Trai Reoprt: ନୂଆଦିଲ୍ଲୀ: ଦେଶରେ ମୋବାଇଲ ଗ୍ରାହକ ଅଧିକ ସୃଷ୍ଟି ହେବା ବଦଳରେ ହ୍ରାସ ପାଇଛି ସଂଖ୍ୟା। ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ ଜାରି କରିଥିବା ତଥ୍ୟ ଅନୁସାରେ ୨୦୨୪ ନଭେମ୍ବର ମାସରେ ମାତ୍ର ୬ଟି ରାଜ୍ୟରେ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ବଢିଥିବା ବେଳେ ଅନ୍ୟ ସବୁ ରାଜ୍ୟରେ ହ୍ରାସ ପାଇଛି। ଗ୍ରାହକ ବଢିଥିବା ରାଜ୍ୟ ତାଲିକାରେ ଓଡ଼ିଶା ସହିତ କର୍ଣ୍ଣାଟକ, ଉତ୍ତରପ୍ରଦେଶ, ବିହାର ହିମାଚଳ ପ୍ରଦେଶ ଓ ଦିଲ୍ଲୀର ନାଁ ରହିଛି।
ଟ୍ରାଇ ଦେଇଥିବା ତଥ୍ୟ ଅନୁଯାୟୀ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ୭୪୧୮୧ ବଢିଛି। ଫଳରେ ରାଜ୍ୟରେ ମୋଟ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୪୧ ଲକ୍ଷ ୮୭ ହଜାର ୯୪୭କୁ ବୃଦ୍ଧି ପାଇଛି। ଓଡ଼ିଶାରେ କେବଳ ଜିଓ ଓ ବିଏସଏନଏଲ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଅନ୍ୟ ଦୁଇ ଅପରେଟର ଏୟାର ଟେଲ ଓ ଭୋଡାଫୋନ ଆଇଡିଆ ହଜାର ହଜାର ଗ୍ରାହକ ହରାଇଛନ୍ତି। ଜିଓ ୯୧ ହଜାର ନୂଆ ଗ୍ରାହକ ଯୋଡ଼ିଛି। ବିଏସଏନଏଲ ଏହି ମାସରେ ପ୍ରାୟ ୧୫ ହଜାର ନୂଆ ମୋବାଇଲ ଗ୍ରାହଙ୍କୁ ହରାଇଛି। ସେହିପରି ଭୋଡ଼ାଫୋନ ଆଇଡିଆ ମଧ୍ୟ ୬ ହଜାରରୁ ଅଦିକ ଗ୍ରାହକ ହରାଇଥିବା ଜଣାପଡିଛି।
ସେହିପରି ୨୦୨୪ ନଭେମ୍ବର ସୁଦ୍ଧା ରାଜ୍ୟରେ ଜିଓର ୧ କୋଟି ୫୫ ଲକ୍ଷ ୨୨ ହଜାର ୨୨୯, ଏୟାରଟେଲର ୧ କୋଟି ୧୭ ଲକ୍ଷ ୧୯ ହଜାର ୨୮୨, ବିଏସଏନଏଲ ୫୫ ଲକ୍ଷ ୬୩ ହଜାର ୮୨୪ ଓ ଭୋଡାଫୋନ ଆଇଡିଆର ୧୩ ଲକ୍ଷ ୮୨ ହଜାର ୬୧୨ ଗ୍ରାହକ ରହିଛନ୍ତି। ସର୍ବଭାରତୀୟ ସ୍ତରରେ ଗତ ନଭେମ୍ବରରେ ୧୭ ଲକ୍ଷ ୬୮ ହଜାରରୁ ଅଧିକ ମୋବାଇଲ ଗ୍ରାହକ କଟିଛନ୍ତି। ଏୟାରଟେଲର ୧୧ ଲକ୍ଷ ୩୬ ହଜାର, ଭୋଡାଫୋନ ଆଇଡିଆ ୧୫ ଲକ୍ଷ ୨ ହଜାର ଓ ବିଏସଏନଏଲ ୩ ଲକ୍ଷ ୪୪ ହଜାର ଗ୍ରାହକଙ୍କୁ ହରାଇଛନ୍ତି।
କେବଳ ଜିଓ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ନୂଆ ଗ୍ରାହକ ଯୋଡିବାରେ ସକ୍ଷମ ହୋଇଥିବା ନେଇ ଟ୍ରାଇ ଦେଇଥିବା ତଥ୍ୟରୁ ସାମ୍ନାକୁ ଆସିଛି। ଦେଶରେ ଜମ୍ମୁ ଓ କାଶ୍ମୀର, କୋଲକାତା, ପଞ୍ଜାବ, ମୁମ୍ବାଇ, ମହାରାଷ୍ଟ୍ର, ରାଜସ୍ଥାନ, ଗୁଜୁରାଟ ଓ ହରିଆଣାରେ ବହୁ ସଂଖ୍ୟାରେ ମୋବାଇଲ ଗ୍ରାହକ କଟିଛନ୍ତି। ମଧ୍ୟ ପ୍ରଦେଶ, ଆସାମ, କେରଳ, ତାମିଲନାଡୁ ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ମଧ୍ୟ ଗ୍ରାହକଙ୍କ ସଂଖ୍ୟାରେ ହ୍ରାସ ପାଇଛି।