Hindi News >>Home >>Odisha Trending

Pakistan News: ହାତରୁ ଚାଲିଗଲା 'ବ୍ୟାଟ୍'; କିପରି ବ୍ୟାଟିଂ କରିବେ ଇମ୍ରାନ ଖାନ?

PTI Leader Imran Khan:  ଚଳିତ ବର୍ଷ ଦେଶରେ ହେବାକୁ ଯାଉଥିବା ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମିଳିଛି ଜବରଦସ୍ତ ଝଟକା। ତାଙ୍କର ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ ନିର୍ବାଚନ ପ୍ରତୀକ "ବ୍ୟାଟ୍" ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ। 

Advertisement
Pakistan News: ହାତରୁ ଚାଲିଗଲା 'ବ୍ୟାଟ୍'; କିପରି ବ୍ୟାଟିଂ କରିବେ ଇମ୍ରାନ ଖାନ?
Zee Odisha Desk|Updated: Jan 15, 2024, 08:10 PM IST
Share

PTI loses its Election Symbol Bat: ଚଳିତ ବର୍ଷ ଦେଶରେ ହେବାକୁ ଯାଉଥିବା ସାଧାରଣ ନିର୍ବାଚନକୁ ନେଇ ସରଗରମ ରହିଛି ପାକିସ୍ତାନ ରାଜନୀତି। ହେଲେ ନିର୍ବାଚନ ପୂର୍ବରୁ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନେଇ ଆସିଛି ଏକ ବଡ଼ ଖବର। ଗତ ୧୩ ତାରିଖ ରାତିରେ ପାକିସ୍ତାନ ସୁପ୍ରିମକୋର୍ଟ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ନିର୍ବାଚନ ପ୍ରତୀକ "ବ୍ୟାଟ୍" ଚିହ୍ନକୁ ରଦ୍ଦ କରି ଦେଇଛନ୍ତି। ଦଳୀୟ ଚିହ୍ନ ରଦ୍ଦ୍ ହେବା ପରେ ପିଟିଆଇ ପକ୍ଷରୁ କୁହାଯାଇଛି ଯେ ଦଳୀୟ ପ୍ରାର୍ଥୀ ବର୍ତ୍ତମାନ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ। ଆପଣଙ୍କୁ କହିରଖୁଛୁ ଆସନ୍ତା ଫେବୃଆରୀ ୮ ତାରିଖରେ ଅନୁଷ୍ଠିତ ହେଉଛି ପାକିସ୍ତାନ ସାଧାରଣ ନିର୍ବାଚନ ୨୦୨୪।  

ଦେର ପେଶୱାର ଉଚ୍ଚ ନ୍ୟାୟାଳୟର ଦୁଇ ଜଣିଆ ବେଞ୍ଚ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ ପାକିସ୍ତାନ ନିର୍ବାଚନ ଆୟୋଗ। ଗତ ବୁଧବାର ପିଟିଆଇ ନିର୍ବାଚନ ଚିହ୍ନକୁ ବୈଧ ଘୋଷଣା କରିବା ସହ  କ୍ରିକେଟ୍ "ବ୍ୟାଟ୍" କୁ ଦଳୀୟ ନିର୍ବାଚନ ପ୍ରତୀକ ଭାବେ ମାନ୍ୟତା ପ୍ରଦାନ କରିଥିଲେ। ପ୍ରଧାନ ବିଚାରପତି କାଜୀ ଫୈଜ ଇସା, ଜଷ୍ଟିସ ମହମ୍ମଦ ଅଲି ମଜହର ଏବଂ ଜଷ୍ଟିସ ମୁସର୍ରତ ହିଲାଲୀଙ୍କୁ ନେଇ ଗଠିତ ୩ ଜଣିଆ ବେଞ୍ଚ ପାକିସ୍ତାନ ନିର୍ବାଚନ ଆୟୋଗ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖଥିଲେ। ଯାହାକୁ ଶନିବାର ବିଳମ୍ବିତ ରାତିରେ ଘୋଷଣା କରାଯାଇଥିଲା।

ପିଟିଆଇ ନିର୍ବାଚନ ପ୍ରତୀକକୁ ନେଇ କିପରି ଆରମ୍ଭ ହୋଇଥିଲା ବିବାଦ?
ପିଟିଆଇ ନିର୍ବାଚନ ପ୍ରତୀକକୁ ନେଇ ବିବାଦ ଗତ ବର୍ଷ ଡିସେମ୍ବର ୨୨ ତାରିଖରୁ ଆରମ୍ଭ ହୋଇଥିଲା। ଯେତେବେଳେ ଆସନ୍ତା ଫେବୃଆରୀ ୮ ତାରିଖରେ ହେଉଥିବା ନିର୍ବାଚନ ପାଇଁ ପିଟିଆଇ ପକ୍ଷରୁ କରାଯାଉଥିବା ଦଳୀୟ ନିର୍ବାଚନକୁ ପ୍ରତ୍ୟାଖ୍ୟାନ କରି ଦେଶର ନିର୍ବାଚନ ଆୟୋଗ, ପାକିସ୍ତାନ ତେହେରିକ-ଇ-ଇନସାଫ ପାଖରୁ ଏହାର ନିର୍ବାଚନ ପ୍ରତୀକ ଛଡ଼ାଇ ନେଇଥିଲା। ଯାହା ପରେ ପିଟିଆଇ ପେଶୱାର ହାଇକୋର୍ଟ ଠାରେ ପହଞ୍ଚିଥିଲା।  ଗତ ଡିସେମ୍ବର ୨୬ ତାରିଖରେ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ମାଧ୍ୟମରେ ପାକିସ୍ତାନ ନିର୍ବାଚନ ଆୟୋଗ ନିଷ୍ପତ୍ତିକୁ ସ୍ଥଗିତ କରାଯାଇଥିଲା। ନିର୍ବାଚନ ଆୟୋଗ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ ​​ଏବଂ ହାଇକୋର୍ଟ ଆୟୋଗ ନିଷ୍ପତ୍ତିକୁ ଗତ ୩ ତାରିଖରେ ଖାରଜ କରିଦେଇଥିଲେ। ପିଟିଆଇ ନିର୍ବାଚନ ପ୍ରତୀକ  ବ୍ୟାଟ୍‌ ଉପରେ ଶୁଣାଣି କରିବା ନେଇ ହାଇରକୋର୍ଟ ଘୋଷଣା କରିଥିଲେ। ଦୁଇ ସଦସ୍ୟ ବିଶିଷ୍ଟ ପ୍ୟାନେଲ୍ "ବ୍ୟାଟ୍" ଚିହ୍ନକୁ ପିଟିଆଇ ନିର୍ବାଚନ ପ୍ରତୀକ ଭାବେ ପୁନ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ହାଇକୋର୍ଟ ନିଷ୍ପତ୍ତିକୁ ନିର୍ବାଚନ ଆୟୋଗ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଥିଲେ​।

ନିର୍ବାଚନ ପ୍ରତୀକ ହରାଇବା ପରେ କିପରି କ୍ଷତି ସହିବ ପିଟିଆଇ?
"ବ୍ୟାଟ୍" ଚିହ୍ନ ହେଉଛି ତେହେରିକ-ଇ-ଇନସାଫ ଦଳର ପାରମ୍ପାରିକ ନିର୍ବାଚନ ପ୍ରତୀକ। ଦଳ ନିର୍ବାଚନ ପ୍ରତୀକ ହରାଇବା ପରେ ଦଳୀୟ ପ୍ରାର୍ଥୀଙ୍କୁ ବିଭିନ୍ନ ପ୍ରତୀକରେ ନିର୍ବାଚନ ଲଢିବାକୁ ପଡ଼ିପାରେ। ଯାହା ଦ୍ୱାରା ନିର୍ବାଚନ ଦିନ ଦେଶର ଦୁର୍ଗମ ଅଞ୍ଚଳର ଦଳୀୟ ସମର୍ଥକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ। ବିନା ନିର୍ବାଚନ ପ୍ରତୀକରେ ପିଟିଆଇ ଦେଶର ଜାତୀୟ ତଥା ପ୍ରାଦେଶିକ ବିଧାନସଭାରେ ସଂରକ୍ଷିତ ଆସନରେ ଅଂଶ ପାଇବ ନାହିଁ। ଯାହା ନିର୍ବାଚନରେ ​​ଜିତିଥିବା ଆସନର ଆନୁପାତିକ ପ୍ରତିନିଧିତ୍ୱ ଆଧାରରେ ବିଭିନ୍ନ ଦଳ ମଧ୍ୟରେ ବିଭକ୍ତ ହୋଇଥାଏ। ଦଳ ନିର୍ବାଚନ ପ୍ରତୀକ ହରାଇବା ପରେ ହେବାକୁ ଯାଉଥିବା କ୍ଷତିକୁ ନେଇ ଉଦବେଗ ପ୍ରକାଶ କରି ପିଟିଆଇ ଅଧ୍ୟକ୍ଷ ବାରିଷ୍ଟର ଗୌହର ଖାନ କହିଛନ୍ତି ଯେ ଜାତୀୟ ତଥା ପ୍ରାଦେଶିକ ବିଧାନସଭାରେ ୨ ଶହରୁ ଅଧିକ ଏପରି ସିଟ୍ ରହିଛି ଯେଉଁଠି ଦଳ ବହୁ କ୍ଷତି ସହିବ।

ଦଳୀୟ ନିର୍ବାଚନ ପ୍ରତୀକ ହରାଇବା ପରେ କ'ଣ କହିଲା ପିଟିଆଇ 
ସୁପ୍ରିମକୋର୍ଟ ନିଷ୍ପତ୍ତି ଉପରେ  ଜବାବ ଦେଇ ପିଟିଆଇ ନେତା ଅଲୀ ଜାଫର କହିଛନ୍ତି ଯେ ସର୍ବୋଚ୍ଚ ଅଦାଲତର ନିଷ୍ପତ୍ତିକୁ ଇତିହାସ ବିଚାର କରିବ। ହେଲେ ଏହାର ତୁରନ୍ତ ପ୍ରଭାବ ହେବ ଯେ ପିଟିଆଇ ପ୍ରାର୍ଥୀଙ୍କୁ ଦଳର ସାଧାରଣ ପ୍ରତୀକ ବିନା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ହେବ। କୋର୍ଟ ନିର୍ବାଚନ ପ୍ରତୀକ ଛଡ଼ାଇ ନେଇଛନ୍ତି ହେଲେ ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ପଞ୍ଜୀକୃତ ହୋଇ ରହିଛି। ଆମର ନୀତି ଅନୁଯାୟୀ ଆମର ସମସ୍ତ ପ୍ରାର୍ଥୀ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ। ପିଟିଆଇ ଅଧ୍ୟକ୍ଷ ବାରିଷ୍ଟର ଗୌହର ଖାନ ସୁପ୍ରିମକୋର୍ଟ ନିଷ୍ପତ୍ତିକୁ ନେଇ ନିରାଶ ହୋଇ କହିଛନ୍ତି ଯେ ପିଟିଆଇ ଏବଂ ଏହାର ସମର୍ଥକଙ୍କ ରାଜନୈତିକ ଅଧିକାର ଉଲ୍ଲଂଘନ କରାଯାଇଛି। ନିର୍ଦ୍ଧାରିତ ସମୟଠାରୁ ୨ ଘଣ୍ଟା ବିଳମ୍ବରେ ରାୟ ଘୋଷଣା କରାଯାଇଛି। ଏହି ନିଷ୍ପତ୍ତି ସମ୍ପର୍କରେ ସେ କହିଛନ୍ତି ଯେ ଏହା ସୁପ୍ରିମକୋର୍ଟ ଦ୍ୱାରା ନିଆଯାଉଥିବା ଆଉ ଏକ ଖରାପ ନିଷ୍ପତ୍ତି।

 

Read More
{}{}