Budget 2025: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଘୋଷଣା କରିଛନ୍ତି ଯେ କିଷାନ କ୍ରେଡିଟ୍ କାର୍ଡ (କେସିସି) ପାଇଁ ସୁଧ ସବସିଡି ସ୍କିମ୍ ସୀମା ୩ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ। ଶନିବାର ସଂସଦରେ ବଜେଟ୍ ଉପସ୍ଥାପନ କରି ସୀତାରମଣ କହିଛନ୍ତି ଯେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)ର ଋଣ ଉପଲବ୍ଧତା ରେ ଉନ୍ନତି ଆଣିବା ପାଇଁ ସରକାର ଋଣ ଗ୍ୟାରେଣ୍ଟି କଭର ବୃଦ୍ଧି କରିବେ। ଏହାବ୍ୟତୀତ ସରକାର କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ପାଇଁ ୫ ଲକ୍ଷ ଟଙ୍କା ସୀମା ବିଶିଷ୍ଟ 'କଷ୍ଟମାଇଜ୍ଡ୍' କ୍ରେଡିଟ୍ କାର୍ଡ ପ୍ରଚଳନ କରିବେ। ତେବେ ଆସନ୍ତୁ ଜାଣିବା ଚଳିତ ବଜେଟ୍ ରେ କାହାକୁ ବେଶି ଫାଇଦା ମିଳିଛି।
ଫାଇଦା-
ମଧ୍ୟବିତ୍ତ ଶ୍ରେଣୀ: ମଧ୍ୟବିତ୍ତ ଟିକସଦାତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଦେଇ ବଜେଟ ରେ ନୂଆ ଟିକସ ବ୍ୟବସ୍ଥା ଅଧିନରେ ନୂତନ ଟିକସ ସ୍ଲାବ୍ ଘୋଷଣା ହୋଇଛି। ଏହି ସଂଶୋଧିତ ଢାଞ୍ଚାରେ ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଟିକସ ବୋଝ ହ୍ରାସ କରାଯାଇଛି। ବେତନଭୋଗୀ ବ୍ୟକ୍ତି ମାନେ ଷ୍ଟାଣ୍ଡାର୍ଡ୍ ଡିଡକ୍ସନ ସମେତ ୧୨.୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତିରୁ ଉପକୃତ ହେବେ।
ବିହାର: ପାଟନା ବିମାନବନ୍ଦରର ସମ୍ପ୍ରସାରଣ ସହିତ ଏକ ମାଖନା ବୋର୍ଡ ଏବଂ ନୂତନ ବିମାନ ବନ୍ଦର ପ୍ରତିଷ୍ଠା ଘୋଷଣା କରାଯାଇଛି। ଏହାବ୍ୟତୀତ ପୂର୍ବାଞ୍ଚଳରେ ଖାଦ୍ୟ ପ୍ରକ୍ରିୟାକରଣକୁ ବଢାଇବା ପାଇଁ ଜାତୀୟ ଖାଦ୍ୟ ପ୍ରଯୁକ୍ତିବିଦ୍ୟା, ଉଦ୍ୟୋଗ, ଓ ପରିଚାଳନା ପ୍ରତିଷ୍ଠାନ ଗଠନ ବିଷୟରେ ଘୋଷଣା ହୋଇଛି। ପଶ୍ଚିମ କୋଶି କେନାଲ ଇଆରଏମ୍ ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ଘୋଷଣା କରାଯାଇଛି। ଏହାଦ୍ୱାରା ବିହାର ଉପକୃତ ହେବ।
କୃଷି: ବଜେଟରେ ୧୬ ନିୟୁତ କୃଷକଙ୍କ ପାଇଁ ଋଣ ସୁବିଧା ଏବଂ ଡାଲି ପାଇଁ ୬ ବର୍ଷିଆ ଆତ୍ମନିର୍ଭରଶୀଳତା ଅଭିଯାନ ଆରମ୍ଭ କରିବା ଯୋଜନା ଘୋଷଣା କରାଯାଇଛି। କିଷାନ କ୍ରେଡିଟ୍ କାର୍ଡରେ ଋଣ ସୀମା ବଢାଯାଇଛି। ମଞ୍ଜି ଓ କପା ମିଶନ ଆରମ୍ଭ କରାଯିବ।
ବିନିର୍ମାଣ- ଭାରତକୁ ଖେଳନା ଉତ୍ପାଦନରେ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବରେ ସ୍ଥାନିତ କରିବା ସହିତ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମଏସଏଇ) ପାଇଁ ଟାର୍ଗେଟ୍ ପଦକ୍ଷେପ ଗ୍ରହଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଘରୋଇ ଉତ୍ପାଦନ ବଢାଇବା ଲାଗି ସରକାର ଏହି ପଦକ୍ଷେପ ନେଇଛନ୍ତି।
ଯୁବବର୍ଗ ଓ ଶିକ୍ଷା- ପ୍ରମୁଖ ଇଂଞ୍ଜିନିୟରିଂ ଅନୁଷ୍ଠାନ ଗୁଡିକରେ ଦକ୍ଷତା ବୃଦ୍ଧି ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏଆଇ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ଯୋଜନା ସହିତ ଉଚ୍ଚଶିକ୍ଷା ଏବଂ ଦକ୍ଷତା ବିକାଶକୁ ପ୍ରୋତ୍ସାହନ ମିଳିଛି। ସରକାର ମେଡିକାଲ କଲେଜ ଗୁଡିକରେ ସିଟ୍ ବଢାଇବେ।
ଷ୍ଟାର୍ଟଅପ- ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ- ବ୍ୟବସ୍ଥାକୁ ସମର୍ଥନ କରିବା ପାଇଁ ୧୦ ହଜାର କୋଟି ଟଙ୍କାର ପାଣ୍ଠି ମିଳିବ ଯାହା ଉଦ୍ଭାବନ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଅଧିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ।
ନିରାଶ-
ରେଳବାଇ- ଆଧୁନିକୀକରଣ, ବିଦ୍ୟୁତ କରଣ ଏବଂ ନୂତନ ମାର୍ଗରେ ବ୍ୟାପକ ପୁଞ୍ଜିନିବେଶ ଆଶା ସତ୍ତ୍ୱେ ରେଳ କ୍ଷେତ୍ରକୁ ଉଲ୍ଲେଖନୀୟ ଆବଣ୍ଟନ ମିଳିନାହିଁ। ମୁଖ୍ୟ କ୍ଷେତ୍ରକୁ ଆର୍ଥିକ ବର୍ଷ ୨୦୨୬ ପାଇଁ ୨.୫୫ ଲକ୍ଷ କୋଟି ଟଙ୍କାର ଆବଣ୍ଟନ ମିଳିଥିବା ବେଳେ ପୂର୍ବବର୍ଷ ଏହା ୨.୬୨ ଲକ୍ଷ କୋଟି ଟଙ୍କା ଥିଲା। ଏହା ସମ୍ପ୍ରସାରଣ ପ୍ରକଳ୍ପ ଗୁଡିକ ମନ୍ଥର କରିବ ଏବଂ ପ୍ରମୁଖ ଅଂଶୀଦାର ମାନଙ୍କୁ ପ୍ରଭାବିତ କରିବା ଆଶଙ୍କା ରହିଛି।
ପ୍ରତିରକ୍ଷା- ଜାତୀୟ ନିରାପତ୍ତାକୁ ପ୍ରାଥମିକତା ଦିଆଯାଇଥିବାବେଳେ ବଜେଟରେ ପ୍ରତିରକ୍ଷା ଖର୍ଚ୍ଚରେ ସାମାନ୍ୟ ବୃଦ୍ଧି କରାଯାଇଛି ଯାହା ଆଧୁନିକୀକରଣ, କ୍ରୟ ଏବଂ ଗବେଷଣା ପାଣ୍ଠି ପାଇଁ ଶିଳ୍ପ ଆଶାଠାରୁ କମ ରହିଛି। ପ୍ରତିରକ୍ଷା ଖର୍ଚ୍ଚ ବାବଦରେ ୬,୮୧,୨୧୦ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଉଛି ଯାହା ଗତ ବର୍ଷ ଜୁଲାଇରେ ମୋଦୀଙ୍କ ତୃତୀୟ ପାଳି ପ୍ରଥମ ବଜେଟରେ ଘୋଷଣା କରାଯାଇଥିବା ୬.୨୧ ଲକ୍ଷ କୋଟି ଟଙ୍କା ତୂଳନାରେ ସାମାନ୍ୟ ଅଧିକ।
କର୍ପୋରେଟ ଜଗତ- ପ୍ରମୁଖ ଟିକସ ପ୍ରୋତ୍ସାହନ ଏବଂ ବ୍ୟବସାୟ ଅନୁକୂଳ ସଂସ୍କାର ପ୍ରାୟତଃ ନଥିବାରୁ କର୍ପୋରେଟ୍ ଜଗତ ନିରାଶ ହୋଇଛି। ଏମଏସଏମଇ ଗୁଡିକ ପ୍ରତି କିଛି ଧ୍ୟାନ ଆକର୍ଷଣ କରିଥିବା ବେଳେ ବଡ ଶିଳ୍ପ ଓ ବହୁ ରାଷ୍ଟ୍ରିୟ ନିଗମ ଗୁଡିକ ପାଇଁ ବିଶେଷ କିଛି ନାହିଁ।
ଭିତ୍ତିଭୂମି ଏବଂ ନିର୍ମାଣ- ସରକାରଙ୍କ ପୁଞ୍ଜି ବ୍ୟୟ ଆବଣ୍ଟନ ଗତବର୍ଷ ତୂଳନାରେ ୧ପ୍ରତିଶତରୁ କମ୍ ବୃଦ୍ଧି ପାଇଛି ଯାହା ବଜାର ଆଶାଠାରୁ କମ୍ । ପୁଞ୍ଜି ବ୍ୟୟ କମ୍ ହୋଇଥିବାରୁ ଭିତ୍ତିଭୂମି ଓ ନିର୍ମାଣ କ୍ଷେତ୍ର ପ୍ରଭାବିତ ହେବା ଆଶଙ୍କା ରହିଛି।
ତୈଳ ଓ ବିଶୋଧନ- ତୈଳ ମନ୍ତ୍ରଣାଳୟକୁ ବଜେଟ୍ ରେ କୌଣସି ପ୍ରକାର ସୁବିଧା ଦିଆଯାଇନାହିଁ। ତୈଳ କମ୍ପାନୀ ଗୁଡିକର କ୍ଷତି ଭରଣା କରିବା ଲାଗି ଘୋଷଣା ହୋଇନାହିଁ। ପେଟ୍ରୋଲିୟମ କ୍ଷେତ୍ର ଲାଗି ସବସିଡିକୁ ୧୨,୧୦୦ କୋଟି ଟଙ୍କାକୁ ହ୍ରାସ କରାଯାଇଛି।
ସ୍ୱାସ୍ଥ୍ୟ ସେବା- ଭାରତ ଜିଡିପିର ମାତ୍ର ୩.୩ ପ୍ରତିଶତ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିବେଶ କରୁଛି ଯାହା ଚୀନର ୫.୪ ପ୍ରତିଶତ ଏବଂ ଆମେରାକିର ୧୬ ପ୍ରତିଶତ ତୂଳନାରେ ବହୁତ କମ୍ । ନୂତନ ସ୍ୱାସ୍ଥ୍ୟ ସେବା ପଦକ୍ଷେପ କିମ୍ବା ବଜେଟ୍ ସହାୟତାର ଅଭାବ ଏହି କ୍ଷେତ୍ରରେ ନିବେଶକ ମାନଙ୍କୁ ନିରାଶ କରିଛି।
Also Read: Budget 2025: ବଜେଟରେ ଓଡ଼ିଶା ପାଇଁ କିଛି ନାହିଁ; ବିହାର, ଗୁଜୁରାଟ, ଆସାମ ଆଣ୍ଡାମାନ ଓ ଉତ୍ତର ପୂର୍ବାଞ୍ଚଳକୁ ଗୁରୁତ୍ୱ
Also Read: Today Horoscope: ଆଜି ପବିତ୍ର ସରସ୍ୱତୀ ପୂଜା, ଜାଣନ୍ତୁ କେମିତି ରହିବ ୧୨ଟି ରାଶିଚକ୍ରର ଭାଗ୍ୟଫଳ