Hindi News >>Home >>Odisha Trending

Digital Signature: ଲୋକସଭାରେ ନୂଆ ବ୍ୟବସ୍ଥା- ଉପସ୍ଥାନ ଖାତା ନୁହେଁ, ଡିଜିଟାଲ୍‍ କଲମରେ ଦାୟର ହେଲା ସାଂସଦଙ୍କ ସ୍ୱାକ୍ଷର

ସଂସଦର ବିଭିନ୍ନ ବିଧି ଓ ବିଧାନକୁ ମଧ୍ୟ ସ୍ୱତନ୍ତ୍ର ଆପ୍ଲିକେସନ୍‍ ଜରିଆରେ ଉପଲବ୍ଧ କରିବା ପାଇଁ ଲୋକସଭା ଚେଷ୍ଟା କରୁଛି। ସବୁଠାରୁ ବଡ଼ କଥା ହେଉଛି ଏହି ବ୍ୟବସ୍ଥାର ତଦାରଖ କରୁଛନ୍ତି ଜଣେ ଓଡ଼ିଆ ମହିଳା ଅଧିକାରୀ। ସେ ହେଉଛନ୍ତି ଲୋକସଭା ସଚିବାଳୟର ନିର୍ଦ୍ଦେଶିକା ଜ୍ୟୋତ୍ସ୍ନାମୟୀ ସିହ୍ନା।

Advertisement
Digital Signature: ଲୋକସଭାରେ ନୂଆ ବ୍ୟବସ୍ଥା- ଉପସ୍ଥାନ ଖାତା ନୁହେଁ, ଡିଜିଟାଲ୍‍ କଲମରେ ଦାୟର ହେଲା ସାଂସଦଙ୍କ ସ୍ୱାକ୍ଷର
Prabhudatta Moharana|Updated: Nov 26, 2024, 12:41 PM IST
Share

Digital Signature: ନୂଆଦିଲ୍ଲୀ: ଲୋକସଭା ସଦସ୍ୟଙ୍କୁ ଏଣିକି ଉପସ୍ଥାନ ଖାତାରେ ନିଜ ହାଜିରା ପାଇଁ ସନ୍ତକ ପକାଇବା ଆବଶ୍ୟକ ପଡ଼ିବ ନାହିଁ। ଏହାର ପ୍ରତିବଦଳରେ ସେମାନଙ୍କୁ ନିର୍ଦ୍ଧାରିତ ସ୍ଥାନରେ ଥିବା ସ୍ୱତନ୍ତ୍ର ଡିଜିଟାଲ୍‍ କଲମର ସହାୟତା ନେବାକୁ ହେବ। ଏହି ଡିଜିଟାଲ୍‍ ପେନ ଦ୍ୱାରା ସେମାନେ ନିଜ ନାଁ ସାମ୍ନାରେ ଦସ୍ତଖତ କରିବେ। ଏହାକୁ ହାଜିରା ଭାବେ ଗ୍ରହଣ କରିବ ଲୋକସଭା ସଚିବାଳୟ। ଆଉ ସେହି ଅନୁସାରେ ସାଂସଦଙ୍କ ଭତ୍ତା ସ୍ଥିର ହେବ। 

ଡିଜିଟାଲ୍‍ ସଂସଦକୁ ଆଉ ପାଦେ ଆଗକୁ ନେବାକୁ ଯାଇ ଏହି ଅଭିନବ ପନ୍ଥା ଗ୍ରହଣ କରିଛନ୍ତି କର୍ତ୍ତୃପକ୍ଷ। ବାଚସ୍ପତିଙ୍କ ନିର୍ଦ୍ଦେଶ ଅନୁସାରେ ଲୋକସଭା ସଚିବାଳୟ ଏହି ଅଭିନବ ସ୍ୱାକ୍ଷର ବ୍ୟବସ୍ଥାକୁ ଆପଣାଇଛି। ଏହି ଅନୁସାରେ ଲୋକସଭାର ଲବି ଓ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଟାବଲେଟ୍‍ ଖଞ୍ଜାଯାଇଛି। ଏହି ଟାବ୍  ସ୍ୱତନ୍ତ୍ର ଆପ୍ଲିକେସନ୍‍ ଦ୍ୱାରା ପରିଚାଳିତ ହେଉଛି। ଆପ୍ଲିକେସନ୍‍ରେ ପ୍ରତିଟି ସଦସ୍ୟଙ୍କ ବାବଦରେ ତଥ୍ୟ ରହିଛି। ସଦସ୍ୟମାନେ ନିଜ ନାଁର ପ୍ରଥମ ଅକ୍ଷର ଅନୁସାରେ ନିଜ ଫାଇଲ୍‍କୁ ଖୋଜି ସେଥିରେ ଥିବା ଫଟୋକୁ ଦେଖି ନିଜ ହାଜିରା ନିଶ୍ଚିତ କରିବେ। ଏହି ଫଟୋ ପାର୍ଶ୍ୱରେ ତାଙ୍କୁ ଦସ୍ତଖତ କରିବା ଲାଗି ଏକ ନିର୍ଦ୍ଧାରିତ ବାକ୍ସ ଉନ୍ମୁକ୍ତ କରାଯାଇଛି। ଟ୍ୟାବ ସହ ସଂଲଗ୍ନ କରାଯାଇଥିବା ଡିଜିଟାଲ୍‍ କଲମରେ ସେମାନେ ନିଜର ଦସ୍ତଖତ କରିବେ। ଏହି ଦସ୍ତଖତକୁ ଟ୍ୟାବରେ ଲୋଡ୍‍ ହୋଇଥିବା ପୂର୍ବ ଦସ୍ତଖତ ସହ ସ୍ୱୟଂ ମେଳକ କରାଯିବ। ତାହା ମେଳ ଖାଇଲେ ଉପସ୍ଥାନ ପଞ୍ଜିକୃତ ହେବ। 

ଏହା ଏକ ବିଶେଷ ସହଜ ଓ ସରଳ ପ୍ରକ୍ରିୟା ହୋଇଥିବାରୁ ଆଉ ହାଜିରା ଖାତା ଖୋଜିବା ଆବଶ୍ୟକ ପଡ଼ିବ ନାହିଁ। ଅଷ୍ଟାଦଶ ଲୋକସଭାର ତୃତୀୟ ଅଧିବେଶନରୁ ଏହି ପ୍ରକ୍ରିୟାକୁ ଆରମ୍ଭ କରାଯାଇଛି। ତେବେ ପ୍ରାଥମିକ ପର୍ଯ୍ୟାୟରେ ସାଂସଦଙ୍କ ସହାୟତା କରିବା ଲାଗି ଲୋକସଭାର କର୍ମଚାରୀଙ୍କୁ ଉପସ୍ଥିତ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏହାସହ ପୁରୁଣା ଉପସ୍ଥାନ ଖାତାକୁ ମଧ୍ୟ ଦସ୍ତଖତ କରିବା ଲାଗି ରଖାଯାଇଛି। ଯଦି କୌଣସି ସାଂସଦଙ୍କ ଡିଜିଟାଲ୍‍ ଦସ୍ତଖତରେ ସମସ୍ୟା ହୁଏ ତେବେ ତାହାକୁ ବ୍ୟବହାର କରିପାରିବେ। 

ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାର କରିବା ଲାଗି ଏପରି ଅଭିନବ ପଦକ୍ଷେପ ନେଇଛି ଲୋକସଭା। ଏହିକ୍ରମରେ ଡିଜିଟାଲ୍‍ ସଂସଦରେ ଆହୁରି ଅନେକ ବ୍ୟବସ୍ଥାକୁ ଉପଲବ୍ଧ କରିବାକୁ ଯାଉଛି। ସଂସଦର ବିଭିନ୍ନ ବିଧି ଓ ବିଧାନକୁ ମଧ୍ୟ ସ୍ୱତନ୍ତ୍ର ଆପ୍ଲିକେସନ୍‍ ଜରିଆରେ ଉପଲବ୍ଧ କରିବା ପାଇଁ ଲୋକସଭା ଚେଷ୍ଟା କରୁଛି। ସବୁଠାରୁ ବଡ଼ କଥା ହେଉଛି ଏହି ବ୍ୟବସ୍ଥାର ତଦାରଖ କରୁଛନ୍ତି ଜଣେ ଓଡ଼ିଆ ମହିଳା ଅଧିକାରୀ। ସେ ହେଉଛନ୍ତି ଲୋକସଭା ସଚିବାଳୟର ନିର୍ଦ୍ଦେଶିକା ଜ୍ୟୋତ୍ସ୍ନାମୟୀ ସିହ୍ନା।

Read More
{}{}