Hindi News >>Home >>Odisha Trending

Youtuber Kamiya Jani: କିଏ ଏହି ୟୁଟ୍ୟୁବର କାମିୟା ଜାନୀ; ଯାହାଙ୍କ ଭିଡ଼ିଓ ପାଇଁ ସୃଷ୍ଟି ହୋଇଛି ବିବାଦ

Youtuber Kamiya Jani Controversy:  ନିଜର ଭିଡ଼ିଓ ପାଇଁ ବିବାଦ ଘେରକୁ ଟଣା ହୋଇଛନ୍ତି ପ୍ରସିଦ୍ଧ ୟୁଟ୍ୟୁବର୍ ଏବଂ ସୋସିଆଲ୍ ମିଡିଆ ଇନଫ୍ଲୁଏନସର କାମିୟା ଜାନୀ।

Advertisement
ଫଟୋ ସୌଜନ୍ୟ: ସୋସିଆଲ ମିଡ଼ିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡ଼ିଆ
Updated: Dec 22, 2023, 10:47 PM IST
Share

Youtuber Kamiya Jani Video Controversy: ପ୍ରସିଦ୍ଧ ୟୁଟ୍ୟୁବର୍ କାମିୟା ଜାନୀଙ୍କ ଏକ ଭିଡିଓ ପାଇଁ ସୃଷ୍ଟି ହୋଇଛି ବିବାଦ। ଏହି ବିବାଦ ଏତେ ବଢିଯାଇଛି ରାଜ୍ୟର ମୁଖ୍ୟ ବିରୋଧି ଦଳ ବିଜେପି ଏହି ଘଟଣାରେ ତାତି ଉଠିଛି। ୟୁଟ୍ୟୁବର୍ କାମିୟା ଜାନିଙ୍କୁ ଗିରଫ କରିବା ସହ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେପି। ୟୁଟ୍ୟୁବର୍ କାମିୟା ଜାନୀ ହିନ୍ଦୁଙ୍କ ଭାବନାକୁ ଆଘାତ ଦେଇଛି ବୋଲି ବିଜେପି ଅଭିଯୋଗ କରିଛି। କାମିୟା ଜାନୀ ଗୋମାଂସ ଖାଇଥାନ୍ତି। ଗାଈ ହେଉଛି ଆମର ମାତା। ଗୋମାଂସ ଖାଇଥିବା ବ୍ୟକ୍ତି କିପରି ପୁରୀ ଜଗନ୍ନାଥ ମନ୍ଦିରରେ ପ୍ରବେଶ କରିଛନ୍ତି? ୟୁଟ୍ୟୁବର୍ କାମିୟା ଜାନୀଙ୍କୁ ସାଥ ଦେଇଥିବା ଲୋକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେପି। ୟୁଟ୍ୟୁବର୍ କାମିୟା ଜାନୀ କିଏ? ପୁରୀ ଜଗନ୍ନାଥ ମନ୍ଦିରରେ ସେ ଏପରି କ'ଣ କରିଛନ୍ତି ଯେଉଁଥି ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

ଶ୍ରୀମନ୍ଦିରର ଭିଡ଼ିଓ ପାଇଁ ସୃଷ୍ଟି ହୋଇଛି ବିବାଦ 
ସୋସିଆଲ ମିଡିଆ ଦୁନିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ୟୁଟ୍ୟୁବର୍ କାମିୟା ଜାନୀ ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ସହ ନଜର ଆସିଛନ୍ତି। ଏନେଇ ଦାବି କରାଯାଉଛି ଯେ ଏହି ଭିଡିଓ ଜଗନ୍ନାଥ ପୁରୀ ମନ୍ଦିରରେ ସୁଟିଂ କରାଯାଇଛି। ଯେଉଁଥିରେ କାମିୟା ଜାନୀ ଏବଂ ଭି.କେ ପାଣ୍ଡିଆନ୍ ଶ୍ରୀମନ୍ଦିରର ମହାପ୍ରସାଦ ସେବନ କରୁଛନ୍ତି। ମହାପ୍ରସାଦ ବିଷୟରେ ଉଭୟେ ଚର୍ଚ୍ଚା କରୁଛନ୍ତି। 

କାମିୟା ଜାନୀଙ୍କ ଗୋମାଂସ ଖାଇଥିବାର ହୋଇଛି ଅଭିଯୋଗ 
ରାଜ୍ୟର ମୁଖ୍ୟ ବିରୋଧି ଦଳ ବିଜେପି ଏହି ପ୍ରସଙ୍ଗରେ ପ୍ରଶ୍ନ ଉଠାଇଛି। କାମିୟା ଜାନୀ ନିଜେ ଗୋମାଂସ ଖାଉଛନ୍ତି ଏବଂ ଏହାକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଏହିପରି ବ୍ୟକ୍ତି ଦ୍ୱାଦଶ ଶତାବ୍ଦୀର ପବିତ୍ର ମନ୍ଦିରରେ କିପରି ପ୍ରବେଶ କରିଛନ୍ତି? ଓଡିଶା ବିଜେପି ସାଧାରଣ ସମ୍ପାଦକ ଯତୀନ୍ ମହାନ୍ତି କହିଛନ୍ତି ଯେ ୟୁଟ୍ୟୁବର କାମିୟା ଜାନୀଙ୍କ ସହ ବିଜେଡି ନେତା ଭି.କେ ପାଣ୍ଡିଆନ ଶ୍ରୀମନ୍ଦିରର ମହାପ୍ରସାଦ ସେବନ କରିବାର ଭିଡିଓ ପ୍ରସ୍ତୁତ କରିଛନ୍ତି। ଏହା ପୂର୍ବରୁ ୟୁଟ୍ୟୁବର କାମିୟା ଜାନୀ ଗୋମାଂସ ଖାଉଥିବା ଏକ ଭିଡିଓ ପୋଷ୍ଟ କରିଥିଲେ।

 

କାହିଁକି କାମିୟା ଜାନୀଙ୍କୁ ଗିରଫ କରିବାକୁ ହେଉଛି ଦାବି?
ଓଡିଶା ବିଜେପି ସାଧାରଣ ସମ୍ପାଦକ ଯତୀନ୍ ମହାନ୍ତି କହିଛନ୍ତି ଯେ ଯେଉଁମାନେ ଗୋମାଂସ ଖାଉଛନ୍ତି ସେମାନଙ୍କୁ ଜଗନ୍ନାଥ ମନ୍ଦିରରେ ପ୍ରବେଶ କରିବାର ଅନୁମତି ନାହିଁ। ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ଆଇପିସି ଧାରା ୨୯୫ ଅନୁଯାୟୀ କାମିୟା ଜାନୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଆମେ ଦାବି କରୁଛୁ। ଯଦି କାମିୟା ଜାନୀଙ୍କୁ ଗିରଫ କରାଯାଏ ନାହିଁ, ତାହେଲେ ଆମେ ଅଦାଲତର ଦ୍ୱାରସ୍ଥ ହେବୁ।

କାମିୟା ଜାନୀ କିଏ?
ଆପଣଙ୍କୁ କହିରଖୁଛୁ ଯେ କାମିୟା ଜାନୀ ହେଉଛନ୍ତି ଜଣେ ପ୍ରସିଦ୍ଧ ୟୁଟ୍ୟୁବର୍ ଏବଂ ସୋସିଆଲ୍ ମିଡିଆ ଇନଫ୍ଲୁଏନସର। ତାଙ୍କ ୟୁଟ୍ୟୁବ ଚ୍ୟାନେଲ ନାଁ ହେଉଛି "କର୍ଲି ଟେଲ୍ସ"। ପ୍ରାୟ ୩୦ ଲକ୍ଷ ସବସ୍କ୍ରାଇବର କାମିୟା ଜାନୀଙ୍କ ୟୁଟ୍ୟୁବ ଚ୍ୟାନେଲ "କର୍ଲି ଟେଲ୍ସ" କୁ ସବସ୍କ୍ରାଇବ କରିଛନ୍ତି। ଇନଷ୍ଟାଗ୍ରାମ୍ ରେ କାମିୟା ଜାନୀଙ୍କ ମଧ୍ୟ ଲକ୍ଷ ଲକ୍ଷ ଅନୁସରଣକାରୀ ଅଛନ୍ତି। ଶ୍ରୀମନ୍ଦିର ମହାପ୍ରସାଦକୁ ନେଇ ବିବାଦ ଉପୁଜିବା ପରେ ନିଜର ଜବାବ ରଖିଛନ୍ତି  ୟୁଟ୍ୟୁବର କାମିୟା ଜାନୀ। ଏନେଇ ସୋସିଆଲ ମିଡିଆ ମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ମୁଁ ଗୋମାଂସ ଖାଏ ନାହିଁ କିମ୍ବା ଏହାକୁ କେବେ ଖାଇ ନାହିଁ। ଜୟ ଜଗନ୍ନାଥ। 

ବିବାଦକୁ ନେଇ କ'ଣ କହିଲା ଶ୍ରମନ୍ଦିର ପ୍ରଶାସନ
ଏହି ଘଟଣାରେ ପ୍ରତିକ୍ରିୟା ରଖି ଶ୍ରୀମନ୍ଦିର ପ୍ରଶାସନ କହିଛି ଯେ ଏକ ରାଜନୈତିକ ଦଳ ଅଭିଯୋଗ କରିଛି ଯେ ଜଣେ ୟୁଟ୍ୟୁବ ଇନଫ୍ଲୁଏନସର କ୍ୟାମେରା ସାହାଯ୍ୟରେ ମନ୍ଦିର ପରିସରରେ ଏକ ଭିଡିଓ ରେକର୍ଡିଂ କରିଛନ୍ତି। ଏହି ଅଭିଯୋଗ ଭିତ୍ତିହୀନ। ଏଥିରେ କୌଣସି ସତ୍ୟତା ନାହିଁ। ଯଦି କାହା ପାଖେ କିଛି ପ୍ରମାଣସ ରହିଛି ତାହେଲେ ଏହାକୁ ଆଗକୁ ଆଣନ୍ତୁ। ଏହାର ଅନୁସନ୍ଧାନ କରାଯିବ ଏବଂ ଯଦି କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତାହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
 

 

Read More
{}{}