯାଇଛି ତାହା ମଧ୍ୟ ଇଶ୍ୱରୀୟ। ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ମନ୍ଦିରରେ ବିରାଜମାନ ହେବାକୁ ଯାଉଥିବା ପ୍ରଭୁ ଶ୍ରୀରାମଙ୍କ ବାଳ ସ୍ୱରୂପ ରୂପର ମୂର୍ତ୍ତି ସମ୍ପର୍କରେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। କେଉଁ ପଥର ବ୍ୟବହାର କରି ମୂର୍ତ୍ତି ନିର୍ମାଣ କରାଯାଇଛି ସେ ସମ୍ପର୍କରେ ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ ଭଗବାନ ଶ୍ରୀରାମଙ୍କ ଯେଉଁ ମୂର୍ତ୍ତି ନିର୍ମାଣ କରାଯାଇଛି ତାହା ବାଳସ୍ୱରୂପ ରୂପରେ ତିଆରି ହୋଇଛି। ଯାହାର ଉଚ୍ଚତା ହେଉଛି ୫୧ ଇଞ୍ଚ। କଳା ପଥରରେ ନିର୍ମିତ ଭଗବାନ ଶ୍ରୀରାମଙ୍କ ବାଳସ୍ୱରୂପ ମୂର୍ତ୍ତି ଅତ୍ୟନ୍ତ ଆକର୍ଷଣୀୟ ହୋଇଛି।
ଜଳ, କ୍ଷୀର ପ୍ରସାଦ କିମ୍ବା ଅନ୍ୟ କୌଣସି ନୈବେଦ୍ୟ ମୂର୍ତ୍ତିକୁ କୌଣସି କ୍ଷତି ପହଞ୍ଚାଇବ ନାହିଁ
ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ଭଗବାନ ଶ୍ରୀରାମ ଶ୍ୟାମଳ ବର୍ଣ୍ଣର ରହିଥିଲେ। ଅଯୋଧ୍ୟା ରାମ ମନ୍ଦିର ଗର୍ଭଗୃହରେ ଶ୍ୟାମଳ ବର୍ଣ୍ଣରେ ଭଗବାନ ଶ୍ରୀରାମଙ୍କ ବିଗ୍ରହ ସ୍ଥାପନ କରାଯାଉଛି। ମନ୍ଦିରରେ ସ୍ଥାପିତ କେତେକ ମୂର୍ତ୍ତି ଶ୍ୟାମ ଶୀଳା ଅର୍ଥାତ କଳା ପଥରରୁ ନିର୍ମିତ ହୋଇଛି। ଗୋଟିଏ ବାଦାମୀ ଏବଂ ନୀଳ ରଙ୍ଗର ହୋଇଥିବାବେଳେ ଅନ୍ୟଟି ଗାଢ ରଙ୍ଗରେ ହୋଇଛି। ଯେଉଁ ପଥରରେ ଭଗବାନ ଶ୍ରୀରାମଙ୍କ ବିଗ୍ରହ ନିର୍ମାଣ କରାଯାଇଛି ତାହାର ବିଶେଷତ୍ୱ ରହିଛି। ତାହା ହେଉଛି ଜଳ, କ୍ଷୀର ପ୍ରସାଦ କିମ୍ବା ଅନ୍ୟ କୌଣସି ନୈବେଦ୍ୟ ମୂର୍ତ୍ତିକୁ କୌଣସି କ୍ଷତି ପହଞ୍ଚାଇବ ନାହିଁ। ସେହିଭଳି ଭଗବାନଙ୍କ ବିଗ୍ରହକୁ ସ୍ପର୍ଶ କରୁଥିବା ପ୍ରସାଦର ବୈବିୟତା ବୃଦ୍ଧି ପାଇବ ଏବଂ ଏହାର ପ୍ରଭାବରେ କୌଣସି ହ୍ରାସ ପାଇବ ନାହିଁ।
ଅଯୋଧ୍ୟା ଠାରେ ନିର୍ମିତ ହେଉଥିବା ଭବ୍ୟ ରାମ ମନ୍ଦିର ପାରମ୍ପାରିକ ନାଗର ଶୈଳୀରେ ନିର୍ମିତ ହୋଇଛି। ପୂର୍ବ-ପଶ୍ଚିମ ଦିଗରେ ୩୮୦ ଫୁଟ ଏବଂ ଉତ୍ତର-ଦିଗରେ ମନ୍ଦିର ପରିସର ୩୫୦ ଫୁଟ୍ ପର୍ଯ୍ୟନ୍ତ ଲମ୍ବିଛି। ମନ୍ଦିର ଉଚ୍ଚତା ପ୍ରାୟ ୧୬୧ ଫୁଟ ହେବ। ମନ୍ଦିର ନିର୍ମାଣକାରୀଙ୍କ କହିବା କଥା ଯେ ବିଗତ ୩୦୦ ବର୍ଷ ମଧ୍ୟରେ ଉତ୍ତର ଭାରତରେ ଏପରି କୌଣସି ମନ୍ଦିର ନିର୍ମାଣ ହୋଇନାହିଁ। ରାମ ମନ୍ଦିର ନିର୍ମାଣରେ ବ୍ୟବହୃତ ହୋଇଥିବା ପଥର ଆଗକୁ ପ୍ରାୟ ୧୦୦୦ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ରହିପାରିବ। ଅତି କମରେ ୧୦୦୦ ବର୍ଷ ପର୍ଯ୍ୟନ୍ତ ରାମ ମନ୍ଦିରରେ କୌଣସି ଅସୁବିଧା ହେବ ନାହିଁ।