Odisha Election 2024: ଦୁଇ ଦିନିଆ ଗସ୍ତରେ ଆସି ଗତକାଲି ଶୁକ୍ରବାର ରାତିରେ ଭୁବନେଶ୍ୱରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗତକାଲି ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିବା ପରେ ହାଇଭୋଲଟେଜ ରୋଡ଼ ଶୋ କରିବା ସହିତ ରାଜଭବନରେ ରାତ୍ରୀ ଯାପନ କରିଥିଲେ। ଆଜି ସକାଳୁ ଫୁଲବାଣୀ, ବଲାଙ୍ଗୀରରେ ହାଇଭୋଲଟେଜ ପ୍ରଚାର କରିଛନ୍ତି ମୋଦୀ। ପୂର୍ବାହ୍ଣ ୧୨ଟା ୨୪ ପାଖାପାଖି ମଞ୍ଚରେ ମଞ୍ଚାସୀନ ହୋଇଥିଲେ ମୋଦୀ । ଏହାପରେ ଆରମ୍ଭ ହୋଇଥିଲା ଅଭିଭାଷଣ।
ଜୟ ଜଗନ୍ନାଥ, ଜୟ ଶ୍ରୀ ରାମ ନାରାରେ କମ୍ପିଥିଲା ବଲାଙ୍ଗୀର। ବଲାଙ୍ଗୀରର ଅଧିଷ୍ଠାତ୍ରୀ ଦେବୀ ମା ପାଟଣେଶ୍ୱରୀଙ୍କୁ ମନେପକାଇ ଓଡ଼ିଆରେ ଆରମ୍ଭ କରିଥିଲେ ଅଭିଭାଷଣ । ପ୍ରଥମ ଧାଡ଼ିରେ ଓଡ଼ିଶାରେ ବିଜେଡି ସରକାରର ବିଦାୟୀ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଗଲାଣି ବୋଲି କହିଲେ। ମୋଦୀ ପ୍ରଧାନମନ୍ତ୍ରୀ ହେଲା ପରେ ଓଡ଼ିଶା ଆସିଲା କି? ହଜାର ବର୍ଷ ପୁରୁଣା ଏହାର ସଂସ୍କୃତି କିନ୍ତୁ କଂଗ୍ରେସ ଖାଲି ଏଠାର ଗରିବୀ ଛବି ଦୁନିଆକୁ ଦେଖାଇଥିଲା। ବିଜେଡି ସରକାର ନା ଗରିବୀ ଦୂର କରିବାକୁ କିଛି କରିଲେ ନା କଂଗ୍ରେସ ପ୍ରୟାସକୁ ରୋକିବାର ସାହସ କରିପାରିଲେ। କିନ୍ତୁ ବନ୍ଧୁଗଣ ଭଗବାନ ଶ୍ରୀ ଜଗନ୍ନାଥଙ୍କ ଏ ପୁଅ ଓଡ଼ିଶାର ଗୌରବପୂର୍ଣ୍ଣ ଐତିହ୍ୟକୁ ଭାରତ ମାତାର ସର୍ବଶ୍ରେଷ୍ଠ ଆଭୂଷଣ ଭାବେ ଗ୍ରହଣ କରିଛନ୍ତି।
ମୋଦୀ ନିଜ ଅଭିଭାଷଣରେ କହିଥିଲେ ଯେ, 'ଓଡ଼ିଶାର ୪ ଜଣଙ୍କୁ ପଦ୍ମ ପୁରସ୍କାର ବିଜେପି ସରକାର ପ୍ରଦାନ କରିଛି । ଏହାସହ ଓଡ଼ିଶା ସଂସ୍କୃତିକୁ ବହୁତ ସମ୍ମାନ କରିଛି ବିଜେପି ସରକାର। ଓଡ଼ିଶାର ଝିଅକୁ ରାଷ୍ଟ୍ରପତି କରିଛି ଆମ ସରକାର। ଜୀ-20 ସମ୍ମିଳନୀରେ କୋଣାର୍କ ସୂର୍ଯ୍ୟମନ୍ଦିର ଚକ୍ର ସାମ୍ନାରେ ହିଁ ସବୁ ବିଦେଶୀ ଅତିଥିଙ୍କ ସହ ଫଟୋ ଉଠାଯାଇଥିଲା। ଓଡ଼ିଶାର ଭୋଟ କାରଣରୁ ଏସବୁ ଉନ୍ନତି ହୋଇଛି ବୋଲି ମୋଦୀ କହିଛନ୍ତି। ଓଡ଼ିଶାର ଝିଅଙ୍କୁ ନେଇ ପୂରା ଦେଶ ଗୌରବ୍ୱାନିତ ବୋଲି ମୋଦୀ କହିଥିଲେ ।
ଏହାସହ ଓଡ଼ିଶାର ଲୋକ ବହୁତ ସ୍ବାଭିମାନୀ । ମହାପୁରୁଷ ବକ୍ସି ଜଗବନ୍ଧୁ, ଶହୀଦ ବାଜି ରାଉତ, ବିଜୁ ବାବୁ, ହରେକୃଷ୍ଣ ମହତାବ, ଗୋପବନ୍ଧୁ ଦାସଙ୍କୁ ମନେ ପକାଇଛନ୍ତି ମୋଦୀ । ଏହି ମହାପୁରୁଷ ମାନେ ଓଡ଼ିଶା ପାଇଁ ଅନେକ କିଛି କାମ କରିଛନ୍ତି ବୋଲି କହିଥିଲେ ମୋଦୀ।
ହେଲେ ଏବେ ଓଡ଼ିଶାର ସ୍ଥିତି ଦେଖିଲେ ଭାରି କଷ୍ଟ ଲାଗୁଛି। ଓଡ଼ିଶା ଏବେ ସଙ୍କଟ ଘେରରେ ରହିଛି ବୋଲି ନିଜ ଅଭିଭାଷଣରେ କହିଥିଲେ ମୋଦୀ।
ଏହାସହ ମୋଦୀ ପୁଣି ଦୋହରାଇଥିଲେ, ବିଜେଡି ସରକାରର ଏକ୍ସପାଏରୀ ଡେଟ୍ ଜୁନ୍ ୪ । ୧୦ ଜୁନ କୁ ଭୁବନେଶ୍ୱର ଆସିବାକୁ ଆହ୍ୱାନ ଦେଇ କହିଲେ ବିଜେପି ଜୁନ୍ ୧୦ ରେ ନିଜ ମୁଖ୍ୟମନ୍ତ୍ରୀ ଘୋଷଣା କରିବ। ଆଉ ସେହି ଲୋକ ମୁଖ୍ୟମନ୍ତ୍ରୀ ହେବ ଯିଏ ଓଡ଼ିଶାରେ ଜନ୍ମ ହୋଇଥିବ, ଯିଏ ଓଡ଼ିଶାର ସଂସ୍କୃତି ବୁଝିପାରୁଥିବ ଯିଏ ଲୋକଙ୍କ କଷ୍ଟ ବୁଝିପାରୁଥିବ। ଏହାହେଉଛି ମୋଦୀ ଗ୍ୟାରେଣ୍ଟି।
ବଲାଙ୍ଗୀର ମାଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ପ୍ରଚାରରେ ଆସିଲେ ତାଙ୍କୁ ପ୍ରଶ୍ନ କରିବାକୁ ସାଧାରଣ ଜନତାଙ୍କୁ ଆହ୍ୱାନ ଦେଇଛନ୍ତି। କହିଲେ ଯଦି କେବେ ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜି ଆସନ୍ତି ପ୍ରଚାର କରିବାକୁ ତେବେ ତାଙ୍କୁ ୧୦ ଟି ଗାଁ ର ନାଁ ପଚାରିବ। ଗାଁର ନାଁ ବି କହିପାରିବେନି ବୋଲି ମୁଖ୍ୟମନ୍ତ୍ରୀ ଏମିତି କହି କଟାକ୍ଷ କରିଛନ୍ତି ମୋଦୀ। ୨୫ ବର୍ଷ ହେଲାଣି ଶାସନ କଲାଣି ବିଜେଡି । ହେଲେ ଲୋକଙ୍କ ଦୁଃଖ ବୁଝିଲାନି ସରକାର । ବିଜେଡି ନେତାଙ୍କ ଘରେ କୋଠା, ଗାଡି ସବୁ ହେଲା ହେଲେ ଏଠାରେ ଲୋକମାନେ ଦାଦନ ଖଟିବାକୁ ଯାଉଛନ୍ତି ରାଜ୍ୟ ବାହାରକୁ।
ରାଜ୍ୟ ସରକାର ଏଠାରେ ଥିବା ଚାଷୀଙ୍କୁ ବହୁତ ହଇରାଣ କରିଛନ୍ତି । ଧାନର ଏମଏସପି ମୂଲ୍ୟ ସଠିକ୍ ଭାବେ ଚାଷୀ ପାଉନାହାଁନ୍ତି। ହେଲେ ବିଜେପି ସରକାର ଆସିଲେ ଧାନର ଏମଏସପି ମୂଲ୍ୟ ଚାଷୀଙ୍କୁ ୩୧୦୦ ଟଙ୍କା ପ୍ରଦାନ କରାଯିବ। କପାଚାଷୀଙ୍କ ସମସ୍ୟା ବୁଝିବ ବିଜେପି ସରକାର। ସେହିପରି ରୋଜଗାର ଠୁ ଆରମ୍ଭ କରି ସିଞ୍ଚନ ବ୍ୟବସ୍ଥା କରିବ ବିଜେପି ସରକାର ଏହା ହେଉଛି ମୋଦୀ ଗ୍ୟାରେଣ୍ଟି । ବିଜେପି ସରକାର ଆସିଲେ ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ। ବିଜେପି ସରକାର ହୋମ ଷ୍ଟେ ଉପରେ ମଧ୍ୟ କାମ କରୁଛନ୍ତି। ଭାଜପା ସରକାର ଶୁଭଦ୍ରା ଯୋଜନା ମଧ୍ୟ ଆଣୁଛି ବିଜେପି। ଗର୍ଭବତୀ ମହିଳାଙ୍କୁ ସଠିକ୍ ଭାବେ ପୋଷଣ ମିଳୁ ସେଥିପାଇଁ ଦିଲ୍ଲୀରୁ ୬ ହଜାର ଟଙ୍କା ପଠାନ୍ତି ସରକାର। ହେଲେ ଏଠାକାର ସରକାର ତାହାକୁ କାର୍ଯ୍ୟକାରୀ କରିବାକୁ ଦେଉନାହାଁନ୍ତି ସେଥିପାଇଁ ଲୋକଙ୍କୁ ସେବା ମିଳୁନି । ତେବେ ଏମିତି ସରକାରକୁ ହଟାଇବାକୁ ଆହ୍ୱାନ ଦେଲେ ମୋଦୀ ।