Hindi News >>Home >>Odisha State

Maha Shivratri 2024: ପୁରାଣ ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଆରମ୍ଭ ହେଲା ଜାଗର ମେଳା

Vedvyas Dham Odisha: ପୁରାଣ ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଆରମ୍ଭ ହୋଇଯାଇଛି ଜାଗର ମେଳା। ଯାହା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ।

Advertisement
Maha Shivratri 2024: ପୁରାଣ ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଆରମ୍ଭ ହେଲା ଜାଗର ମେଳା
Zee Odisha Desk|Updated: Mar 10, 2024, 02:11 AM IST
Share

Vedvyas Dham Jagar Mela 2024: ମହାଶିବରାତ୍ରି ଉପଲକ୍ଷେ ରାଉରକେଲା ସ୍ଥିତ ପବିତ୍ର ବେଦବ୍ୟାସ ପୀଠରେ ଆରମ୍ଭ ହୋଇଯାଇଛି ଜାଗର ମେଳା। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଆଶୁତୋଷ କୁଲକର୍ଣ୍ଣି ମେଳା ପଡ଼ିଆରେ ଉପସ୍ଥିତ ରହି ବେଦବ୍ୟାସ ମେଳା ସହ ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ରାଉରକେଲା ସ୍ଥିତ ପବିତ୍ର ବେଦବ୍ୟାସ ପୀଠର ପ୍ରସିଦ୍ଧ ଜାଗର ମେଳା ଚଳିତ ବର୍ଷ ମହାଆଡମ୍ବର ସହକାରେ ପାଳନ କରାଯାଉଛି। ପୂର୍ବରୁ ୧୫ ଦିନ ଧରି ଅୟୋଜିତ ହେଉଥିବା ଏହି ମେଳାକୁ ଚଳିତ ବର୍ଷ ସାଧାରଣ ନିର୍ବାଚନ କାରଣରୁ ୧୦ ଦିନ କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଯାହା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ।

ଏହି ମେଳା ଅବସରରେ ୩ ଦିନ ଧରି ଜିଲ୍ଲାର ବିଭିନ୍ନ ବିଭାଗ ଦ୍ଵାରା ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ଆୟୋଜିତ କରାଯାଉଛି। ଜିଲ୍ଲା କୃଷି ବିଭାଗ ସମେତ ମୃତ୍ତିକା ସଂରକ୍ଷଣ, ଜଳ ବିଭାଜିକା ଉନ୍ନୟନ ବିଭାଗ, ପାନପୋଷ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ପ୍ରଦର୍ଶନୀ ଷ୍ଟଲ୍ କରାଯାଇ ଲୋକଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଯାଉଛି। ଏହା ବ୍ୟତୀତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଜିଲ୍ଲା ଶ୍ରମ ବିଭାଗ, ଆଞ୍ଚଳିକ ପରିବହନ ବିଭାଗ ସହ ଆଞ୍ଚଳିକ ପୁନର୍ବାସ ଏବଂ ଗବେଷଣା କେନ୍ଦ୍ର ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସହାୟକ ଉପକରଣ ଏବଂ ସମନ୍ଵିତ ଭୌତିକ ଚିକିତ୍ସା କେନ୍ଦ୍ର ବିଷୟରେ ଲୋକଙ୍କୁ ସଚେତନ କରାଇବା ଲାଗି ଷ୍ଟଲ୍ କରାଯାଇଛି। 

ଏହି ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୦ ଦିନ ଧରି ଚାଲିବାକୁ ଥିବା ଏହି ମେଳାକୁ ସୁରୁଖୁରୁରେ ଶେଷ କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଶହ ଶହ ବ୍ୟବସାୟୀ ଆସି ଥିବା ବେଳେ ରାମ ଦୋଳି ଠାରୁ ଆରମ୍ଭ କରି ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରତିଦିନ ହଜାର ହଜାର ଲୋକଙ୍କୁ ଆକୃଷ୍ଟ କରୁଛି। ଏହା ପୂର୍ବରୁ ପ୍ରସିଦ୍ଧ ଶୈବ ପୀଠ ବେଦବ୍ୟାସରେ ମହାଶିବରାତ୍ରି ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହେବା ସହିତ ପୂଜାର୍ଚ୍ଚନା ହୋଇଯାଇଛି।

 

 

Read More
{}{}