Hirakud Dam: ଭୁବନେଶ୍ୱର: ଆଜି ମୁଣ୍ଡଳୀରେ ପହଞ୍ଚିବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ଗତକାଲି ହୀରାକୁଦରୁ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୨୦ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଇଥିଲା। ହୀରାକୁଦରୁ ନିଷ୍କାସିତ ବନ୍ୟାଜଳ ପ୍ରାୟତଃ ୨୪ ଘଣ୍ଟା ମଧ୍ୟରେ ମୁଣ୍ଡଳୀଠାରେ ପହଞ୍ଚିଥାଏ। ଏହି କ୍ରମରେ ଆଜି ମୁଣ୍ଡଳୀଠାରେ ଏହି ବନ୍ୟା ଜଳ ପହଞ୍ଚିବ।
ସେପଟେ ୨୦ଟି ଗେଟ ଦେଇ ହୀରାକୁଦରୁ ବନ୍ୟା ଜଳ ନିଷ୍କାସିତ ହେଉଛି। ହୀରାକୁଦ ଜଳଭଣ୍ଡାରର ଜଳ ସ୍ତର ୬୧୬.୭୯ ଫୁଟ ରହିଛି। ଜଳ ଭଣ୍ଡାରକୁ ୨ ଲକ୍ଷ ୪୬ ହଜାର ୫୯୧ କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି। ସେହିପରି ୩ ଲକ୍ଷ ୪୬ ହଜାର ୬୯୮ କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି। ପଥରଳା ଓ ଖଇରମାଳ ନିକଟରେ ମହାନଦୀ ଫୁଲିବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ ଖଇରମାଳ ନିକଟରେ ୫ ଲକ୍ଷ ୨ ହଜାର କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଥିବା ନେଇ ସୂଚନା ରହିଛି। ପଥରଳା ନିକଟରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ବନ୍ୟା ପ୍ରବାହିତ ହେଉଛି।
ସୂଚନାଯୋଗ୍ୟ ଗତକାଲି ହୀରାକୁଦ ଜଲଭଣ୍ଡାରର ସାତଟି ଗେଟ ପ୍ରଥମେ ଖୋଲାଯାଇ ବନ୍ୟା ଜଳ ନିଷ୍କାସିତ କରାଯାଇଥିଲା। ସକାଳ ନଟାରେ ପୂଜାର୍ଚ୍ଚନା ସହିତ ବାମ ପଟର ସାତ ନମ୍ବର ଗେଟ ପ୍ରଥମେ ଖୋଲାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ସାତଟି ଗେଟ ଖୋଲାଯାଇଛି ବୋଲି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ବାମ ପଟର ପାଞ୍ଚ ସହ ଡାହାଣ ପଟର ଦୁଇଟି ଗେଟ ଦେଇ ଜଳ ନିଷ୍କାସନ କରାଯାଇଥିଲା। ପୂର୍ବରୁ ସୂଚନା ଅନୁଯାୟୀ ଗେଟ ଖୋଲିବା ପାଇଁ ୪୫ ମିନିଟ ସମୟ ଲାଗିଥାଏ। ଗେଟ ଖୋଲିବା ପୂର୍ବରୁ ହୀରାକୁଦର ଜଳସ୍ତର ୬୧୭. ୨୯ ଫୁଟ ରହିଥିଲା। ହୀରାକୁଦ ଜଳ ଭଣ୍ଡାରକୁ ଉପର ମୁଣ୍ଡରୁ ଦୁଇ ଲକ୍ଷ ୭୮ ହଜାର ୨୪ କ୍ୟୁସେକ ଜଳ ପ୍ରବେଶ କରୁଛି।
ସେହିପରି ଗତକାଲି ଦିନ ଦୁଇଟା ସୁଦ୍ଧା ୨୦ଟା ଗେଟ ଦେଇ ଖୋଲାଯାଇ ହୀରାକୁଦ ଜଳ ଭଣ୍ଡାରରୁ ଜଳ ନିଷ୍କାସନ କରାଯାଇଥିଲା। କୋଡିଏଟି ଗେଟ ଦେଇତିନି ଲକ୍ଷ କ୍ୟୁସେକ ଜଳ ଛତିଶ ଘଣ୍ଟା ପରେ ଆଜି ମୁଣ୍ଡଳୀରେ ପହଞ୍ଚିବ। ମୁଣ୍ଡଳୀରେ ଦୁଇ ଲକ୍ଷ କ୍ୟୁସେକ ଜଳ ଆସୁଥିବା ବେଳେ ହୀରାକୁଦରୁ ତିନି ଲକ୍ଷ ସହ ପାଞ୍ଚ ଲକ୍ଷ କ୍ୟୁସେକ ଜଳ ନିଷ୍କାସନ ହେଲେ ମଧ୍ୟ ବାତ୍ୟା ପାଇଁ କୌଣସି ଭୟ ନାହିଁ ବୋଲି ସୂଚନା ଦେଲେ ହୀରାକୁଦର ମୁଖ୍ୟ ଯନ୍ତ୍ରୀ। ଦର୍ଶକ ମଧ୍ୟ ଏଭଳି ଅନୁପମ ଦୃଶ୍ୟ ଦେଖି ଖୁସି ଅନୁଭବ କରୁଛନ୍ତି।