Donations to Ram Temple: ମହାପ୍ରଭୁ ଶ୍ରୀରାମଙ୍କର ଲୋକପ୍ରିୟତା ଦେଶ ବିଦେଶରେ ବୃଦ୍ଧି ପାଇବାରେ ଲାଗିଛି। ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ଶ୍ରୀରାମଙ୍କ ଦିବ୍ୟ ଦର୍ଶନ ପାଇଁ ଅଯୋଧ୍ୟାକୁ ଭକ୍ତଙ୍କ ସୂଅ ଛୁଟିବାରେ ଲାଗିଛି। ଜାନୁଆରୀ ୨୨ରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠ ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୨୫ ଲକ୍ଷରୁ ଉର୍ଦ୍ଧ୍ୱ ଭକ୍ତ ୧୨ ଦିନ ମଧ୍ୟରେ ରାମ ଜନ୍ମଭୂମି ପରିଦର୍ଶନ କରିଛନ୍ତି। ଏଥି ସହ ଦକ୍ଷିଣା ରୂପରେ ପାଖାପାଖି ୧୧ କୋଟିରୁ ଅଧିକ ଟଙ୍କା ଭକ୍ତମାନେ ରାମ ମନ୍ଦିରକୁ ଦାନ କରିଛନ୍ତି।ରିପୋର୍ଟ ଅନୁଯାୟୀ, ଗତ ୧୦ ଦିନ ମଧ୍ୟରେ ଦାନ ବାକ୍ସରେ ପ୍ରାୟ ୮ କୋଟି ଟଙ୍କା ଜମା କରାଯାଇଛି ଏବଂ ଅନଲାଇନରେ ପ୍ରାୟ ୪ କୋଟି ଟଙ୍କା ଦାନ କରିଛନ୍ତି ଭକ୍ତ।
ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟାଳୟର ପ୍ରଭାରୀ ପ୍ରକାଶ ଗୁପ୍ତା(Prakash Gupta) କହିଛନ୍ତି ଯେ, ଭକ୍ତମାନେ ଦାନ ଦେଉଥିବା ଗର୍ଭଗୃହ ସମ୍ମୁଖରେ ଥିବା ଚାରୋଟି ବଡ଼ ଆକାରର ଦାନ ବାକ୍ସକୁ ରଖାଯାଇଛି। ଏହା ବ୍ୟତୀତ ଲୋକମାନେ ୧୦ ଟି ଅନଲାଇନ କାଉଣ୍ଟର(Online Counter)ରେ ମଧ୍ୟ ଦାନ କରୁଛନ୍ତି।
ମନ୍ଦିର ଟ୍ରଷ୍ଟର କର୍ମଚାରୀମାନେ ମନ୍ଦିର ସମସ୍ତ ଦାନ କାଉଣ୍ଟର(Donation Counter)ରେ ନିଯୁକ୍ତ ହୋଇଛନ୍ତି, ଯେଉଁମାନେ ସନ୍ଧ୍ୟାରେ କାଉଣ୍ଟର ବନ୍ଦ ହେବା ପରେ ଟ୍ରଷ୍ଟ ଅଫିସରେ ଗ୍ରହଣ କରାଯାଇଥିବା ଦାନ ରାଶିର ଆକାଉଣ୍ଟ ଜମା କରନ୍ତି। ୧୧ ଜଣ ବ୍ୟାଙ୍କ କର୍ମଚାରୀ ଏବଂ ତିନିଜଣ ମନ୍ଦିର ଟ୍ରଷ୍ଟ କର୍ମଚାରୀଙ୍କ ସମେତ ୧୪ ଜଣ କର୍ମଚାରୀଙ୍କ ଏକ ଟିମ୍ ଚାରୋଟି ଦାନ ବାକ୍ସରେ ଥିବା ଟଙ୍କାକୁ ଗଣୁଛନ୍ତି। ଗୁପ୍ତା କହିଛନ୍ତି ଯେ ଦାନ ସଂଗ୍ରହ ଠାରୁ ଆରମ୍ଭ କରି ଗଣନା ପର୍ଯ୍ୟନ୍ତ ସବୁକିଛି ସିସିଟିଭି କ୍ୟାମେରାର ତତ୍ତ୍ୱାବଧାନରେ କରାଯାଉଛି।