ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ଘଟଣାକୁ ବିତିଛି ଦୁଇଦିନ। ଏବେବି ଶୋକାକୁଳ ପରିବେଶ। କିଏ କୁନି ପୁଅଟିଏ ହରାଇଛିତ ଆଉ କିଏ ନାତିଟିଏ। ଆଉ କିଏ ବାପାକୁ ତ ଆଉ କିଏ ସମ୍ପର୍କୀୟକୁ। ଆଖିରୁ ଲୁହ ଶୁଖୁନାହିଁ। ଏହିଭଳି ପରିବେଶ ସୃଷ୍ଟି ହୋଇଛି ଦେବୀଘାଟ ଓ ଖଣ୍ଡିଆବନ୍ଧ ଅଞ୍ଚଳରେ। ଏଇ ଭିତରେ ତିନିଜଣଙ୍କର ମୃତ୍ୟୁ ହୋଇସାରିଛି। ଦେବୀଘାଟର ପି ରାଜୁ ରାଓ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କର ଦଶବର୍ଷର ପୁଅ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛି। ସେପଟେ ଖଣ୍ଡିଆବନ୍ଧର ଦୁଇବର୍ଷ ବୟସର ଦିଗୁ ଓରଫ କ୍ରୀୟାଂଶୁ ଘରେ କହି ବାବା ସଙ୍ଗେ ଯାଇଥିଲା ଭଉଁରି ଦେଖିବ ଆଉ ଖେଳଣା କିଣିବ। ବାପା ମା''ଙ୍କ ସହ ଗଲାବେଳେ ଖୁସିରେ ନାଚି ଉଠୁଥିଲା ଖଣ୍ଡିଆବନ୍ଧ ବୈରାଗୀସାହିର ଦୁଇ ବର୍ଷ ଏକମାସର ଶିଶୁ ଦିଗୁ ଓରଫ କ୍ରିୟାଂଶୁରାଜ ସ୍ବାଇଁ । ହେଲେ ସେ କି ଜାଣିଥିଲା ନରେନ୍ଦ୍ର ସରୋବର ଦଶତୁଠ କୂଳରେ ତାକୁ ଅପେକ୍ଷା ଛକି ବସିଛି ମୃତ୍ୟୁ। ହେଲେ ଭଉଁରିର ସେଇ କାଳରାତି କୋମଳମତି ଶିଶୁ ''ଦିଗୁ''କୁ ବାଣ ବିସ୍ଫୋରଣରେ ଖିନଭିନ୍ କରିଦେଲା । ଶରୀର ରକ୍ତରେ ଜୁଡୁବୁଡୁ ହୋଇଯାଇଥିଲା ମା'' ଦିଗୁକୁ ଧରି ବିକଳରେ ଦୌଡ଼ୁଥିଲେ । କାନ୍ଦିକାନ୍ଦି କହୁଥିଲେ, ମୋ ପୁଅକୁ ବଞ୍ଚାଅ, ମୋ ପୁଅକୁ... I