Arvind Kejriwal Sent to Tihar Jail: ଅପ୍ରେଲ ୧ ତାରିଖ ସୋମବାର ଶେଷ ହୋଇଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ହାଜତ ମିଆଦି। ଇଡ଼ି ହାଜତ ମିଆଦି ଶେଷ ହେବା ପରେ ଦିଲ୍ଲୀ ମଦ ନୀତି ମାମଲାରେ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ କାରାଗାରରେ ରହିବେ ଅରବିନ୍ଦ କେଜ୍ରିୱାଲ। ସୋମବାର ସକାଳେ ସକାଳେ ସ୍ଥାନୀୟ କୋର୍ଟ ତାଙ୍କୁ ଅପ୍ରେଲ ୧୫ ତାରିଖ ପର୍ଯ୍ୟନ୍ତ ଜେଲ ପଠାଇ ଦେଇଥିଲେ। ଯଦିଓ ତାଙ୍କ ହାଜତ ମିଆଦୀ ବୃଦ୍ଧି କରିବା ପାଇଁ ଇଡ଼ି ପକ୍ଷରୁ ଅଦାଲତରେ କୌଣସି ଆବେଦନ ହୋଇନଥିଲା।
ସୋମବାର ଅରବିନ୍ଦ କେଜ୍ରିୱାଲଙ୍କୁ ତିହାର ଜେଲ ସ୍ଥାନାନ୍ତର କରାଯିବା ପୂର୍ବରୁ ପତ୍ନୀ ସୁନୀତା କେଜ୍ରିୱାଲ ଏବଂ ମନ୍ତ୍ରୀ ଅତିଶି ମାର୍ଲେନା ଏବଂ ସୌରଭ ଭରଦ୍ବାଜଙ୍କୁ ଭେଟିବା ପାଇଁ ତାଙ୍କୁ କୋର୍ଟ ଅନୁମତି ଦେଇଛନ୍ତି। ଗତ ମାର୍ଚ୍ଚ ୨୧ ତାରିଖରେ ମଦ ନୀତି ଦୁର୍ନୀତି ମାମଲାରେ ଗିରଫ କରିଥିଲା ଇଡ଼ି। ଏହି ମାମଲାରେ ହାଜର ହେବା ପାଇଁ କେନ୍ଦ୍ରୀୟ ଏଜେନ୍ସି ୯ ଥର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସମନ ଜାରି କରିଥିଲା। ଗିରଫ ହେବା ପର ଠାରୁ ଅରବିନ୍ଦ କେଜ୍ରିୱାଲ ଇଡ଼ି ହେପାଜତରେ ରହି ତାଙ୍କ ସରକାର ଚଳାଉଥିଲେ।
ସୋମବାର ସକାଳେ ଦିଲ୍ଲୀ ରାଉସ୍ ଆଭେନ୍ୟୁ କୋର୍ଟ ଠାରେ ହାଜର ହୋଇଥିଲେ ଅରବିନ୍ଦ କେଜ୍ରିୱାଲ୍। ଆଜି ତାଙ୍କର ଇଡ଼ି ହାଜତ ମିଆଦୀ ଶେଷ ହୋଇଥିଲା। ଇଡି଼ ପକ୍ଷରୁ କୁହାଯାଇଛି ଯେ ସେ ସହଯୋଗ କରୁନାହାଁନ୍ତି ଏବଂ ତାଙ୍କୁ ୟେଉଁ ପ୍ରଶ୍ନ କରାଯାଉଛି ସେ ତାହାର ଗୋଳମାଳ ଉତ୍ତର ଦେଉଛନ୍ତି। ସେ ବ୍ୟବହାର କରୁଥିବା ଡିଜିଟାଲ ଉପକରଣ ପାସୱାର୍ଡ କହିନାହାଁନ୍ତି ବୋଲି ଇଡି ଅଦାଲତଙ୍କୁ ଜାଣଇ ଦେଇଛନ୍ତି। ମଦ ନୀତି ଦୁର୍ନୀତିରେ ହୋଇଥିବା ଟଙ୍କା ହେରଫେର ଅଭିଯୋଗର ଯାଞ୍ଚ କରୁଥିବା କେନ୍ଦ୍ରୀୟ ଏଜେନ୍ସି ଏହା ମଧ୍ୟ କହିଛି ଯେ ଭବିଷ୍ୟତରେ ମଧ୍ୟ ତାଙ୍କର ହେପାଜତ ଆବଶ୍ୟକ ହୋଇପାରେ।
ଇଡ଼ି ଆହୁରି କହିଛି ଯେ ଅରବିନ୍ଦ କେଜ୍ରିୱାଲ ଅନ୍ୟ ଆପ୍ ସଦସ୍ୟଙ୍କ ବିରୋଧରେ ମିଥ୍ୟା ପ୍ରମାଣ ଦେଇଛନ୍ତି। ଯେତେବେଳେ ସେ ନିଜ ଦଳର ନେତାଙ୍କ ବିବୃତ୍ତିର ସାମ୍ନାସ କରିଥିଲେ ସେତେବେଳେ ସେ ସେମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଥଲେ। ସେ ଏହା ମଧ୍ୟ କହିଛନ୍ତି ଯେ ଆପ୍ ଯୋଗାଯୋଗ ଦାୟିତ୍ୱରେ ଥିବା ବିଜୟ ନାୟାର ଯିଏ ଏକ ମଞ୍ଜୁରୀ ଦେଇଛନ୍ତି। ସେ ମନ୍ତ୍ରୀ ଅତିଶି ମାର୍ଲେନା ଏବଂ ସୌରଭ ଭରଦ୍ବାଜଙ୍କୁ ରିପୋର୍ଟ କରିଥିଲେ।
ତାଙ୍କ ଅସୁସ୍ଥତାକୁ ଦୃଷ୍ଟିରେ ରଖି ତିହାର ଜେଲ ଭିତରେ ତାଙ୍କ ପାଇଁ କିଛି ଔଷଧ ଏବଂ ଏକ ବିଶେଷ ଖାଦ୍ୟ ଆବଶ୍ୟକ ବୋଲି ଅରବିନ୍ଦ କେଜ୍ରିୱାଲଙ୍କ ଓକିଲ ଦାବି କରିଛନ୍ତି। ଜେଲ ଯିବା ପରେ ତାଙ୍କୁ ରାମାୟଣ, ଶ୍ରୀମଦ୍ ଭଗବଦ୍ ଗୀତା ଏବଂ ନୀରଜା ଚୌଧୁରୀଙ୍କ ଦ୍ୱାରା ଲିଖିତ ଏକ ପୁସସ୍ତକ "ପ୍ରଧାନମନ୍ତ୍ରୀ କିପରି ନିଷ୍ପତ୍ତି ନିଅନ୍ତି" ତାହାର ଏକ କପି ପ୍ରଦାନ କରିବାକୁ ମଧ୍ୟ ଅନୁରୋଧ କରାଯାଇଛି।
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ଏନେଇ ସେ କହିଛନ୍ତି କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଦ୍ୱାରା ତାଙ୍କର ମୌଳିକ ଅଧିକାର ଉଂଲଘନ ହୋଇଛି। ଏହା ପରେ ଦିଲ୍ଲୀ ପ୍ରବର୍ତ୍ତନ ନିର୍ଦେଶାଳୟକୁ ନୋଟିସ ଜାରି କରିଛନ୍ତି। ଏହି ନୋଟିସ ଉପରେ ଇଡ଼ି ଅପ୍ରେଲ ୨ ତାରିଖ ମଙ୍ଗଳବାର ଜବାବ ଦାଖଲ କରିବ। ସେହିପରି ଅପ୍ରେଲ ୩ ତାରିଖ ବୁଧବାର ଏହା ଉପରେ ଶୁଣାଣି କରିବେ ଦିଲ୍ଲୀ ହାଇକୋର୍ଟ। ଦିଲ୍ଲୀ ମଦ ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କ ପରେ ଅରିବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି। ନିଜର ଗିରଫଦାରୀକୁ ଏକ ରାଜନୈତିକ ଷଡଯନ୍ତ୍ର ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ।
ସୋମବାର ଅଦାଲତରେ ହାଜର ହେବା ପରେ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ କୌଣସି କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିନାହାଁନ୍ତି। ଏହି ମାମଲାରେ ସିବିଆଇ ୩୧ ହଜାର ଏବଂ ଇଡ଼ି ୨୫ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ଯଦି ଆପଣ ଏହି ଚାର୍ଜସିଟ୍ ଏକାଠି ପଢନ୍ତି ତାହେଲେ ମୋତେ କାହିଁକି ଗିରଫ କରାଯାଇଛି ସେହି ପ୍ରଶ୍ନ ଉଠିବ। ଦିଲ୍ଲୀର ମଦ ବ୍ୟବସାୟରେ ପରିବର୍ତ୍ତନ ଆଣିବା ପାଇଁ ଅବକାରୀ ନୀତି ପ୍ରଣୟନ କରାଯାଇଥିଲା। ହେଲେ ଉପରାଜ୍ୟପାଳ ଭି.କେ ସାକ୍ସେନା ଏହି ନୀତିରେ ହୋଇଥିବା ଅନିୟମିତତା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଇଡ଼ି ବିଶ୍ୱାସ କରୁଛି ଦିଲ୍ଲୀ ଅବକାରୀ ନୀତିରେ ଏକ ଉଚ୍ଚ ହାରର ଲାଭ ମିଳିଥିଲା। ଯାହାକୁ ଆମ ଆଦମୀ ପାର୍ଟି ନିର୍ବାଚନ ପ୍ରଚାର ପାଇଁ ବ୍ୟବହାର କରିଥିଲା।